ତୁଳସୀ ଚାଷ ଦେଇଛି ପରିଚୟ: ବନ ବିଭାଗରେ କାମ କରି ଅବସର ପରେ ଏହି ଚାଷ ଆପଣାଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ହରଡ଼ଖୋଲ ଗାଁର ଚାଷୀ କମଳଲୋଚନ

173

କନକ ବ୍ୟୁରୋ: ତୁଳସୀଚାଷ । ଶୁଣିଲେ ଅଡୁଆ ଲାଗୁଥିଲେ ମଧ୍ୟ ଏହା ସତ । ସାଧାରଣ ସ୍ଥାନରେ ତୁଳସୀ ଗଛ ଲାଗିଥିଲେ ମଧ୍ୟ ଆମ ନଜର ପଡେନି । କିନ୍ତୁ ଏହି ଚାଷ କରି ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସୃଷ୍ଟି କରିପାରିଛନ୍ତି ନିଜର ସ୍ୱତନ୍ତ୍ର ପରିଚୟ । ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ହରଡଖୋଲଗାଁରେ ଏକର ଏକର ଜମିରେ ଚାଷ କରି ଏହାକୁ ବିକ୍ରୀ କରି ଭଲ ଦୁଇ ପଇସା ରୋଜଗାର କରୁଛନ୍ତି ଏବଂ ଗାଁର ବହୁ ପରିବାରକୁ ରୋଜଗାରର ମାଧ୍ୟମ ଦେଇଛନ୍ତି ।

ତୁଳସୀ ଚାଷ… ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । କାରଣ ପୂଜା କରିବା ପାଇଁ ସମସ୍ତଙ୍କ ଘର ଅଗଣାରେ ତୁଳସୀ ଗଛଟିଏ ଥାଏ । ହେଲେ ଏତେ ପରିମାଣର ଗଛ ଲଗାଇ ଏହାକୁ ରୋଜଗାରର ମାଧ୍ୟମ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ହରଡ଼ଖୋଳ ଗାଁର ଚାଷୀ କମଳ ଲୋଚନ ପୁରୋହିତ । ଯୁଆଡ଼େ ଚାହିଁବ ସିଆଡ଼େ ଲାଗିଛି ତୁଳସୀ ଗଛ । ଆଉ ଏହାକୁ ତୋଳିବାରେ ଲାଗିଛନ୍ତି ଚାଷୀ ଆଉ କର୍ମଚାରୀ । ଏକ ଏକର ଜମିରେ ତୁଳସୀ ଚାଷ କରିଛନ୍ତି କମଳ ଲୋଚନ । ନୂଆ କିଛି କରିବାର ଇଛା ତାଙ୍କୁ ଏହି ଚାଷ ପ୍ରତି ଅନୁପ୍ରାଣୀତ କରିଥିଲା । ଏବେ ଏହି ଚାଷରୁ ତାଙ୍କୁ ଭଲ ରୋଜଗାର ମିଳୁଛି ।

କମଳ ଲୋଚନ ପୁରୋହିତ, ଦୀର୍ଘ ବର୍ଷ ଧରି ବନ ବିଭାଗରେ ଚାକିରି କରିବା ପରେ ୨୦୧୭ରେ ଅବସର ନେଇଥିଲେ । ଅବସର ପରେ ନିଜ ଜନ୍ମମାଟି ହରଡ଼ଖୋଲକୁ ଫେରି ତୁଳସୀ ଚାଷ ଆରମ୍ଭ କରିଥିଲେ । ପାରମ୍ପରିକ ଚାଷ ବଦଳରେ ତୁଳସୀ ଚାଷ ଆରମ୍ଭ କରିଥିଲେ କମଳ ଲୋଚନ । ଗାଁରେ ଥିବା ନିଜ ଜମିରେ ଏହି ଚାଷ ଆରମ୍ଭ କରି ସେ ଏଥିରେ ସଫଳ ହୋଇଛନ୍ତି । ତୁଳସୀ ପତ୍ର ଓ ତୁଳସୀ ତେଲ ବିକ୍ରି କରି ଭଲ ରୋଜଗାର କରୁଛନ୍ତି । ୨ରୁ ୩ ମାସ ବ୍ୟବଧାନରେ ପତ୍ରରୁ ଡିଷ୍ଟିଲେସନ୍ ପ୍ରଣାଳୀରେ ତେଲ ବାହାର କରାଯାଉଛି । ଆଉ ଏହାର ଚାହିଦା ମଧ୍ୟ ଢ଼େର ଅଧିକ ରହିଛି ।

ମହାପ୍ରଭୁ ଜଗନ୍ନାଥଙ୍କ ପ୍ରିୟ ତୁଳସୀ । ଠାକୁରଙ୍କ ପାଖରେ ଲାଗି ହେବା ସହ ତୁଳସୀରେ ଅନେକ ଔଷଧୀୟ ଗୁଣ ରହିଛି । ତେଣୁ ଲୋକମାନେ ଠାକୁର ପୂଜା ପାଇଁ ଏହାକୁ କିଣି ନେବା ସହ ଔଷଧୀୟ ବ୍ୟବହାର ପାଇଁ ଏହି ପତ୍ର କିଣିଥାଆନ୍ତି । ଯାହା ଚାଷୀଙ୍କୁ ବେଶ ଲାଭ ଦେଉଛି ।