ପୁଣି କୋର୍ଟରେ ପହଞ୍ଚିଲା କୃଷ୍ଣଙ୍କ ଘର କଳି । ନୀତୀଶ ଭରଦ୍ୱାଜଙ୍କ ବିରୋଧରେ ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ ସ୍ମିତା

517

କନକ ବ୍ୟୁରୋ: ପଦାରେ ପଡିଛି ଘର କଳି । ପୌରାଣିକ ଧାରାବାହିକ ମହାଭାରତର ଲୋକପ୍ରିୟ କଳାକାର ନୀତୀଶ ଭରଦ୍ୱାଜଙ୍କ ପୂର୍ବତନ ପତ୍ନୀ ସ୍ମିତା ବଡ଼ ଅଭିଯୋଗ ଆଣିଛନ୍ତି । ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ ଫେବ୍ରୁଆରୀ ୨୩ରେ ମୁମ୍ବାଇ ଫ୍ୟାମିଲି କୋର୍ଟରେ ଏକ ଆବେଦନ କରିଛନ୍ତି ସ୍ମିତା ।

  • ପୁଣି କୋର୍ଟରେ ପହଞ୍ଚିଲା କୃଷ୍ଣଙ୍କ ଘର କଳି
  • ନୀତୀଶ ଭରଦ୍ୱାଜଙ୍କ ପୂର୍ବତନ ପତ୍ନୀଙ୍କ ଆଭିଯୋଗ
  • ‘ଭରଣପୋଷଣ ଅର୍ଥ ଦେଉନାହାଁନ୍ତି ନୀତୀଶ’
  • ‘ସମ୍ପତ୍ତି ବିକିବାକୁ ଅନୁମତି ଦିଅନ୍ତୁ କୋର୍ଟ ’

ସ୍ମିତା ଅଭିଯୋଗ କରିଛନ୍ତି ଯେ, ବିବାହ ବିଚ୍ଛେଦ ପରେ କୋର୍ଟ ପିଲାଙ୍କ ଲାଳନପାଳନ ପାଇଁ ନୀତୀଶଙ୍କୁ ମାସିକ ୨୦ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ସତ୍ୱେ ନୀତୀଶ ତାଙ୍କୁ ଭରଣପୋଷଣ ପାଇଁ ଅର୍ଥ ଦେଉନାହାଁନ୍ତି । ଅର୍ଥର ଆବଶ୍ୟକତା ରହିଛି । ଯଦି ନୀତୀଶ ଭରଣପୋଷଣ କରିବାକୁ ଅସମର୍ଥ ତେବେ ସମ୍ପତ୍ତି ବିକିବାକୁ କୋର୍ଟ ଅନୁମତି ଦିଅନ୍ତୁ । ସମ୍ପତ୍ତି ବିକ୍ରି ରାଶିରେ ଦୁଇ ଝିଅଙ୍କ ଲାଲନପାଳନ କରିବି । ପୁରୁଣା ସମ୍ପତ୍ତି ଓ କିଛି ଆସବାବପତ୍ର ବିକ୍ରି ରାଶିରେ ଭରଣପୋଷଣ କରିବା ସମ୍ଭବ । ସେପଟେ ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି ନୀତୀଶ ଭରଦ୍ୱାଜ । କୋର୍ଟରେ ସ୍ମିତାଙ୍କ ଆବେଦନ ଉପରେ ଜବାବ ଦେବେ ବୋଲି କହିଛନ୍ତି ନୀତୀଶ ।

ସୂଚନା ଅନୁସାରେ ସ୍ମିତାଙ୍କ ସହ ୨୦୦୯ ମସିହାରେ ଦ୍ୱିତୀୟ ବିବାହ କରିଥିଲେ ନୀତିଶ ଭରଦ୍ୱାଜ । ସ୍ମିତା ଜଣେ ପ୍ରଶାସନିକ ଅଧିକାରୀ । ଉଭୟଙ୍କ ଦୁଇ କନ୍ୟା ସନ୍ତାନ ଅଛନ୍ତି । ପାରିବାରିକ କଳହ ପରେ ୨୦୧୯ରେ ଉଭୟ ବିବାହ ବିଚ୍ଛେଦ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ୨୦୨୨ରେ ଆଇନଗତଭାବେ ପରସ୍ପରଠୁ ଅଲଗା ହୋଇଥିଲେ ନୀତୀଶ ଓ ସ୍ମିତା । ତେବେ ଚଳିତମାସରେ ନୀତୀଶ ପୁଲିସଙ୍କ ଦ୍ୱାରସ୍ଥ ହୋଇଥିଲେ । ସ୍ମିତା ତାଙ୍କୁ ମାନସିକ ନିର୍ଯ୍ୟାତନା ଦେବା ସହ ଦୁଇ ଝିଅଙ୍କୁ ଭେଟିବାକୁ ଦେଉନଥିବା ସେ ଅଭିଯୋଗ କରିଥିଲେ । ପରେ ପଦାରେ ପଡିଥିଲା ଲୋକପ୍ରିୟ କଳାକାରଙ୍କ ଘର କଳି ।