ଏଥର ଟି-୨୦ ବିଶ୍ୱକପ୍ ଜିତିବ ଭାରତ! ୨୦୧୧ ବିଶ୍ୱକପର ସଂଯୋଗ ବଢାଇଲା ଚର୍ଚ୍ଚା

217

କନକ ବ୍ୟୁରୋ: ମିଶନ୍ ମେଲବର୍ଣ୍ଣ ଲକ୍ଷ୍ୟରେ ଏବେ ବିଶ୍ୱର ୧୨ଟି ଟିମ୍ । ଟି-୨୦ ୱାଲ୍ଡକପ୍ ଜିତିବା ପାଇଁ ଏବେ ସବୁ ଟିମ୍୍ କସରତ କରୁଥିବାବେଳେ, ସୋସିଆଲ୍ ମିଡିଆରେ କିଛି ପୋଷ୍ଟ ଚର୍ଚ୍ଚା ସାଉଂଟିଛି । ୨୦୧୧ ବିଶ୍ୱକପର ସଂଯୋଗ ସହ ୨୦୨୨ ଟି-୨୦ ବିଶ୍ୱକପ ମେଳ ଖାଉଥିବାରୁ ଭାରତ ପୁଣି ଥରେ ବିଶ୍ୱ ଚାମ୍ପିୟନ୍ ହେବ । ଆଉ ଟିମ୍ ଇଣ୍ଡିଆର କ୍ୟାପଟେନ୍ ପୁଣିଥରେ ଟି-୨୦ ଟ୍ରଫି ଟେକି ଧରିବବେ ବୋଲି ଚର୍ଚ୍ଚା ଜୋର ଧରିଛି ।

୨୦୨୨ରେ ଭାରତ ଟି-୨୦ ବିଶ୍ୱକପ୍ ଜିତିବାର ଚାନ୍ସ ଅଧିକ ହେବା ପଛର କାରଣ…କିଛି ସଂଯୋଗ ବୋଲି କୁହାଯାଉଛି । ଯାହାକି ପୂରାପୂରି ଭାବେ ୨୦୧୧ ବିଶ୍ୱକପ୍ ସହ ମେଳ ଖାଉଛି । ତେବେ ଜାଣିରଖିବା ଉଚିତ୍ ଯେ, ୨୦୧୧ ହେଉଛି ସେହି ବର୍ଷ, ଯେଉଁ ବର୍ଷ ଭାରତ ଦୀର୍ଘ ୨୮ ବର୍ଷ ପରେ ଦିନିକିଆ ବିଶ୍ୱକପ୍ ଜିତିଥିଲା । ଆଉ ଏହି ଘଟଣାର ଏବେ ପୁଣିଥରେ ପୁନରାବୃତି ହେବା ସହ ୧୫ ବର୍ଷ ପରେ ଭାରତ ପୁଣିଥରେ ଟି-୨୦ ବିଶ୍ୱକପ୍ ଜିତିବ ବୋଲି ସୋସିଆଲ୍ ମିଡିଆରେ ଚର୍ଚ୍ଚା ହେଉଛି ।

ନଜର ପକାନ୍ତୁ, ୨୦୧୧ ଆଉ ୨୦୨୨ ବିଶ୍ୱକପ୍ ଭିତରେ କଣ ରହିଛି ସମାନ ସଂଯୋଗ…

ସଂଯୋଗ ନମ୍ବର ୧ – ଲିଗ୍ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକାଠୁ ଭାରତ ପରାସ୍ତ

୨୦୧୧ ମସିହା ଭାରତରେ ଆୟୋଜିତ ହୋଇଥିଲା ଦିନିକିଆ । ଯେଉଁଥିରେ ଭାରତ ଚାମ୍ପିୟନ୍ ହୋଇଥିଲା । ହେଲେ ଏହି ବିଶ୍ୱକପରେ ଭାରତ ଗୋଟିଏ ଦଳଠୁ ହିଁ ମ୍ୟାଚ୍ ହାରିଥିଲା । ତାହା ହେଉଛି ଦକ୍ଷିଣ ଆଫ୍ରିକା । ୫୦ ଓଭର ବିଶିଷ୍ଟ ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୯୬ ରନ୍ କରିଥିବାବେଳେ, ସାଉଥ୍ ଆଫ୍ରିକା ୭ ୱିକେଟ୍ ହରେଇ ଲକ୍ଷ୍ୟ ପୂରଣ କରିଥିଲା । ଆଉ ୨୦୨୨ ଟି-୨୦ ବିଶ୍ୱକପରେ ମଧ୍ୟ ସେହି ସମାନ ଘଟଣା ଦେଖିବାକୁ ମିଳିଛି । ଲିଗ୍ ପଯ୍ୟାୟରେ ଭାରତ…ଦକ୍ଷିଣ ଆଫ୍ରିକାଠୁ ପରାସ୍ତ ହୋଇଛି । ତେଣୁ ସୋସିଆଲ୍ ମିଡିଆରେ ଭାରତ ୨୦୧୧ ବିଶ୍ୱକପ୍ ଭଳି ଏଥର ବି ବିଶ୍ୱ ଚାମ୍ପିୟନ୍ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

ସଂଯୋଗ ନମ୍ବର ୨ – ଦୁର୍ବଳ ଆର୍ୟଲ୍ୟାଣ୍ଡଠୁ ଇଂଲଣ୍ଡ ପରାସ୍ତ

୨୦୧୧ ବିଶ୍ୱକପ୍ ଆଉ ୨୦୨୨ ବିଶ୍ୱକପ୍ ଭିତରେ ଆଉ ଗୋଟିଏ ସମାନ ସଂଯୋଗ ରହିଛି । ୧୧ ବର୍ଷ ତଳେ ହୋଇଥିବା ସେହି ବିଶ୍ୱକପରେ ମଧ୍ୟ, ଦୁର୍ବଳ ଆର୍ୟଲ୍ୟାଣ୍ଡ ଦଳ ସମସ୍ତଙ୍କୁ ଚମକାଇ, ଇଂଲଣ୍ଡକୁ ହରେଇ ଦେଇଥିଲା । ଆଉ ଚଳିତ ବିଶ୍ୱକପରେ ମଧ୍ୟ ସେହି ସମାନ ସ୍ଥିତି ଦେଖିବାକୁ ମିଳିଛି । ଲିଗ୍ ଷ୍ଟେଜରେ ଇଂଲଣ୍ଡ ମ୍ୟାଚ୍ ହାରିଥିବାବେଳେ, ଆର୍ୟଲ୍ୟାଣ୍ଡ ମ୍ୟାଚ୍ ଜିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବର୍ଷା ବାଧିତ ଏହି ମ୍ୟାଚରେ ଆର୍ୟଲ୍ୟାଣ୍ଡ ଡକ୍ ୱର୍ଥ ନିୟମରେ ଇଂଲଣ୍ଡକୁ ୫ ରନରେ ପରାସ୍ତ କରିଛି ।

ସଂଯୋଗ ନମ୍ବର ୩ – ସମାନ ଟିମ୍ ସହ ଟିମ୍ ଇଣ୍ଡିଆର ପ୍ରାଟିସ୍

୨୦୧୧ ବିଶ୍ୱକପ୍ ଆଉ ୨୦୨୨ ବିଶ୍ୱକପ୍ ଭିତରେ ସମାନତା ଥିବାର ଆଉ ଗୋଟିଏ ଉଦାହରଣ ଉପରେ ନଜର ପକାନ୍ତୁ । ୨୦୧୧ ବିଶ୍ୱକପରେ ଭାରତ ଦୁଇଟି ପ୍ରାଟିସ୍ ମ୍ୟାଚ୍ ଖେଳିଥିଲା । ଯାହା ଭିତରୁ ଗୋଟିଏ ଅଷ୍ଟ୍ରେଲିଆ ସହ ଥିବାବେଳେ, ଆଉ ଗୋଟିଏ ନ୍ୟୁଜିଲାଣ୍ଡ ସହ ଥିିଲା । ୨୦୨୨ ବିଶ୍ୱକପରେ ମଧ୍ୟ ସେହି ସମାନ୍ ଟିମ ସହ ଭାରତ ନିଜର ପ୍ରାଟିସ୍ ମ୍ୟାଚ୍ ଖେଳିଛି । ଯାହାକି ଏକ ସଂଯୋଗ ଅଟେ । ତେଣୁ ଭାରତ ୨୦୧୧ ବିଶ୍ୱକପରେ ଯେମିତି ବିଶ୍ୱକପ୍ ଜିତିଥିଲା, ସେହି ସଂଯୋଗ ୨୦୨୨ରେ ମଧ୍ୟ ଦେଖିବାକୁ ମିଳିପାରେ ବୋଲି କ୍ରିକେଟ୍ ପ୍ରେମୀ ଆଶା ରଖିଛନ୍ତି ।

ସଂଯୋଗ ନମ୍ବର ୪ – ଚାମ୍ପିୟନ୍ ହେବା ପୂର୍ବରୁ ଲିଗରୁ ବିଦାୟ

୨୦୧୧ ବିଶ୍ୱକପରେ ଚାମ୍ପିୟନ୍ ହେବା ପୂର୍ବରୁ ଭାରତ ୨୦୦୭ ବିଶ୍ୱକପରେ କିନ୍ତୁ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଥିଲା । ଯେଉଁ କାରଣରୁ ଦଳ ଲିଗ୍ ଷ୍ଟେଜରୁ ବିଶ୍ୱକପରୁ ବିଦାୟ ନେବା ସହିତ ଘରକୁ ବାହୁଡିଥିଲା । ତେବେ ଏହା ପରବର୍ତୀ ବିଶ୍ୱକପରେ କିନ୍ତୁ ଭାରତ ଚାମ୍ପିୟନ୍ ହେବା ସହିତ ୨୦୧୧ରେ ବିଶ୍ୱକପ୍ ଜିତିଥିଲା । ତେଣୁ ୨୦୨୧ ବିଶ୍ୱକପରେ ଭାରତ ଲିଗ୍ ଷ୍ଟେଜରୁ କଟିଥିବାରୁ, ଏଥର ୨୦୨୨ରେ ଦଳ ଚାମ୍ପିୟନ୍ ହେବାର ସଂଯୋଗ ରହିଛି ବୋଲି ଅନେକ କହିବା ଆରମ୍ଭ କରିସାରିଲେଣି ।

ସଂଯୋଗ ନମ୍ବର ୫ – ଲିଗ୍ ମ୍ୟାଚରେ ଭାରତ ବନାମ ନେଦରଲ୍ୟାଣ୍ଡ

୨୦୧୧ ବିଶ୍ୱକପ ଆଉ ୨୦୨୨ ବିଶ୍ୱକପ୍ ଭିତରେ ଥିବା ୫ମ ସଂଯୋଗ ଉପରେ ଥରେ ନଜର ପକାନ୍ତୁ । ୨୦୧୧ ବିଶ୍ୱକପରେ ନେଦରଲ୍ୟାଣ୍ଡ, ଟିମ୍ ଇଣ୍ଡିଆ ସହିତ ଗୋଟିଏ ଗ୍ରୁପରେ ଥିଲା । ଆଉ ୨୦୨୨ ବିଶ୍ୱକପରେ ମଧ୍ୟ ସମାନ ନେଦରଲ୍ୟାଣ୍ଡ ଟିମ୍ ଇଣ୍ଡିଆ ସହ ସମାନ୍ ଗ୍ରୁପରେ ସ୍ଥାନ ପାଇଛି । ଖାଲି ସେତିକି ନୁହେଁ, ଦୁଇଟି ଯାକ ବିଶ୍ୱକପରେ ଦଳ ଲିଗ୍ ଷ୍ଟେଜରେ ନେଦରଲ୍ୟାଣ୍ଡକୁ ପରାସ୍ତ ବି କରିଛି । ତେଣୁ ସଂଯୋଗ କୁହାଯାଉ ପଛେ,୨୦୧୧ ବିଶ୍ୱକପରେ ଯାହା ଯାହା ହେଇଥିଲା, ୨୦୨୨ ବିଶ୍ୱକପରେ ମଧ୍ୟ ସେହି ସମାନ ଘଟଣାବଳୀ ଦେଖିବାକୁ ମିଳୁଛି । ତେଣୁ ୨୦୧୧ରେ ଭାରତ ବିଶ୍ୱକପ୍ ଚାମ୍ପିୟନ୍ ହେଲାଭଳି, ୨୦୨୨ରେ ମଧ୍ୟ ଭାରତ ବିଶ୍ୱ ଚାମ୍ପିୟନ୍ ହେବାର ସଂଯୋଗ ସୃଷ୍ଟି ହୋଇଛି । ଆଉ ଯଦି ଏପରି ହୁଏ, ତେବେ ୨୦୦୭ ପରେ ଭାରତ ଦ୍ୱିତୀୟ ଥର ପାଇଁ ଟି-୨୦ ବିଶ୍ୱକପ୍ ଚାମ୍ପିୟନ୍ ହେବ । ଆଉ ୨୦୧୩ ପରେ ଭାରତ ପ୍ରଥମ ଥର ପାଇଁ କୌଣସି ଏକ ଆଇସିସି ଟୁର୍ଣ୍ଣାମେଂଟ ଜିତିବ ।