ହିମାଚଳରେ ବର୍ଷା ପରେ ଜଳପ୍ରଳୟ, ଭୂସ୍ଖଳନରେ ୩ ଶିଶୁ ସମେତ ୮ ଜଣଙ୍କର ମୃତ୍ୟୁ।

74

କନକ ବ୍ୟୁରୋ: ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ପରେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି । କାଙ୍ଗଡା ଅଞ୍ଚଳରେ ବ୍ରିଟିଶ ସମୟର ଏକ ରେଳ ବ୍ରିଜ ଭାଙ୍ଗିଯାଇଛି । ସେହିଭଳି ମଣ୍ଡିରେ ମଧ୍ୟ ଗୋଟିଏ ପରିବାର ଉପରେ ବର୍ଷାର ପ୍ରକୋପ ଦେଖିବାକୁ ମିଳିଛି । ଭୂସ୍ଖଳନ ଯୋଗୁ ଗୋହର ଗାଁରେ ଗାଁ ମୁଖିଆଙ୍କ ଘର ନଷ୍ଟ ହୋଇଯାଇଛି । ଘରେ ଶୋଇଥିବା ୭ ସଦସ୍ୟ ମାଟିତଳେ ଚାପିହୋଇଯାଇଥିଲେ । ଏମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କର ଶବ ଉଦ୍ଧାର କରାଯାଇସାରିଛି । ପ୍ରବଳ ବର୍ଷା କାରଣରୁ ମଣ୍ଡି ଏବଂ କୁଲ୍ଲୁରେ ସ୍କୁଲ ଏବଂ ଅନ୍ୟ ଶିକ୍ଷଣ ସଂସ୍ଥାନ ବନ୍ଦ କରିଦିଆଯାଇଛି । ସେହିଭଳି ଚାମ୍ବାର ତିନିଟି ତହସିଲ ଡଲହୌଜୀ, ସିଂହୁତା ଏବଂ ଚୁବାଡୀରେ ଶିକ୍ଷଣ ସଂସ୍ଥାନକୁ ପ୍ରଶାସନ ଗୋଟିଏ ଦିନ ପାଇଁ ବନ୍ଦ ଘୋଷଣା କରିଛି ।

ବର୍ଷା ଯୋଗୁ ମଣ୍ଡି ଜିଲ୍ଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । କଟୋଲା ଅଞ୍ଚଳରେ ଦଶ ବର୍ଷିୟ ଶିଶୁର ଶବ ଉଦ୍ଧାର ହୋଇଥିବା ବେଳେ ବଜାର ଅଞ୍ଚଳ ନଷ୍ଟ ହୋଇଯାଇଛି । ୫ରୁ ୬ ଫୁଟର ମାଟି ଅତଡା ଖସିବା ଯୋଗୁ ପୂରା ଅଞ୍ଚଳ ନଷ୍ଟ ହୋଇଛି । ସେହିଭଳି ଗୋହର ସମେତ ଅନେକ ଅଞ୍ଚଳରୁ ପ୍ରାୟ ୧୫ ଜଣ ଭୂସ୍ଖଳନ ଯୋଗୁ ନିଖୋଜ ରହିଛନ୍ତି ।