ମେଲବର୍ଣ୍ଣରେ ଇତିହାସ ରଚିଲା ଭାରତ । ଭାରତ ପାଳିଲା ଦୀପାବଳି । ବିଶ୍ୱକପରେ ଜିତିଲା ଭାରତ, ହାରିଲା ପାକିସ୍ତାନ ।

316

କନକ ବ୍ୟୁରୋ: ତ୍ରିରଙ୍ଗାମୟ ହୋଇ ଉଠିଥିଲା ଅଷ୍ଟ୍ରେଲିଆର ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ । ବିଶ୍ୱର ଦ୍ୱିତୀୟ ସବୁଠୁ ବଡ଼ କ୍ରିକେଟ ଗ୍ରାଉଣ୍ଡରେ ୧ ଲକ୍ଷରୁ ଉଦ୍ଧ୍ୱର୍ ଦର୍ଶକଙ୍କ ଭିଡ଼ ଭିତରୁ ଉଛୁଳି ଆସୁଥିଲା ଟିମ୍ ଇଣ୍ଡିଆ, ଟିମ୍ ଇଣ୍ଡିଆର ସ୍ୱର । ଏସିଆ କପ୍ ପରାଜୟର ପ୍ରତିଶୋଧ ନେଇଛି ଭାରତ । ଟି-ଟ୍ୱେଣ୍ଟି ବିଶ୍ୱକପ୍ ମ୍ୟାଚରେ ପୁଣିଥରେ ପାକିସ୍ତାନକୁ ଧୁଳି ଚଟାଇଛି ଭାରତ । ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଯେତିକି ଉତ୍ସବ ମନାଉଥିଲେ ଭାରତୀୟ ଫ୍ୟାନ । ତା’ଠାରୁ ଢ଼େର ଅଧିକ ଥିଲା କୋଟି କୋଟି ଭାରତୀୟଙ୍କ ମନର ଆବେଗ । ଦୀପାବଳି ପୂର୍ବରୁ ବାଣ ଫୁଟାଇ ଉତ୍ସବ ମନାଇଛନ୍ତି ଦେଶବାସୀ ।

୧୬୦ ରନର ବିଜୟ ଲକ୍ଷ୍ୟକୁ ଦୃଷ୍ଟିରୁ ରଖି ବ୍ୟାଟିଂ କରିବା ପାଇଁ ପଡ଼ିଆକୁ ଓହ୍ଲାଇଥିଲେ ଅଧିନାୟକ ରୋହିତ ଶର୍ମା ଓ କେଏଲ୍ ରାହୁଲ । ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ପେସ୍ ବୋଲର ସାହିନ ଆଫ୍ରିଦି ହାତରେ ବଲ୍ ଥିଲା, ଆଉ କୋଟି କୋଟି ଭାରତୀୟଙ୍କ ଛାତି ଧଡ଼ପଡ଼ ହେଉଥିଲା । ପାକିସ୍ତାନର ଦୁଦ୍ଧର୍ଷ ବୋଲିଂ ବାହିନୀର ମୁକାବିଲା କିପରି ଟିମ୍ ଇଣ୍ଡିଆ କରିବ, ଏ ନେଇ ସମସ୍ତଙ୍କ ନଜର ରହିଥିଲା । ଭାରତର ପ୍ରଥମ ତିନି ଜଣ ବ୍ୟାଟ୍ସସ୍ୟାନ ମଧ୍ୟ ପାକିସ୍ତାନ ବୋଲିଂ ଆଗରେ ୱିକେଟ୍ ଫୋପାଡି ଦେଇଥିଲା । ରୋହିତ, ରାହୁଲ ଉଭୟ ୪ ରନ୍ ଲେଖାଏଁ କରିଥିବା ବେଳେ ସୂର୍ଯ୍ୟ କୁମାର ଯାଦବ ୧୫ ରନ୍ କରି ଫ୍ୟାଭିଲିୟନକୁ ଫେରି ଯାଇଥିଲେ । ୱିକେଟ ପତନରେ ବ୍ରେକ୍ ଦେବା ପାଇଁ ଚତୁର୍ଥ ଡାଉନରେ ବ୍ୟାଟିଂ ପାଇଁ ଅକ୍ଷର ପଟେଲଙ୍କୁ ପଠାଇଥିଲା ଭାରତ । ସେ ମଧ୍ୟ ୨ ରନରେ ରନ ଆଉଟ୍ ହୋଇଥିଲେ । ୬ ଓଭର ଗୋଟିଏ ବଲରେ ମାତ୍ର ୩୧ ରନ୍ କରିଥିଲା ଭାରତ । ଅତ୍ୟଧିକ ରକ୍ଷଣାତ୍ମକ ଖେଳ, ଟିମ୍ ଇଣ୍ଡିଆର ବ୍ୟାଟିଂ ଲାଇନକୁ ଅସ୍ତବ୍ୟସ୍ତ କରି ଦେଇଥିଲା । କିନ୍ତୁ ବିରାଟ କୋହଲିଙ୍କ ମନରେ ଅନ୍ୟ କିଛି ଚାଲିଥିଲା ।

ଗୋଟିଏ ପଟେ ୱିକେଟ ସମ୍ଭାଳି ସ୍କୋରକୁ ଆଗକୁ ବଢ଼ାଇଥିଲେ ବିରାଟ । କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟା ଭାରତୀୟ ପାଳିକୁ ସମ୍ଭାଳି ନେଇଥିଲେ । ୪୦ ରନ୍ କରିଥିବା ବେଳେ ଶେଷ ଓଭରର ପ୍ରଥମ ବଲ୍ରେ ଆଉଟ୍ ହେବା ପରେ ପୁଣିଥରେ ଖେଳର ମୋଡ ବଦଳି ଯାଇଥିଲା । ଏହାପରର ପ୍ରତ୍ୟେକ ବଲ୍ ଥିଲା ରୋମାଞ୍ଚକର । ଖେଳାଳିଙ୍କ ଉପରେ ଯେତିକି ଚାପ ରହିଥିଲା, ସେତିକି ଚାପ ଭିତରେ ଖେଳ ଦେଖୁଥିଲେ ଉଭୟ ଦେଶର ଖେଳପ୍ରେମୀ । ଛକା, ନୋ-ବଲ୍, ଦିନେଶ କାର୍ତିକଙ୍କ ୱିକେଟ୍ ସବୁକିଛି ଦେଖିବାକୁ ମିଳିଥିଲା ଶେଷ ଓଭରରେ । ତେବେ ଶେଷ ବଲ୍ରେ ବିଜୟୀ ହୋଇଥିଲା ଭାରତ । ୪ ୱିକେଟ୍ ହରାଇ ଭାରତକୁ ମିଳିଥିଲା ଏହି ସଫଳତା । ମାତ୍ର ୫୩ ବଲ୍ରେ ୮୨ ରନ୍ କରି କୋହଲି ସାଜିଥିଲେ ବିଜୟର ମହାନାୟକ । ସେଥିରେ ଥିଲା ୬ ଚୌକା, ୪ ଛକା ।

ମେଲବର୍ଣ୍ଣରେ ଯେତେବେଳେ ଭାରତ-ପାକିସ୍ତାନ ମଧ୍ୟରେ ମୁକାବିଲା ଆରମ୍ଭ ହୋଇଥିଲା, ସେତେବେଳେ ସାରା ବିଶ୍ୱର କୋଟି କୋଟି କ୍ରିକେଟ୍ ପ୍ରେମୀଙ୍କ ନଜର ଅଟକି ରହିଥିଲା । ମେଲବର୍ଣ୍ଣରେ ଖେଳ ହେଉଥିଲା, ଭାରତ-ପାକିସ୍ତାନର କୋଟି କୋଟି ଲୋକଙ୍କ ହୃଦସ୍ପନ୍ଦନ ବଢ଼ିଚାଲିଥିଲା । ପ୍ରଥମରୁ ହିଁ ବ୍ୟାଟ-ବଲ୍ର ସଂଘର୍ଷ ସମସ୍ତଙ୍କ ମନରେ ରୋମାଞ୍ଚ ଭରି ଦେଇଥିଲା । ରୋହିତ ଶର୍ମା ଟସ୍ ଜିତିବା ପରେ ପାକିସ୍ତାନଙ୍କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ଭୁବନେଶ୍ୱର କୁମାରଙ୍କ ପ୍ରଥମ ବଲ୍ ହିଁ ସୂଚାଇ ଦେଇଥିଲା, ଯେ ରୋମାଞ୍ଚକର ହେବାକୁ ଯାଉଛି ମ୍ୟାଚ୍ । ଦ୍ୱିତୀୟ ଓଭର ବୋଲି କରିବାକୁ ଆସିଥିଲେ ଭାରତର ଯୁବ ସ୍ୱିଙ୍ଗ ବୋଲର ଅର୍ଶଦୀପ ସିଂହ । କ୍ୟାରିୟରରେ ପ୍ରଥମ ବିଶ୍ୱକପ୍ ପ୍ରଥମ ବଲ୍ରେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ତଥା ପାକିସ୍ତାନର କ୍ୟାପଟେନ୍ ବାବର ଆଜମଙ୍କୁ ଖାତା ଖୋଲିବା ପୂର୍ବରୁ ଏଲବିଡବ୍ୟୁ କରି ପ୍ୟାଭିଲିୟନକୁ ଫେରାଇ ଦେଇଥିଲେ । ଦ୍ୱିତୀୟ ଓଭରରେ ଟି-୨୦ର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ମହମ୍ମଦ ରିଜୱାନଙ୍କୁ ମାତ୍ର ୪ ରନ୍ରେ ଆଉଟ୍ କରି ପାକିସ୍ତାନର ବଡ଼ ସ୍କୋର ଉପରେ ଲଗାମ ଲଗାଇ ଦେଇଥିଲେ ।

ତେବେ ତୃତୀୟ ୱିକେଟ୍ ଯୋଡ଼ି ସାନ ମାସୁଦ୍ ଓ ଇଫ୍ତିଖାର ଅହମ୍ମଦ ପାକିସ୍ତାନ ପାଳିକୁ ସମ୍ଭାଳି ନେଇଥିଲେ । ଅକ୍ଷର ପଟେଲଙ୍କ ବଲରେ ଇଫତିଖାରଙ୍କ ଗୋଟିଏ ପରେ ଗୋଟିଏ ଛକା, ଭାରତୀୟ ଫ୍ୟାନଙ୍କୁ ନିରାଶ କରି ଦେଇଥିଲା । କିନ୍ତୁ ମହମ୍ମଦ ସାମି, ଇଫ୍ତିଖାରଙ୍କ ୱିକେଟ୍ ନେବା ପରେ ପୁଣି ଥରେ ମ୍ୟାଚ ଫେରିଥିଲା ଭାରତ ପଟକୁ । ଏହା ପରେ ହାର୍ଦ୍ଦିକ ପାଣ୍ଡ୍ୟା ୩ଟି ୱିକେଟ୍ ନେଇ ପାକିସ୍ତାନକୁ ପଛରେ ପକାଇ ଦେଇଥିଲେ । ସେତେବେଳେ ପାକିସ୍ତାନର ସ୍କୋର ଥିଲା ୬ ୱିକେଟ୍ରେ ୧୧୫ । ତେବେ ସାହିନ ଆଫ୍ରିଦିଙ୍କ ଚୌକା, ଛକା ବଳରେ ସମ୍ମାନଜନକ ସ୍କୋରରେ ପହଁଚିଥିଲା ପାକିସ୍ତାନ । ସାନ ମାସୁଦ୍ ଓ ଇଫ୍ତିଖାର ଅହମ୍ମଦ ପାକିସ୍ତାନ ଉଭୟ ଅର୍ଦ୍ଧଶତକ କରିଥିବା ବେଳେ ପ୍ରଥମ ୱିକେଟର ପତନ ପରେ ଆସିଥିଲା ସାନ୍ ମାସୁଦ ଅନରାଜିତ ରହିଥିଲେ । ୮ ୱିକେଟ୍ରେ ୧୫୯ ରନ୍ରେ ଅଟକିଥିଲା ପାକିସ୍ତାନର ସ୍କୋର । ଏସିଆ କପ୍ରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଭାରତୀୟ ବୋଲିଂ ବାହିନୀର ଏହା ଥିଲା ଚିତାକର୍ଷକ ପ୍ରଦର୍ଶନ । ୧୬୦ ରନ୍ର ଟାର୍ଗେଟକୁ ଆଖି ଆଗରେ ରଖି ପଡ଼ିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ବିରାଟ କୋହଲୀଙ୍କ ଦମଦାର ପ୍ରଦର୍ଶନ ଯୋଗୁଁ ମେଲବର୍ଣ୍ଣରେ ଇତିହାସ ରଚିଲା ଭାରତ ।