ଭାରତର ସବୁଠୁ ଡେଙ୍ଗା ପୋଲିସ । ଗ୍ରେଟ୍ ଖଲିଙ୍କଠୁ ଅଧିକ ଉଚ୍ଚା, ପିନ୍ଧୁଛନ୍ତି ୧୯ ନମ୍ବର ଜୋତା ।

431

କନକ ବ୍ୟୁରୋ: ଡବ୍ଲୁଡବ୍ଲୁଇ ସୁପରଷ୍ଟାର ଗ୍ରେଟ୍ ଖଲିଙ୍କୁ ଆପଣ ନିଶ୍ଚୟ ଜାଣିଥିବେ । ବଳିଷ୍ଠ ଚେହେରା ଆଉ ହାଇଟ୍ ତାଙ୍କୁ ସବୁବେଳେ ଚର୍ଚ୍ଚାରେ ରଖିଥାଏ । ହେଲେ ଆଜି ଆମେ ଆପଣଙ୍କୁ ଏମିତି ଜଣେ ଲୋକଙ୍କ କଥା କହିବୁ, ଯିଏ ହେଉଛନ୍ତି ଗ୍ରେଟ୍ ଖଲିଙ୍କଠୁ ଅଧିକ ଉଚ୍ଚା ।

ଜଗଦୀପ ସିଂହ । ପଞ୍ଜାବ ପୋଲିସରେ କାର୍ଯ୍ୟରତ ଥିବା ଏହି ଯୁବକ ଜଣଙ୍କର ଉଚ୍ଚତା ଗ୍ରେଟ୍ ଖଲିଙ୍କଠାରୁ ୫ ଇଞ୍ଚ ଅଧିକ । ଗ୍ରେଟ୍ ଖଲିଙ୍କର ଉଚ୍ଚତା ୭ ଫୁଟ୍ ୧ ଇଞ୍ଚ୍ ହୋଇଥିବାବେଳେ, ଜଗଦୀପଙ୍କର ଉଚ୍ଚତା ହେଉଛି ୭ ଫୁଟ୍ ୬ ଇଞ୍ଚ୍ । ଖାଲି ସେତିକି ନୁହେଁ…ଜଗଦୀପଙ୍କର ବୟସ ୩୭ ବର୍ଷ ହୋଇଥିବାବେଳେ ତାଙ୍କର ଓଜନ ହେଉଛି ପାଖାପାଖି ୧୯୦ କିଲୋଗ୍ରାମ । ଖାସ୍ କଥା ହେଉଛି ଜଗଦୀପ ତଳେ ଛିଡା ହେଲେ ତାଙ୍କ ହାତ ତାଙ୍କ ଘରର ଛାତକୁ ଲାଗିପାରେ । ଆଉ ସେ ତଳେ ରହି ଛାତ ଉପରକୁ ହାତ ବଢାଇ ପାରିଥାନ୍ତି ।

ଜଗଦୀପ ସିଂହ ଦୀର୍ଘ ୨୦ ବର୍ଷ ଧରି ପଞ୍ଜାବ ପୋଲିସରେ କାମ କରୁଛନ୍ତି । ସେ ହେଡ୍ କନଷ୍ଟେବଳ ପୋଷ୍ଟରେ ଥିବାବେଳେ, ତାଙ୍କ ଅସୁବିଧା ଏତିକି ଯେ, ଜଗଦୀପ ନିଜ ପସନ୍ଦ ମୁତାବକ କୌଣସି ଡ୍ରେସ୍ ପିନ୍ଧି ପାରୁନାହାଁନ୍ତି । ତାଙ୍କ ଜୋତା ସାଇଜ୍ ୧୯ ନମ୍ବର ଥିଲାବେଳେ ଏହା ମାର୍କେଟରେ ମିଳୁନାହିଁ  । ତେଣୁ ସେ ତାଙ୍କ ଜୋତା ବିଦେଶରୁ ଅର୍ଡର କରି ପିନ୍ଧୁଛନ୍ତି । ଜଗଦୀପଙ୍କର ହାଇଟ୍ ଅଧିକ ଥିବା କାରଣରୁ ସେ କୌଣସି ବସ କିମ୍ବା ଅଟୋରେ ଯା ଆସ କରିପାରନ୍ତି ନାହିଁ । ସିଏ ଯେଉଁଠି କି ବି ଯାଆନ୍ତି ନିଜ ବାଇକରେ ବସି ଯାତ୍ରା କରିଥାନ୍ତି ।

ପଞ୍ଜାବ ପୋଲିସରେ କାମ କରୁଥିବା ଜଗଦୀପ ଅଭିନୟରେ ମଧ୍ୟ ରୁଚି ରଖନ୍ତି । ଆମେରିକାର ପ୍ରସିଦ୍ଧ ରିୟାଲିଟି ସୋ, ଆମେରିକାସ୍ ଗଟ୍ ଟାଲେଂଟରେ ସେ ଭାଗ ନେଇ ସାରିଥିବାବେଳେ, ବଲିଉଡ୍ ଫିଲ୍ମ ରଙ୍ଗ ଦେ ବସନ୍ତି, ଫିର୍ ହେରାଫେରି, ତିନ୍ ଥେ ଭାଇ ଆଉ ୱେଲକମ୍ ଭଳି ଫିଲ୍ମରେ ଅଭିନୟ କରିସାରିଛନ୍ତି । ତାଙ୍କୁ ଭାରତର ସବୁଠୁ ଉଚ୍ଚା ପୋଲିସ ଭାବେ ମଧ୍ୟ ଅନେକ ଲୋକ ଜାଣିଛନ୍ତି ।