ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ ପାଇଁ ଦଳ ଘୋଷଣା : ରୋହିତ, ବିରାଟଙ୍କୁ ବିଶ୍ରାମ; ପାଣ୍ଡ୍ୟା କ୍ୟାପଟେନ୍

200

କନକ ବ୍ୟୁରୋ : ୱେଷ୍ଟଇଣ୍ଡିଜ୍ ବିରୋଧରେ ୫ ଟିକିଆ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଉପ-ଅଧିନାୟକ ଭାବେ ଦଳରେ ସ୍ଥାନ ପାଇଛନ୍ତି ସୂର୍ଯ୍ୟକୁମାର ଯାଦବ । ସବୁଠୁ ବଡ଼ କଥା ହେଉଛି, ଯୁବ କ୍ରିକେଟର୍ ତିଲକ ବର୍ମାଙ୍କୁ ଭାରତୀୟ କ୍ରିକେଟ ଦଳରେ ସ୍ଥାନ ପାଇଛନ୍ତି ।

ସେହିପରି ଟେଷ୍ଟ ଓ ଦିନିକିଆ କ୍ରିକେଟ ପରେ ଟି-୨୦ ଦଳରେ ସାମିଲ ହୋଇଛନ୍ତି ଆଇପିଏଲ୍ରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଯଶସ୍ୱୀ ଜୟସ୍ୱାଲ୍ । ୧୫ ଜଣିଆ ଭାରତୀୟ ଦଳରେ ୱିକେଟ୍ କିପର ଭାବେ ସ୍ଥାନ ପାଇଛନ୍ତି ଇଶାନ୍ କିଶନ୍ ଓ ସଂଜୁ ସାମସନ୍ । ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ଶୁବମନ୍ ଗିଲ୍, ଅକ୍ଷର ପଟେଲ୍, ଯୁଜବେନ୍ଦ୍ର ଚହଲ୍, କୁଲଦୀପ ଯାଦବ, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ଉମ୍ରାନ ମଲିକ୍, ଅଭେଶ ଖାନ୍ ଓ ମୁକେଶ କୁମାର । ରିଙ୍କୁ ସିଂହ ଦଳରେ ସାମିଲ ହେବେ ବୋଲି ଆଶା କରାଯାଉଥିଲା । କିନ୍ତୁ ଅଜିତ ଅଗରକର୍ଙ୍କ ନେତୃତ୍ୱର ଗଠିତ ସିଲେକ୍ସନ୍ କମିଟି ତାଙ୍କ ଉପରେ ଭରସା ରଖି ପାରିନାହିଁ ।

ଇଶାନ କିଶନ ଓ ଶୁବମନ୍ ଗିଲଙ୍କ ଯୋଡ଼ି ଓପନର୍ ଭୂମିକା ତୁଲାଇବା ସମ୍ଭାବନା ରହିଥିବା ବେଳେ ମଧ୍ୟକ୍ରମ ସମ୍ଭାଳିବେ ଯଶସ୍ୱୀ ଯାଦବ, ସୂର୍ଯ୍ୟ କୁମାର ଯାଦବ ଓ ସଂଜୁ ସାମସନ୍ । ସେହିପରି ଅଲ୍ ରାଉଣ୍ଡର ଭାବେ ଅଛନ୍ତି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲ୍ । ତେବେ ଫାଷ୍ଟ ବୋଲିଂ ଭାର ରହିଛି ଅର୍ଶଦୀପ ସିଂହ ଓ ଉମ୍ରାନ ମଲିକଙ୍କ ଉପରେ, ସେମାନଙ୍କ ସହ ଅଛନ୍ତି ମୁକେଶ କୁମାର ଓ ଅଭେଶ ଖାନ୍ । ସେହିପରି ସ୍ପିନ ବୋଲର ଭାବେ ଦଳରେ ସ୍ଥାନ ପାଇଛନ୍ତି କୁଲଦୀପ ଯାଦବ ଓ ଯୁଜବେନ୍ଦ୍ର ଚହଲ । ୱେଷ୍ଟ ଇଣ୍ଡିଜ୍ରେ ଖେଳାଯିବାକୁ ଥିବା ଏହି ଟି-୨୦ ସିରିଜ୍ ଅଗଷ୍ଟ ୩ ତାରିଖରୁ ଆରମ୍ଭ ହେବ ।

ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଭାରତ ୨ଟି ଟେଷ୍ଟ, ୩ଟି ଦିନିକିଆ ଓ ୫ଟି ଟି-୨୦ ମ୍ୟାଚ ଖେଳିବ । ପ୍ରଥମ ଟେଷ୍ଟ ୧୨ରୁ ୧୬ ଜୁଲାଇ ଓ ୨ୟ ଟେଷ୍ଟ ୨୦ରୁ ୨୪ ଜୁଲାଇ ପର୍ଯ୍ୟନ୍ତ ଖେଳ ହେବ । ଦିନିକିଆ ମ୍ୟାଚ ୨୭ ଓ ୨୯ ଜୁଲାଇ ଓ ୧ ଅଗଷ୍ଟରେ ଖେଳାଯିବ । ଟି୨୦ ସିରିଜ ୩ ଅଗଷ୍ଟରୁ ଆରମ୍ଭ ହେବ । ୨ୟ ଟି୨୦ ୬ ଅଗଷ୍ଟରେ, ୩ୟ ୮ ଅଗଷ୍ଟରେ, ୪ର୍ଥ ୧୨ ଓ ୫ମ ୧୩ ଅଗଷ୍ଟରେ ଖେଳାଯିବ ।