ନୀଳଗିରିରେ ରୋଚକ ରାଜନୀତି: କିଏ ହେବେ ବିଧାନସଭା ପ୍ରାର୍ଥୀ?

336

କନକ ବ୍ୟୁରୋ: ନୀଳଗିରି ରାଜନୀତି ରୋଚକ ହେବାରେ ଲାଗିଛି । ଗୋଟିଏ ପଟେ ବିଜେପି ଛାଡି ବିଜେପିରେ ଯୋଗ ଦେଇଛନ୍ତି ବିଧାୟକ ସୁକାନ୍ତ ନାୟକ, ଅନ୍ୟପଟେ ନୀଳଗିରିରେ ଶକ୍ତି ପ୍ରଦର୍ଶନ କରିଛନ୍ତି ଟିକେଟ ଆଶାୟୀ, ସନ୍ତୋଷ ଖଟୁଆ ।

ନୀଳଗିରିର ଦୁଇ ନେତା ବିଧାୟକ ସୁକାନ୍ତ କୁମାର ନାୟକ ଓ ସନ୍ତୋଷ ଖଟୁଆ । ସୁକାନ୍ତ ଭୁବନେଶ୍ୱର ଶକ୍ତି ପ୍ରଦର୍ଶନ କରି ଶଂଭବନରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡିରେ ମିଶିଥିବାବେଳେ, ସେପେଟ ନୀଳଗିରିରେ ଶକ୍ତି ପ୍ରଦର୍ଶନ କରିଛନ୍ତି ଟିକେଟ ଆଶାୟୀ ସନ୍ତୋଷ ଖଟୁଆ ।

ନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ ଓ ଦଳ ଡିଆଁ ଜୋର ଧରିଥିବାବେଳେ ନୀଳଗିରି ରାଜନୀତି ଉଷ୍ଣ ହୋଇଛି । ୨୦୧୯ରେ ବିଜେଡି ଛାଡି ବିଜେପିରୁ ପ୍ରାର୍ଥୀ ହୋଇଥିବା ସୁକାନ୍ତ ନାୟକ ପୁଣି ବିଜେଡିରେ ଯୋଗ ଦେବା ଓ ୨୦୧୯ରେ ବିଜେଡି ଟିକେଟରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା ସନ୍ତୋଷ ଖଟୁଆଙ୍କ ମଧ୍ୟରେ କିଏ ହେବ ବିଧାନସଭା ପ୍ରାର୍ଥୀ ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ସୁକାନ୍ତ ନାୟକଙ୍କୁ ବିଜେଡି ନୀଳଗିରିରୁ ବିଧାନସଭା ପ୍ରାର୍ଥୀ କରିବ କି ବାଲେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ କରିବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ହେଲେ, ଏହି ଚର୍ଚ୍ଚା ଭିତରେ ସନ୍ତୋଷ ନୀଳଗିରିରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ଆଉ ଦଳ ତାଙ୍କୁ ଟିକେଟ ଦେବ ବୋଲି କହିଛନ୍ତି ।

ବାଲେଶ୍ୱର ଲୋକସଭା ଆସନ ପାଇଁ ବିଜେପି ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ପ୍ରାର୍ଥୀ କରିଛି । କିନ୍ତୁ ବାଲେଶ୍ୱର ଲୋକସଭା ଆସନ ପାଇଁ ବିଜେଡି ଏପର୍ଯ୍ୟନ୍ତ କାହାକୁ ପ୍ରାର୍ଥୀ ଘୋଷଣା କରିନାହିଁ । ସେହିପରି ନୀଳଗିରି ବିଧାନସଭା ଆସନ ପାଇଁ ମଧ୍ୟ ବିଜେଡି ପ୍ରାର୍ଥୀ ଘୋଷଣା କରିନାହିଁ । ବହୁ ନେତାଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଥିଲେ ବି ଘୋଷଣା କରିନି ଦଳ । ତେଣୁ କିଏ ହେବେ ବିଜେଡିର ନୀଳଗିରି ବିଧାନସଭା ପ୍ରାର୍ଥୀ ସେ ନେଇ ଉଭୟଙ୍କ ସମର୍ଥକ ଦ୍ୱନ୍ଦ୍ୱରେ ପଡିଛନ୍ତି ।