ଋଷ-ୟୁକ୍ରେନ ଯୁଦ୍ଧକୁ ପୂରିଲା ୨ବର୍ଷ । ଯୁଦ୍ଧରେ ଛାରଖାର ହେବା ସତ୍ତ୍ୱେ ଲଢ଼େଇ ଜାରି ରଖିଛି ୟୁକ୍ରେନ

144

କନକ ବ୍ୟୁରୋ: ୨୦୨୨ ଫେବୃଆରୀ ୨୪ । ୟୁକ୍ରେନ ଉପରେ ଋଷ କରିଥିଲା ପ୍ରଥମ ଆକ୍ରମଣ । ପ୍ରଥମ ଦିନରେ ୟୁକ୍ରେନର ୧୩ଟି ସ୍ଥାନରେ ବିସ୍ଫୋରଣ ଘଟାଇଥିଲା ୠଷ ସେନା । ଆକ୍ରମଣ ପରେ ସାମରିକ ଆଇନ ଲାଗୁ କରିବା ସହ ୟୁକ୍ରେନ ରାଷ୍ଟ୍ରପତି ଆହ୍ୱାନ ଦେଇ କହିଥିଲେ ମୁକାବିଲା ପାଇଁ ଦେଶବାସୀ ସରକାରଙ୍କ ସାଥୀରେ ରୁହନ୍ତୁ । ଯେଉଁମାନେ ଅସ୍ତ୍ର ଉଠାଇବାକୁ ସକ୍ଷମ, ସେମାନେ ଯୁଦ୍ଧରେ ସାମିଲ ହୋଇ ଋଷକୁ କଡ଼ା ଜବାବ ଦିଅନ୍ତୁ ।

  • ଋଷ-ୟୁକ୍ରେନ ଯୁଦ୍ଧକୁ ପୂରିଲା ୨ବର୍ଷ
  • ଛାରଖାର ୟୁକ୍ରେନ, ତଥାପି ଲଢ଼ୁଛି

ୠଷିଆ ପାଖରେ ୟୁକ୍ରେନ୍ ତୁଳନାରେ ୩ ଗୁଣା ଅଧିକ ସୈନ୍ୟ ଶକ୍ତି ଥିଲେ ମଧ୍ୟ କ୍ରେମଲିନ ସାମ୍ନାରେ ଚଟାଣ ପଡି ଛିଡା ହୋଇଛି ୟୁକ୍ରେନ । ଯଥା ସମ୍ଭବ ଜବାବ ଦେଉଛି । ଦୁଇବର୍ଷ ହେବ ଲଢ଼େଇ ଜାରି ରହିଛି । ନା ଋଷ ପଛକୁ ହଟୁଛି ନା ୟୁକ୍ରେନ ମୁଣ୍ଡ ନୁଆଁଉଛି । ସେପଟେ ରାଷ୍ଟ୍ରପତି ପୁଟିନଙ୍କ ଆକ୍ରମଣ ନିଷ୍ପତିକୁ ବିଭିନ୍ନ ମହଲରେ କରାଯାଉଛି ନିନ୍ଦା । ଆମେରିକା, ବ୍ରିଟେନ ନୁହେଁ ଅନେକ ଦେଶ ୟୁକ୍ରେନକୁ ସହଯୋଗ କରୁଛନ୍ତି ।

ଯୁଦ୍ଧ ସଙ୍କଟ ଭିତରେ ୟୁକ୍ରେନ ସହ ରହିଛନ୍ତି ଆମେରିକା ଓ ନାଟୋ ଦେଶ । ଅର୍ଥାତ୍ ଆମେରିକା, ବ୍ରିଟେନ୍, କାନାଡା, ଫ୍ରାନ୍ସ, ଜର୍ମାନୀ, ଗ୍ରିସ, ହଙ୍ଗେରୀ ସମେତ ୩୦ଟି ଦେଶ ୟୁକ୍ରେନକୁ ସହଯୋଗ କରି ଆସୁଛନ୍ତି । ସେପଟେ ଋଷିଆକୁ ପ୍ରତ୍ୟେକ୍ଷରେ ନହେଲେ ବି ପରୋକ୍ଷରେ ନିଜ ସମର୍ଥନ ଜଣାଇ ଆସୁଛି ଚୀନ । ଅନ୍ୟପଟେ ଭାରତ ମଧ୍ୟ ଯୁଦ୍ଧକୁ ନେଇ ନିଜ ଆଭିମୁଖ୍ୟ ସ୍ପଷ୍ଟ କରି ସାରିଛି । ଆଲୋଚନା ମାଧ୍ୟମରେ ଯୁଦ୍ଧ ସମସ୍ୟା ସମାଧାନ କରିବାକୁ କହିଛି ଭାରତ ।

ଯୁଦ୍ଧ ପଛରେ ରହିଛି ଅନେକ କାରଣ । ସେଥିମଧ୍ୟରୁ ଗୋଟିଏ ମୁଖ୍ୟ କାରଣ ହେଉଛି ୟୁକ୍ରେନକୁ ନିଜ ଛତ୍ରଛାୟା ତଳେ ରଖିବାକୁ ଚାହେଁ ଋଷ । ହେଲେ ସେପଟେ ୟୁକ୍ରେନ ନିଜକୁ ଏକ ସ୍ୱାଧିନ ଦେଶ ଭାବି ନିଜ ହିସାବରେ ନିଷ୍ପତି ନେବାରେ ଲାଗିଛି । ଆଉ ଯେବେଠାରୁ ୟୁକ୍ରେନ୍ ନାଟୋର ସଦସ୍ୟ ହେବା ପାଇଁ ମନବଳାଇଛି, ସେବେଠାରୁ ୟୁକ୍ରେନକୁ ନେଇ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇ ଆସୁଛନ୍ତି ରାଷ୍ଟ୍ରପତି ପୁଟିନ୍ । ଆଉ ଶେଷରେ ୟୁକ୍ରେନ୍ ଉପରେ ଋଷ କରିଥିଲା ଆକ୍ରମଣ ।