ହମାସ ରକେଟକୁ ଧ୍ୱଂସ କରିବାରେ ବିଫଳ ହେଲା ଇସ୍ରାଏଲର ରକ୍ଷା କବଚ ଆଇରନ ଡ୍ରୋମ, ଜାଣନ୍ତୁ କାରଣ

6,279

କନକ ବ୍ୟୁରୋ : ରାଡାର ସବୁ ବେଳେ ସଜାଗ ଥିବ, ରକେଟ୍ ଆସିବାର ଆଭାସ ମିଳିଲେ ଆପେ ନିଜ ମିସାଇଲ ଦ୍ୱାରା ସାମ୍ନା ରକେଟକୁ ଅଲ୍ପ ସମୟରେ ନଷ୍ଟ କରି ଦେବ । ଏହା ହେଉଛି ଇସ୍ରାଏଲର ଆଇରନ ଡୋମ୍ । ଇସ୍ରାଏଲ ଦ୍ୱାରା ହାଲୁକା ତଥା ନୂତନ ବିଜ୍ଞାନ କୌଶଳରେ ନିର୍ମିତ ଏହି ଆଇରନ ଡୋମ୍ ଇସ୍ରାଏଲ ସାମରିକ ସୁରକ୍ଷା ବାହିନୀ ଆଇଡିଏଫର ସବୁଠାରୁ ଭରସାଯୋଗ୍ୟ ମିସାଇଲ ଅପରେଟର ।

ନିଜ ସମସାମୟିକ ସବୁ ଅସ୍ତ୍ର ବ୍ୟବସ୍ଥାଠାରୁ ଉନ୍ନତ, ସକ୍ଷମ ଧ୍ୱଂସକାରୀ ଇଂଟରସେପ୍ଟର ଭାବେ ଗଣାଯାଉଥିବା ଓ ଅନେକଥର ଇସ୍ରାଏଲକୁ ମିସାଇଲ୍ ଆକ୍ରମଣରୁ ରକ୍ଷା କରିଥିବା ଏହି ଆଇରନ ଡୋମ ତେବେ ଏଥର ବିଫଳ ହେଲା କାହିଁକି ? ଏ ପ୍ରଶ୍ନ ସମସ୍ତଙ୍କୁ ଆନ୍ଦୋଳିତ କରୁଛି । ଇସ୍ରାଏଲ ପାଖରେ ମାତ୍ର ୧୦ଟି ଆଇରନ ଡୋମ୍ ବ୍ୟାଟେରି ଅଛି ଏହାର ପ୍ରତିଟି ବ୍ୟାଟେରି ଭିତରେ ୬୦ ରୁ ୮୦ ଟି ଇଂଟରସେପ୍ଟର ମିସାଇଲ୍ ରହିଥାଏ ଯାହାକୁ ସେ ସୀମାରେ ନିୟୋଜିତ କରିଛି । ହମାସର ପୁର୍ବ ଆକ୍ରମଣରେ ଅଲ୍ପ ରକେଟ୍ ଥିବାରୁ ଆଇରନ ଡୋମ୍ ସେସବୁକୁ ସହଜରରେ ନଷ୍ଟ କରିଦେଇଥିଲା । ହେଲେ ଏଥର ହମାସର ଯୋଜନା ଓ ରକେଟ ମାଡର ପରିମାଣ ଇସ୍ରାଏଲର କଲ୍ପନା ବାହାରେ ଥିଲା । ଗାଜା ଷ୍ଟ୍ରିପରୁୁ ମାତ୍ର କୋଡିଏ ମିନଟ ଭିତରେ ବର୍ଷା ହୋଇଥିଲା ୩୫୦୦ ରକେଟ୍ । ଏଣୁକରି ଯେତେ ସକ୍ଷମ ହେଲେବି ହମାସର ଏ ବିଶାଳ ଆକ୍ରମଣକୁ ପ୍ରତିହତ କରିପାରିଲାନି ଇସ୍ରାଏଲର ଆଇରନ ଡୋମ୍ ।

ରାଫେଲ ଅଡଭାନ୍ସଡ୍ ଡିଫେନ୍ସ ସିଷ୍ଟମ, ଇସ୍ରାଏଲ ଏରୋସ୍ପେସ୍ ଇଣ୍ଡଷ୍ଟ୍ରି ଓ ଆମେରିକାର ମିଳିତ ପ୍ରଚେଷ୍ଟାରେ ନିର୍ମିତ ହୋଇଛି ଆଇରନ ଡୋମ୍ । ପ୍ରାୟ ସବୁଥର ଗାଜା ତରଫରୁ ଆତଙ୍କବାଦୀ ତଥା ଶତୃ ପକ୍ଷରୁ ସବୁ ଆକ୍ରମଣକାରୀ ମିସାଇଲକୁ ପ୍ରତିହତ କରିବାରେ ସକ୍ଷମ ହେବା ସହ ଅନେକ ଥର ଇସ୍ରାଏଲ ବାସିନ୍ଦାଙ୍କ ଜୀବନ ରକ୍ଷା କରିଛି ଏହି ସୁରକ୍ଷା ବ୍ୟବସ୍ଥା । ୨୦୧୧ ମସିହା ଗାଜାରୁ ଲଂଚ୍ ହୋଇଥିବା ଅନେକ ରକେଟକୁ ଆଇରନ ଡୋମ୍ ଟକ୍କର ଦେଇ ନିଜ ସଫଳତା ପାଇଁ ସାରା ପୃଥିିବୀର ନଜର ଆକର୍ଷଣ କରିଥିଲା । ଆଇରନ ଡୋମ୍ ପୃଥିବୀର ସବୁଠାରୁ ଶକ୍ତିଶାଳୀ ମିସାଇଲ ବ୍ୟବସ୍ଥା ଭିତରୁ ଗୋଟିଏ । ପ୍ରାୟ ୯୦ପ୍ରତିଶତ ସଫଳତାର ସହ ଏହା ପ୍ରତିପକ୍ଷର ରକେଟକୁ ନଷ୍ଟ କରିବାର କ୍ଷମତା ରଖିଛି ।

ଏହାର ତିନିଟି ବିଭାଗ ରହିଛି ; ପ୍ରଥମେ ରାଡ଼ାର,ଏହା ୪ ରୁ ୭୦ କୋଲୋମିଟର ଦୂରତା ମଧ୍ୟରେ ଆସୁଥିବା ପ୍ରାୟ ୧୧୦୦ ରକେଟକୁ ଭିନ୍ନ ଭିନ୍ନ ଭାବେ ଠାବ କରିପାରିଥାଏ । ଏହାର କମାଣ୍ଡ ଓ କଣ୍ଟୋଲ୍ ସିଷ୍ଟମ୍ ଆସୁଥିବା ରକେଟ୍ କେତେ ବିପଦ ଜନକ ତାହାର ଆକଳନ କରିଥାଏ । ଯଦି ସାମା୍ନରୁ ଆସୁଥିବା ରକେଟ୍ ଦେଶର ଧନ ଜୀବନ ନଷ୍ଟ କରିବାର ଆଶଙ୍କା ସୃଷ୍ଟି କରେ, ତେବେ ଏହାର ଇଂଟରସେପ୍ଟର ନିଜ ଆଡୁ ମିସାଇଲ୍ ପଠାଇ ଆକ୍ରମଣକାରୀ ରକେଟକୁ ଆକାଶ ମାର୍ଗରେ ହିଁ ଧ୍ୱଂସ କରିଦେଇଥାଏ । ଏହାର ପରିବହନ ସହଜ ହୋଇଥିବା ବେଳେ ଏହାର ପୁନଃସଂଗଠନ ତଥା ସେଟଅପ୍ ଅଧିକ ସମୟ ସାପେକ୍ଷ ନୁହେଁ । ଇସ୍ରାଏଲ ନିଜ ରାଷ୍ଟ୍ରର ସୁରକ୍ଷା ପାଇଁ ଆଇରନ ଡୋମ୍ ସହ ସୀମାରେ ସବୁବେଳେ ସଜାଗ ରହିଥାଏ ।