ବଦଳିବେ କି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ? ବିଜେପି ସାଂସଦଙ୍କ ଟ୍ୱିଟକୁ ନେଇ ରାଜନୀତି ସରଗରମ

1,887

କନକ ବ୍ୟୁରୋ : ପ୍ରଥମେ ମହାରାଷ୍ଟ୍ର, ପରେ ବିହାର ଓ ଏବେ ଝାଡଖଣ୍ଡରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହୋଇପାରନ୍ତି । ଏନେଇ ବିଜେପି ସାଂସଦଙ୍କ ଟ୍ୱିଟ ପରେ ରାଜନୀତି ସରଗରମ ହେବାରେ ଲାଗିଛି । ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଏକ ଟ୍ୱିଟ ପରେ ଝାଡଖଣ୍ଡରେ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଦୁବେ ଏକ ଟ୍ୱିଟରେ ଲେଖିଛନ୍ତି କି ଭାବିଜୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ତେଣୁ ପ୍ରସ୍ତୁତି ଆରମ୍ଭ କର । ସେ କାହାରି ନାମ ନେଇ ନଥିଲେ ବି ତାଙ୍କ ଟ୍ୱିଟ୍ ମୁତାବକ ଝାଡଖଣ୍ଡରେ ହେମନ୍ତ ସୋରେନଙ୍କ ସ୍ଥାନରେ ତାଙ୍କ ପତ୍ନୀ କଳ୍ପନା ସୋରେନ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ।

ଗୋଟିଏ ପଟେ ହେମନ୍ତ ସୋରେନଙ୍କ ଉପରେ ଅଫିସ ଅଫ୍ ପ୍ରଫିଟ ଭଳି ଅଭିଯୋଗ ଆସିବା ପରେ ଅଡୁଆରେ ପଡିଛନ୍ତି ହେମନ୍ତ । ସେପଟେ ଯଦି ଏଭଳି କିଛି ହେଉଛି ତେବେ ଝାଡଖଣ୍ଡବାସୀ ପ୍ରଥମଥର ପାଇଁ ରାଜ୍ୟର ମହିଳା ମୁଖ୍ୟମନ୍ତ୍ରୀ ଦେଖିବାକୁ ପାଇବେ । ହେମନ୍ତ ସୋରେନଙ୍କ ନାମରେ ଏଭଳି ଅଭିଯୋଗ ଆସିବା ପରେ ଦଳ ପକ୍ଷରୁ କିଛି ଖୋଲାଖୋଲି ମନ୍ତବ୍ୟ ଆସୁନଥିଲେ ବି ବିରୋଧୀ ବିଜେପି ଏନେଇ ଉଭୟ କଂଗ୍ରେସ ଓ ଜେଏମଏମ ଉପରେ ବର୍ଷିବାରେ ଲାଗିଛି ।

ଅନ୍ୟଏକ ଟ୍ୱିଟରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଦଳର ନେତା ଓ କର୍ମୀମାନଙ୍କୁ ଉପ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ଆହ୍ୱାନ ଦେଇଛନ୍ତି । ଅନ୍ୟପଟେ ଆମେ ଝାଡଖଣ୍ଡ ବିଧାନସଭାର ସ୍ଥିତିକୁ ଅନୁଧ୍ୟାନ କଲେ ରାଜ୍ୟ ବିଧାନସଭାର ମୋଟ ୮୧ ଟି ଆସନ । ଏହା ମଧ୍ୟରୁ ଜେଏମଏ-୩୦, ଜାତୀୟ କଂଗ୍ରେସ ୧୬ ଓ ଆରଜେଡି ୧ ବିଧାନସଭା ଆସନ ଜିତିଛି । ଏହି ୩ ଦଳ ୪୭ ଜଣ ବିଧାୟକଙ୍କ ସମର୍ଥନରେ ସରକାର ଗଠନ କରିଛନ୍ତି ।

 

ସେପଟେ ଏନଡିଏ ମେଣ୍ଟରୁ ବିଜେପି ୨୫, ଝାରଖଣ୍ଡ ବିକାଶ ମୋର୍ଚ୍ଚା ୩, ଅଲ ଝାରଖଣ୍ଡ ଷ୍ଟୁଡେଣ୍ଟ ୟୁନିୟନ ୨, ଜାତୀୟତାବାଦୀ କଂଗ୍ରେସ ୧ , ବାମଦଳ ୧ ଓ ୨ ଜଣ ସ୍ୱାଧୀନ ବିଧାୟକ ରହିଛନ୍ତି  । ଏନଡିଏ ସମର୍ଥନରେ ୩୦ ଜଣ ବିଧାୟକ ରହିଛନ୍ତି । ଏନଡିଏକୁ ସରକାର ଗଠନ କରିବାକୁ ହେଲେ ୧୧ ଜଣ ବିଧାୟକଙ୍କର ଆବଶ୍ୟକତା ରହିଛି । ଏହାରି ମଧ୍ୟରେ କଂଗ୍ରେସ ଓ ଜେଏମଏମ ଭିତରେ ସଂପର୍କ ଠିକ୍ ନଥିବାରୁ ହେମନ୍ତ ସୋରେନ ୟୁପିଏ ମେଣ୍ଟ ଭାଙ୍ଗି ଏନଡିଏରେ ସାମିଲ ହୋଇ ପାରନ୍ତି ଓ ନିଜ ପତ୍ନୀ କଳ୍ପନାଙ୍କୁ ମୁଖ୍ୟମନ୍ତ୍ରୀ କରିପାରନ୍ତି ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ଦେଉଛନ୍ତି ।