ନିୟମଗିରିର ଆଦିମ ଜନଜାତୀଙ୍କ ହାତ ତିଆରି ସାଲର ରହିଛି ସ୍ୱତନ୍ତ୍ର ଚାହିଦା । ଅଧିକ ଉତ୍ପାଦନ ଓ ବୁଣାକାରଙ୍କୁ ରୋଜଗାର ଯୋଗାଇଦେବାକୁ ଆଗେଇ ଆସିଛି ଡ଼ଙ୍ଗରିଆ କନ୍ଧ ଡ଼େଭଲେପମେଂଟ ଏଜେନ୍ସି

61

କନକ ବ୍ୟୁରୋ : ବଜାରକୁ ବିଭିନ୍ନ ପ୍ରକାର ମେସିନ୍ ତିଆରି ସାମଗ୍ରୀ ଅସୁଥିଲେ ବି କମିନି ହାତ ତିଆରି ସାମଗ୍ରୀର ଚାହିଦା । ଏହାରି ଭିତରେ ନିୟମଗିରିର ଆଦିମ ଜନଜାତି ଡଙ୍ଗରିଆ କନ୍ଧଙ୍କ ହାତ ତିଆରି ସାଲ କିଣିବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି । ହେଲେ ବୁଣାକାରଙ୍କୁ ପ୍ରୋତ୍ସାହନ ଅଭାବରୁ ଏହା ଏବେ ବିଲୁପ୍ତ ହେବାକୁ ବସିଛି । ତେବେ ଚାହିଦାକୁ ନଜରରେ ରଖି ଅଧିକ ଉତ୍ପାଦନ ଓ ବୁଣାକାରଙ୍କୁ ରୋଜଗାର ଯୋଗାଇଦେବା ପାଇଁ ଆଗେଇ ଆସିଛି ଡିକେଡିଏ ତଥା ଡ଼ଙ୍ଗରିଆ କନ୍ଧ ଡ଼େଭଲେପମେଂଟ ଏଜେନ୍ସି ଏବଂ ଆକ୍ସନ୍ ଏଡ ଅନୁଷ୍ଠାନ । ଡଙ୍ଗରିଆ ଯୁବକ ଯୁବତୀ ମାନଙ୍କୁ ଲୁଗାବୁଣା ତାଲିମ ଦେବା ସହ ସେମାନଙ୍କୁ ରୋଜଗାର ଯୋଗାଇ ଦେବାକୁ ପ୍ରୟାସ ଆରମ୍ଭ କରିଛି ଏହି ସଂସ୍ଥା ।

ଡଙ୍ଗରିଆ ସମ୍ପ୍ରଦାୟର ମହିଳାମାନେ ବିବାହ ଉତ୍ସବ ହେଉ କିମ୍ବା କୌଣସି ପର୍ବ ପର୍ବାଣି କପଡାଗୁନ୍ଦା ବୁଣା ସାଲର ବହୁଳ ବ୍ୟବହାର କରିଥାନ୍ତି । ନିଜ ହାତରେ ବିଭିନ୍ନ ପାରମ୍ପରିକ ଚିତ୍ରରେ ଡିଜାଇନ ସାଲ ତିଆରି କରିଥାନ୍ତି ଆଦିମ ଜନଯାତି । ସାଲ୍ ବା କପଡାଗୁନ୍ଦାକୁ ଧଳା ରଙ୍ଗର କପଡା ଉପରେ ବିଭିନ୍ନ ରଙ୍ଗର ସୁତା ସାହାଯ୍ୟରେ ଏହାକୁ ବୁଣିଥାଆନ୍ତି ବୁଣାକାର । ବିଷମକଟକ ବ୍ଲକ ଝିଗିଡି ଗାଁର ରାମ ହିଆଲ ଏହି ସାଲ ବେଶ ଭଲ ଭାବେ ବୁଣିପାରନ୍ତି । ବୟସ ଅଧିକ ହେବାରୁ ଆଉ ଏତେ ଭଲ ଭାବେ ବୁଣାବୁଣି କରିପାରୁନାହାନ୍ତି । ଭବିଷ୍ୟତ ପିଢିକୁ ନଜରରେ ରଖି କିପରି ଏହି କଳାକୁ ବଂଚାଇ ରଖିହେବ ସେଥିପାଇଁ କିଶୋର କିଶୋରିଙ୍କୁ ତାଲିମ ଦେଉଛନ୍ତି ରାମ ହିଆଲ ।

 

ପରମ୍ପରାର କଳାକୃତିକୁ ଲୋକଙ୍କ ପାଖରେ ପହଂଚାଇବା ସହ ଡଙ୍ଗରିଆଙ୍କୁ ରୋଜଗାରକ୍ଷମ କରିବାରେ ସହାୟକ ହୋଇଛି ଏହି ସଂସ୍ଥା । କପଡା ତିଆରି ଶିଖିବା ପରେ ଆହୁରି ଅଧିକ ମାତ୍ରାରେ ସାଲ ତିଆରି କରି ଲାଭବାନ ହେବା ନେଇ ଆଶା ରଖିଛନ୍ତି ତାଲିମ ନେଉଥିବା ଯୁବକ ଯୁବତୀ ।