ଗାଈ ଗୋବରରୁ ପରିବେଶ ଉପଯୋଗୀ ରଙ୍ଗ । ଗୃହିଣୀଙ୍କ କେମିକାଲ ବିହୀନ ରଙ୍ଗ କାରଖାନା

63

କନକ ବ୍ୟୁରୋ : ଗୋବରରୁ ପ୍ରସ୍ତୁତ ହେଉଛି ବିଭିନ୍ନ ପ୍ରକାରର ରଙ୍ଗ । ଆଜ୍ଞା ହଁ.. କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏଭଳି ଏକ ସୁନ୍ଦର ପରିକଳ୍ପନା କରି ଏହାକୁ ବାସ୍ତବତାର ରୂପ ଦେଇଛନ୍ତି ବରଗଡ଼ ଅମ୍ବାପାଲିର ଜଣେ ଗୃହିଣୀ ଦୂର୍ଗା ପ୍ରିୟଦର୍ଶିନୀ । ଘର ତିଆରି କରିବା ପରେ ଏହାକୁ ଆକର୍ଷଣୀୟ କରିବା ପାଇଁ ଆମେ କାନ୍ଥରେ ଭଳିକି ଭଳି ରଙ୍ଗ ଲଗାଇଥାଉ । ସାଧାରଣତଃ ଏହି ରଙ୍ଗରେ ପାରଦ, ଆର୍ସେନିକ୍, କାଡନିୟମ ପରି କ୍ଷତିକାରକ ରସାୟନରେ ପ୍ରସ୍ତୁତ ହୋଇଥାଏ । ଆଉ ଶରୀର ଉପରେ କୁପ୍ରଭାବ ପକାଇଥାଏ । ପୂର୍ବରୁ ଆମ ପୂର୍ବ ପୁରୁଷ ମାନେ ବାସଗୃହ କାନ୍ଥ ଓ ଚଟାଣକୁ ଗାଇ ଗୋବରରେ ଲିପାପୋଛା କରୁଥିଲେ । ଆଉ ଏହା ବେଶ ସ୍ୱାସ୍ଥ୍ୟ ଉପଯୋଗୀ ଥିଲା । ଏହି କନସେପ୍ଟକୁ ନେଇ ଦୁର୍ଗାପ୍ରିୟଦର୍ଶିନୀ ଆରମ୍ଭ କରିଛନ୍ତି ଗୋବରରୁ ପ୍ରସ୍ତୁତ କେମିକାଲ ବିହିନ ରଙ୍ଗ କାରଖାନା । ରୋଇଶାଳାରୁ ପାଲଟିଛନ୍ତି ଶିଳ୍ପପତି ।

ହରିୟାଣା ଝାଂଜର ଗାଁର ଏକ ଡାଏରୀ ଫାର୍ମରେ ୬ ମାସ ଧରି ଗବେଷଣା କରୁଥିଲେ ଦୁର୍ଗା । ଅଧିକାଂଶ ସମୟ ଗାଇ ଗୋବର ନଷ୍ଟ ମଧ୍ୟ ହୋଇଥାଏ । ତେଣୁ ଏଥିରେ କ’ଣ କରିହେବ ସେ ଜାଣିବାକୁ ଚେଷ୍ଟା କରିଥିଲେ । ପରେ ଗୋବରରୁ ରଙ୍ଗ ତିଆରି ହେଉଥିବା ଜାଣିବା ପରେ ବରଗଡ଼ ସୋହେଲା ବ୍ଲକ ପିପଲଖୁଂଟା ଠାରେ ରଙ୍ଗ କାରଖାନା କରି ସେ ଏଥିରେ ସଫଳତା ପାଇଛନ୍ତି । ଏଥିରେ କୌଣସି କେମିକାଲ ମିଶୁନଥିବାରୁ ଲୋକେ ମଧ୍ୟ କିଣି ନେଉଛନ୍ତି । ରାଜ୍ୟ ତଥା ରାଜ୍ୟ ବାହାରେ ଏହାର ଚାହିଦା ମଧ୍ୟ ବଢୁଛି ।

ନିଜେ ସ୍ୱାବଲମ୍ବୀ ହୋଇ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାର ନିଶା ଦୁର୍ଗାଙ୍କୁ ଆଣିଦେଇଛି ଏଭଳି ସଫଳତା । ପରିବେଶ ଉପଯୋଗୀ ରଙ୍ଗ ତିଆରି କରି ଜଣେ ସାଧାରଣ ଗୃହିଣୀରୁ ଶିଳ୍ପପତି ହୋଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।