କୱାଲି କାର୍ଯ୍ୟକ୍ରମରେ ଟଙ୍କା ଉଡ଼ାଇବା ପ୍ରସଙ୍ଗରେ ସଫେଇ ରଖିଲେ ମନ୍ତ୍ରୀ ସାରଦା ନାୟକ । ଟଙ୍କା ଉଡ଼ାଇବା କଥାକୁ ହାସ୍ୟାସ୍ପଦ କହିଲେ ମନ୍ତ୍ରୀ

290

କନକ ବ୍ୟୁରୋ: କୱାଲୀ ଗୀତରେ ଟଙ୍କା ଉଡ଼ାଇବା ଘଟଣାରେ ସଫେଇ ରଖିଛନ୍ତି ମନ୍ତ୍ରୀ ଶାରଦା ନାୟକ । କହିଛନ୍ତି, କୱାଲୀ ଗାୟକଙ୍କୁ ସମ୍ମାନିତ କରିବା ପାଇଁ ଜଣେ ଦର୍ଶକ ଭାବେ ମୁଁ ସେଠାକୁ ଯାଇଥିଲି । ସେଠାରେ କୱାଲି ଗାୟକ ଜଣକ, ଭାରତକୁ ବିଶ୍ୱକପ୍ ଜିତିବା ପାଇଁ ଶୁଭେଚ୍ଛା ଜଣାଇଥିଲେ । ଯେଉଁ ଟଙ୍କା ଉଡ଼ିଛି, ତାହା ମୋ ପକେଟରୁ ଯାଇନାହିଁ କି ତାହା କଳାଧନ ନୁହେଁ । ତେଣୁ ଯେଉଁମାନେ ଏହାକୁ ଟଙ୍କା ଉଡ଼ାଇବା କଥା କହୁଛନ୍ତି, ତାହା ହାସ୍ୟାସ୍ପଦ ବୋଲି ମନ୍ତ୍ରୀ କହିଛନ୍ତି । ସେହିପରି ରକ୍ତଦାନ ଶିବିର ଏବଂ ଡନ୍ ଗୀତରେ ନାଚିବା ପ୍ରସଙ୍ଗରେ ମଧ୍ୟ ସଫେଇ କରିଛନ୍ତି ଶାରଦା ନାୟକ ।

ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ଷ୍ଟେଜ ଉପରେ ମେଁ ହୁଁ ଡନ ଗୀତରେ ନୃତ୍ୟ କରି ଚର୍ଚ୍ଚାକୁ ଆସିଥିଲେ ମନ୍ତ୍ରୀ ଶାରଦା ନାୟକ । ଏବେ କୱାଲି କାର୍ଯ୍ୟକ୍ରମରେ ଟଙ୍କା ଉଡାଇ ମନ୍ତ୍ରୀ ସାରଦା ନାୟକ ପୁଣି ଚର୍ଚ୍ଚାକୁ ଆସିଛନ୍ତି । କେତେବେଳେ ମନ୍ତ୍ରୀ ୫ଶହ ଟଙ୍କିଆ ବିଡା ଉଡାଉଥାନ୍ତି, ପୁଣି କେତେବେଳେ ବିଡାରୁ ନୋଟ କାଢି ଗୋଟିଏ ପରେ ଗୋଟିଏ ଗାୟକଙ୍କ ହାତକୁ ବଢାଇ ଦେଉଥାନ୍ତି । ସୁନ୍ଦରଗଡ ହୋଟେଲ ଜେଡିଆର ଠାରେ ଆୟୋଜିତ କୱାଲି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ମୁସଲିମ ୟୁଥ କମିଟି ପକ୍ଷରୁ ଆୟୋଜିତ କୱାଲି କାର୍ଯ୍ୟକ୍ରମରେ ଗୀତ ପରିବେଷଣ କରୁଥିଲେ ରାଇସ ଅନିସ ସାବରୀ । ସୋସିଆଲ ମିଡିଆରେ ସେନସେସନ ପାଲିଟଥିବା ସାଁପ ଡସେ ତୋ ଦୋସ୍ତ ବଚାଏ । ଦୋସ୍ତ ଡସେ ତୋ କୌନ ବଚାଏ ଗୀତରେ ଉଡିଥିଲା ପୂଳାପୂଳା ଟଙ୍କା । କିଏ ୫୦୦ ଟଙ୍କିଆ ତ ଆଉ କିଏ ଶହେ, କିଏ ୨୦୦ ଟଙ୍କିଆ ନୋଟ ପୁଣି କେହି କେହି ୧୦ ଟଙ୍କିଆ, ୨୦ ଟଙ୍କିଆ ନୋଟ୍ ଉଡାଉଥିଲେ । ଏପରି କି ମନ୍ତ୍ରୀ ସାରଦା ନାୟକ ମଧ୍ୟ ପଛରେ ନଥିଲେ । ସେ ମଧ୍ୟ ଟଙ୍କା ଉଡାଇଥିଲେ ।

କେତେବେଳେ ମନ୍ତ୍ରୀ କୱାଲି ଗାୟକଙ୍କ ମୁଣ୍ଡ ଉପରେ ଟଙ୍କା ଉଡାଉଥିଲେ ତ କେତେ ବେଳେ ଗାୟକଙ୍କ ହାତକୁ ଗୋଟିଏ ପରେ ଗୋଟିଏ ନୋଟ ବଢାଇ ଦେଉଥିଲେ । ପୂର୍ବରୁ ମେଁ ହୁଁ ଡନ ଗୀତରେ ମଞ୍ଚ ଉପରେ ନାଚି ଚର୍ଚ୍ଚାକୁ ଆସିଥିବା ମନ୍ତ୍ରୀ ଏବେ ନୋଟ ଉଡାଇ ଚର୍ଚ୍ଚାକୁ ଆସିଛନ୍ତି ।