ସର୍ଜିକାଲ ଷ୍ଟ୍ରାଇକର ମିଛ ପ୍ରଚାର, କେଉଁଠି ଅଛି ପ୍ରମାଣ? ଦିଗବିଜୟ ସିଂଙ୍କ କେନ୍ଦ୍ର ଉପରେ ଟାର୍ଗେଟ।

120

କନକ ବ୍ୟୁରୋ: ଜାମ୍ମୁକାଶ୍ମୀରରେ ଚାଲିଥିବା ଭାରତ ଯୋଡୋ ଯାତ୍ରାରେ ଦିଗବିଜୟଙ୍କ ବଡ ବୟାନ । ପୁଣିଥରେ ଦିଗବିଜୟ ସିଂହ ସର୍ଜିକାଲ ଷ୍ଟ୍ରାଇକ ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି, ସର୍ଜିକାଲ ଷ୍ଟ୍ରାଇକର କଥା ଆମେ କହୁଛି ଆମେ କେତେ ଜଣଙ୍କୁ ମାରିଛି ତାର ପ୍ରମାଣ କଣ ରହିଛି । କେବଳ ମିଛ ପ୍ରଚାର କରିବାରେ ଲାଗିଛନ୍ତି ବୋଲି ସେ ବୟାନ ଦେଇଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଏହାର ସୂଚନା ନା ସଂସଦରେ ଦିଆଯାଇଛି ନା କୌଣସି ସ୍ଥାନରେ ସାର୍ବଜନୀନ କରାଯାଇଛି ।

ସର୍ଜିକାଲ ଷ୍ଟ୍ରାଇକ ଉପରେ ପ୍ରଶ୍ନ ଉଠାଇ ଦିଗବଜୟ ସିଂହ କହିଛନ୍ତି, ପୁଲୱାମାରେ ୪୦ ଜଣ ଯବାନ ସହିଦ ହୋଇଛନ୍ତି । ସିଆରପିଏଫର ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ଯେ ସମସ୍ତ ଯବାନଙ୍କୁ ଏୟାର ଲିଫ୍ଟ କରାଯାଉ । ତେବେ ପ୍ରଧାନମନ୍ତ୍ରୀ ଏହି କଥାକୁ ଧ୍ୟାନ ଦେଇନଥିଲେ । ଏଭଳି ଭୁଲ କେମିତି କରାଯାଇପାରିଲା?

କେନ୍ଦ୍ର ସରକାରଙ୍କ ଉପରେ ସେ ବର୍ଷିବା ସହ କହିଥିଲେ, ସରକାର କାଶ୍ମୀର ସମସ୍ୟାକୁ ବଞ୍ଚାଇ ରଖିବାକୁ ଚାହୁଁଛନ୍ତି । ଭୋଟ ପାଇଁ ସାରା ଦେଶରେ ଘୃଣା ବାଣ୍ଟିବାକୁ ଚାହୁଁଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ସେ ଟାର୍ଗେଟ କରି କହିଛନ୍ତି, ଆପଣ କଣ କେବେ କୌଣସି ପ୍ରଧାନମନ୍ତ୍ରୀଙ୍କୁ ଫିଲ୍ମର ପ୍ରଚାର କରିଥିବା ଦେଖିଥିଲେ? ପ୍ରଧାନମନ୍ତ୍ରୀ ମୋଦୀ କାଶ୍ମୀର ଫାଇଲ୍ସର ପ୍ରଚାରର ବ୍ୟସ୍ତ ରହିଥିଲେ ।