ସୁପ୍ରିମକୋର୍ଟଙ୍କ ଆଦେଶ ପରେ ତୁରନ୍ତ ମୁକୁଳିଲେ ଇମ୍ରାନ ଖାନ, କୋର୍ଟ କହିଲେ ଇମ୍ରାନଙ୍କୁ ଗିରଫ କରିବା ବେଆଇନ

291

କନକ ବ୍ୟୁରୋ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଜେଲରୁ ମୁକୁଳିଛନ୍ତି । ତାଙ୍କ ଗରଫଦାରୀକୁ ବେଆଇନ କହି ତୁରନ୍ତ ତାଙ୍କୁ ଜେଲରୁ ମୁକୁଳାଇବାକୁ ସୁପ୍ରିମକୋର୍ଟ ଆଦେଶ ଦେଇଥିଲେ । କୋର୍ଟଙ୍କ ଆଦେଶ ପରେ ତାଙ୍କୁ ତୁରନ୍ତ ଜେଲରୁ ଖଲାସ କରାଯାଇଛି ।

ଅଲ-କାଦିର ଟ୍ରଷ୍ଟ ମାମଲାରେ ମଙ୍ଗଳବାର ଦିନ ଇମ୍ରାନ ଖାନଙ୍କୁ ପାକିସ୍ତାନ ରେଞ୍ଜର୍ସ ଗିରଫ କରିଥିଲା । ଇସଲାମାବାଦ କୋର୍ଟ ପରିସରରୁ ତାଙ୍କୁ ଜୋର ଜବରଦସ୍ତ ଗିରଫ କରାଯାଇଥିଲା । ଏହି ମାମଲାରେ ସୁପ୍ରିମକୋର୍ଟ କହିଥିଲେ କି କୋର୍ଟ ପରିସରରୁ ଜଣେ ପୂର୍ବ ପ୍ରଧାନମନ୍ତ୍ରୀଙ୍କୁ ଗିରଫ କରିବା ଅପମାନଜନକ । ଏଣୁ ନ୍ୟାସନାଲ ଆକାଉଣ୍ଟବିଲିଟି ବ୍ୟୁରୋକୁ କୋର୍ଟ ଆଦେଶ ଦେଇଥିଲେ କି ତୁରନ୍ତ ଇମ୍ରାନ ଖାନଙ୍କୁ ଖଲାସ କରାଯାଉ ।

କେବଳ ସୁପ୍ରିମକୋର୍ଟ ନୁହଁନ୍ତି ଏହା ବ୍ୟତୀତ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆରିଫ ଅଲବୀ ମଧ୍ୟ ପ୍ରଧାନମନ୍ତ୍ରୀ ଶହାବାଜ ଶରିଫଙ୍କୁ ଚିଠି ଲେଖି ଇମ୍ରାନ ଖାନଙ୍କୁ ଯେଭଳି ଭାବେ ଗିରଫ କରାଗଲା ତା ଉପରେ ଆପତ୍ତି ଉଠାଇଥିଲେ ।

ସେପଟେ ଇମ୍ରାନ ଖାନଙ୍କ ଗିରଫ ପରେ ତାଙ୍କ ସମର୍ଥକ ମାନେ ରାଜ୍ୟପାଳଙ୍କ ବାସଭବନରେ ନିଆଁ ଲଗାଇ ଦେବା ସହ ସେନା ମୁଖ୍ୟାଳୟ ଭିତରେ ପଶି ଭଙ୍ଗାରୁଜା କରିଥିଲେ । ଇମ୍ରାନଙ୍କ ଗିରଫ ପରେ ପୁରା ପାକିସ୍ତାନ ଅଶାନ୍ତ ହୋଇପଡିଥିଲେ । ଏନେଇ ଉପୁଜିଥିବା ହିଂସାରେ ଅନେକ ଲୋକ ପ୍ରାଣ ହରାଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି ।