ଗୁହାରୀ ଜଣାଇବାକୁ ଯାଇଥିବା ବେଳେ ସମସ୍ତଙ୍କ ସାମ୍ନାରେ ମହିଳାଙ୍କୁ ଚାପୁଡା ମାରିଲେ ମନ୍ତ୍ରୀ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ କଂଗ୍ରେସର ଦାବି

120

କନକ ବ୍ୟୁରୋ : ମହିଳାଙ୍କୁ ସମ୍ମାନ, ମହିଳାଙ୍କୁ ଅଧିକାର ନେଇ ଅଗଷ୍ଟ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରେ ଅନେକ ଉପଦେଶ ଦେଲେ । ମହିଳାଙ୍କୁ ଅସମ୍ମାନ ଓ ମହିଳାଙ୍କ ପାଇଁ ତୁରନ୍ତ ନ୍ୟାୟର ବ୍ୟବସ୍ଥା କରାଯାଇଥିବା କଥା ସରକାର ଡେଙ୍ଗୁରା ପିଟୁଛନ୍ତି । ହେଲେ ଆଜି କର୍ଣ୍ଣାଟକର ଜଣେ ମନ୍ତ୍ରୀ ତଥା ବିଜେପି ନେତା ଯେଭଳି ଭାବେ ଗୁହାରି କରିବାକୁ ଆସିଥିବା ଜଣେ ମହିଳାଙ୍କୁ ସର୍ବସମ୍ମୁଖରେ ଚାପୁଡା ମାରିଛନ୍ତି ତାହା ଦେଶପାଇଁ ଏକ ଲଜ୍ଜାଜନକ ଘଟଣା ।

କର୍ଣ୍ଣାଟକ ସରକାରରେ ରାଜସ୍ୱମନ୍ତ୍ରୀ ଥିବା ଭି. ସୁମନ୍ନା ଜଣେ ମହିଳାଙ୍କୁ ସର୍ବ ସମ୍ମୁଖରେ ଚାପୁଡା ମାରୁଥିବାର ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି । ସମାଚାର ଏଜେନ୍ସି ଏଏନଆଇ ମୁତାବକ କର୍ଣ୍ଣାଟକର ଜମରାଜନଗର ଜିଲ୍ଲା ଗୁଣ୍ଡୁଲପେଟ ଠାରେ ଜମି ପଟ୍ଟା ବାଣ୍ଟିବାକୁ ମନ୍ତ୍ରୀ ଆସିଥିଲେ । ହେଲେ ମହିଳା ଜଣଙ୍କୁ ଜମି ପଟ୍ଟା ମିଳିନଥିବାରୁ ସେ କାନ୍ଦି କାନ୍ଦି ମନ୍ତ୍ରୀଙ୍କ ନିକଟରେ ପହଂଚି ଗୁହାରି କରିଥିଲେ । ହେଲେ ଭୋଟ ଦାତାଙ୍କ ଦୟାରେ ଲୋକପ୍ରତିନିଧି ହୋଇଥିବା ମନ୍ତ୍ରୀ ଜଣଙ୍କ ଗୁହାରି ଶୁଣିବେ କଣ ମହିଳା ଜଣଙ୍କୁ ଏକ ଚାପୁଡା ମାରିଥିଲେ । ଏହାପରେ ବି ମହିଳା ଜଣଙ୍କ ମନ୍ତ୍ରୀଙ୍କ ପାଦ ଛୁଉଁଥିବାର ଦୃଶ୍ୟ ଭିଡିଓରେ ଦେଖିବାକୁ ମିଳିଛି ।

ଏଭଳି ଘଟଣା ଦେଶପାଇଁ ଲଜ୍ଜାଜନକ ହୋଇଥିବା ବେଳେ ମନ୍ତ୍ରୀଙ୍କ ଉପରେ କିଛି ଫରକ ପଡିନାହିଁ । ଏନେଇ ବିରୋଧୀ କଂଗ୍ରେସ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । କଂଗ୍ରେସ ପ୍ରବକ୍ତା ରଣଦୀପ ସୁରଜୱାଲା ଏହି ଘଟଣାରେ ସିଧା ସଳଖ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ବସବରାଜ ବୋମଇ ମନ୍ତ୍ରୀଙ୍କୁ ନୋଟିସ କରିଥିବା କଥା କୁହାଯାଉଛି ।