କର୍ଣ୍ଣାଟକ ହିଜାବ ମାମଲା: ମୁଖ୍ୟ ବିଚାରପତି କହିଲେ, ଶୀଘ୍ରହେବ ମାମଲାର ଶୁଣାଣି।

58

କନକ ବ୍ୟୁରୋ: କର୍ଣ୍ଣାଟକ ହିଜାବ ବିବାଦରେ ସୁପ୍ରିମକୋର୍ଟରେ ଶୀଘ୍ର ଶୁଣାଣି ନେଇ ଆବେଦନ କରାଯାଇଛି । ସିଜେଆଇ ଜଷ୍ଟିସ ଚନ୍ଦ୍ରଚୁଡ ଶୀଘ୍ର ନୂଆ ବେଞ୍ଚ ଗଠନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । କୋର୍ଟରେ ଦୁଇ ଜଣ ଜଜଙ୍କ ମଧ୍ୟରେ ସହମତି ନହେବା କାରଣରୁ ଏହାକୁ ତିନିଜଣିଆ ବେଞ୍ଚକୁ ସ୍ଥାନାନ୍ତର କରାଯାଇଛି । ଓକିଲ ମୀନାକ୍ଷୀ ଅରୋଡା କହିଛନ୍ତି, ଗୋଟିଏ ବର୍ଷ ବିତିସାରିଛି ଝିଅମାନେ କ୍ଲାସକୁ ଯାଇପାରୁନାହାନ୍ତି । ଏଥିପାଇଁ ମାମଲାର ଶୀଘ୍ର ଶୁଣାଣି ତିନିଜଣିଆ ଖଣ୍ଡପୀଠରେ କରାଯିବ । ମୁଖ୍ୟ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ବି ରାମାସୁବ୍ରମଣ୍ୟମ ଏବଂ ଜଷ୍ଟିସ ବି ପରଦିୱାଲାଙ୍କ ଖଣ୍ଡପୀଠ ବରିଷ୍ଠ ଆଇନଜୀବୀ ମୀନାକ୍ଷୀ ଅରୋଡାଙ୍କ ଦଲିଲକୁ ଅନୁଧ୍ୟାନ କରିଥିଲେ । ରାଜ୍ୟରେ ଫେବ୍ରୁଆରୀ ୬ରୁ କିଛି ଶ୍ରେଣୀ ପାଇଁ ପରୀକ୍ଷା ଆରମ୍ଭ ହେଉଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ମଧ୍ୟବର୍ତ୍ତୀକାଳୀନ ଆଦେଶ ପାରିତ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ ।

କିଛି ଛାତ୍ରୀଙ୍କ ପକ୍ଷରୁ ପକ୍ଷ ରଖୁଥିବା ଅରୋଡା କହିଛନ୍ତି, ଏହା ହିଜାବ ସହ ଜଡିତ ମାମଲା, ଛାତ୍ରୀମାନଙ୍କର ପରୀକ୍ଷା ଫେବ୍ରୁଆରୀ ୬ରୁ ଆରମ୍ଭ ହେଉଛି । ଏହି ମାମଲାକୁ ଅନ୍ତରୀଣ ଆଦେଶ ତାଲିକାରେ ସୂଚୀତ କରିବାର ଆବଶ୍ୟକତା ରହିଛି । ଏହା ହେବା ଦ୍ୱାରା ସେମାନେ ପରୀକ୍ଷାରେ ସାମିଲ ହୋଇପାରିବେ । ପ୍ରାକ୍ଟିକାଲ ପରୀକ୍ଷା ସରକାରୀ ସ୍କୁଲରେ ଅନୁଷ୍ଠିତ ହେବ ।

ଏହା ଉପରେ ଜବାବ ରଖି ସିଜେଆଇ କହିଥିଲେ ଯେ ମୁଁ ଏହା ଉପରେ ବିଚାର କରିବି । ଏହା ତିନିଜଣିଆ ଖଣ୍ଡପୀଠର ମାମଲା । ଆମେ ଗୋଟିଏ ତାରିଖ ନିର୍ଦ୍ଦାରଣ କରିବୁ । ଶୀର୍ଷ ଅଦାଲତଙ୍କ ଦୁଇ ସଦସ୍ୟ ବିଶିଷ୍ଟ ଖଣ୍ଡପୀଠ ଗତ ବର୍ଷ ଅକ୍ଟୋବର ୧୩ରେ ହିଜାବ ବିବାଦରେ ଫଇସଲା ଶୁଣାଇଥିଲେ । ପୀଠ କହିଥିଲେ ଯେ କର୍ଣ୍ଣାଟକ ସ୍କୁଲରେ ହିଜାବକୁ ନେଇ ବିବାଦରେ ଫଇସଲା ନେବାକୁ ଏକ ଉପଯୁକ୍ତ ଖଣ୍ଡପୀଠର ଗଠନ କରନ୍ତୁ ।