ରାହୁଲ ଗାନ୍ଧୀଙ୍କ ସଂସଦ ସଭ୍ୟ ପଦ ରଦ୍ଦ । ନରସିଂହ କହିଲେ, ହୋଇଛି ସୁଚିନ୍ତିତ ଷଡଯନ୍ତ୍ର । ଜୟ ନାରାୟଣ କହିଲେ, ସମସ୍ତଙ୍କ ପାଇଁ ନିୟମ ସମାନ । 

205

କନକ ବ୍ୟୁରୋ: ରାହୁଲ ଗାନ୍ଧୀଙ୍କ ସଂସଦ ପଦ ରଦ୍ଦ ହେବା ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ରାହୁଲ ଗାନ୍ଧୀଙ୍କ ସଭ୍ୟ ପଦ ରଦ୍ଦ କରିବାକୁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ହୋଇଥିଲା । ରାହୁଲ ଗାନ୍ଧୀ ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି ବୋଲି ନରସିଂହ କହିଛନ୍ତି । ତେବେ ଭାରତରେ ଗଣତନ୍ତ୍ର ଧ୍ଵଂସ ହୋଇଛି, ଭାରତ ବର୍ଷରେ ଗଣତନ୍ତ୍ର ବୋଲି କିଛି ନାହିଁ । ସବୁ ପରମ୍ପରାକୁ ପଛରେ ପକେଇ, ଗଣତାନ୍ତ୍ରିକ ପରମ୍ପରାକୁ ଆଖି ଆଗରେ ନ ରଖି ତରବରିଆ ଭାବେ ରାହୁଲଙ୍କ ସଭ୍ୟ ପଦ ରଦ୍ଦ ହୋଇଛି । ଏନେଇ କଂଗ୍ରେସ ଉପର ଅଦାଲତକୁ ଯିବ ଏବଂ ନ୍ୟାୟର ଜୟ ହେବ ବୋଲି ନରସିଂହ କହିଛନ୍ତି ।

ଅନ୍ୟପଟେ ଏହି ପ୍ରସଙ୍ଗରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ବି ପ୍ରତିକ୍ରିୟା ରଖିଛନ୍ତି । ତାଙ୍କ କହିବା କଥା,ସମସ୍ତଙ୍କ ପାଇଁ ନିୟମ ସମାନ । ରାହୁଲ ଗାନ୍ଧୀ ହେଲେ ବୋଲି, ତାଙ୍କ ପାଇଁ ନିୟମ କଣ ଲାଗୁ ହେବ ନାହିଁକି? ତାଙ୍କ ସମୟରେ ନିୟମ ହୋଇଥିଲା, ଯେଉଁମାନଙ୍କୁ ଦୁଇ ବର୍ଷରୁ ଅଧିକ ସଜ୍ଜା ହେବ ସେମାନଙ୍କ ସଦସ୍ୟ ପଦ ରଦ୍ଦ ହେବ । ଏଥିରେ କାହାର କିଛି କରିବାର ନାହିଁ । ଦୁଇ ବର୍ଷ ସଜ୍ଜା ହେଲା ସେଥିପାଇଁ ସଦସ୍ୟ ପଦ ଗଲା. ଏହା ହିଁ ନିୟମ । ଯେଉଁ ନିୟମ ଅଛି ତାକୁ ବିନା କାରଣରେ ରାଜନୈତିକ ରଙ୍ଗ ଦିଆଯାଉଛି । ନିୟମ ସମସ୍ତଙ୍କ ପାଇଁ ସମାନ । ଯଦି ଏହାକୁ କିଏ ଡ୍ରାମା କରିବେ ତେବେ ସେଥିରେ କିଛି କରିବାର ନାହିଁ । ସେ ଉପର କୋର୍ଟ ଯାଇପାରନ୍ତି କିନ୍ତୁ ନିୟମ ଅନୁଯାୟୀ ସଦସ୍ୟ ପଦ ରଦ୍ଦ ହେବ ବୋଲି କହିଛନ୍ତି ଜୟ ନାରାୟଣ ମିଶ୍ର ।