ପୂର୍ବତନ ବିଧାୟକ ସନାତନ ମହାକୁଡଙ୍କ ଘରେ ଆଇଟି ରେଡ୍ । ୧୦ଟି ସ୍ଥାନରେ ରେଡ କରିଛି ଆୟକର ବିଭାଗ ।

3,009

କନକ ବ୍ୟୁରୋ: ପୁଣି ଚର୍ଚ୍ଚାରେ ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ । ସନାତନ କେନ୍ଦୁଝରର ଜଣେ କ୍ଷମତାଶାଳୀ ନେତା ତଥା ଖଣି ବ୍ୟବସାୟୀ । ତାଙ୍କର ଭୁବନଶ୍ୱେର ଘର ସମେତ ୧୦ଟି ସ୍ଥାନରେ ଆୟକର ବିଭାଗ ଚଢାଉ ଜାରି ରଖିଛି । ସନା ମହାକୁଡ କେନ୍ଦୁଝରର ଖଣି ଅଞ୍ଚଳରେ ବେଶ ପ୍ରଭାବଶାଳୀ । କୁହାଯାଏ, ସନାଙ୍କ ବିନା ନିର୍ଦ୍ଦେଶରେ ଖଣି ଅଞ୍ଚଳରେ ପତ୍ର ବି ହଲେନି । ଜିଲ୍ଲା ରାଜନୀତିରେ ତାଙ୍କର ଅଖଣ୍ଡ ପ୍ରଭାବ ରହିଛି ।

ସନା ମହାକୁଡ ୨୦୧୪ରୁ ୨୦୧୯ ଯାଏଁ ଚମ୍ପୁଆ ବିଧାନସଭାରୁ ସ୍ୱାଧୀନ ବିଧାୟକ ଥିଲେ । ଏହି ନିର୍ବାଚନରେ ବିଜେଡି ଟିକେଟ ପାଇ ମଧ୍ୟ ତାଙ୍କ ଠାରୁ ହାରିଥିବା ହାସ୍ୟ ଅଭିନେତା ପପୁ ପମପମ ସେତେବେଳେ କହିଥିଲେ, ଚମ୍ପୁଆରେ ନବୀନ ପଟ୍ଟନାୟକ ମଧ୍ୟ ସନାଙ୍କଠାରୁ ହାରିଯାଇପାରନ୍ତି , ଯାହା ଚର୍ଚ୍ଚା ସୃଷ୍ଟି କରିଥିଲା । ପୂର୍ବରୁ ଏଭଳି କିଛି ଘଟିଛି ଯାହାକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି ସନାତନ ମହାକୁଡ ଆଉ ନିଜର ଦବଦବା ବି ଜାହିର କରିଛନ୍ତି ।

ଚର୍ଚ୍ଚାରେ ସନାତନ ମହାକୁଡ
୨୦୧୮ରେ ବିଧାୟକ ଥିବା ସମୟରେ ସନା ମହାକୁଡଙ୍କ ପାଞ୍ଚଟି ବ୍ୟାଙ୍କ ଆକାଉଣ୍ଟରୁ ୧୬୫ କୋଟି ଜବତ ହୋଇଥିଲା । ୫ଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ କରାଯାଇଥିଲା ।

-ଜଣେ ବ୍ୟାଙ୍କ କର୍ମଚାରୀ ସନାତନ ଘରକୁ ୫୦ ଲକ୍ଷ ଟଙ୍କା ନେଇ ଯାଉଥିବାବେଳେ ବାସୁଦେବପୁର ନିକଟରେ ମାଡିବସିଥିଲା ପୁଲିସ । ଏହି ଘଟଣାରେ ୩ ଜଣ ଗିରଫ ହୋଇଥିଲେ । ଆଉ ବ୍ୟାଙ୍କ କର୍ମଚାରୀ କିମ୍ବା ସନା ଏହାର ହିସାବ ଦେଇପାରିନଥିଲେ ।

-୨୦୧୬ରେ ଏକ ଖଣି କମ୍ପାନୀର ଜାଗା ଉପରେ ସନା ମହାକୁଡ ଘର କରିବା ଅଭିଯୋଗ ଆସିଥିଲା

-କେନ୍ଦୁଝର ଜିଲ୍ଲା ପ୍ରଶାସନ ଘରକୁ ଭାଙ୍ଗିବାକୁ ନିଷ୍ପତି ନେଇଥିଲା କିନ୍ତୁ ସନାତନ ମହାକୁଡ ପ୍ରଶାସନର ନିଷ୍ପତ୍ତି ଉପରେ ରହିତାଦେଶ ଆଣିଥିଲେ

-ଗୁହାଳ ଘରେ ଏସି ଲଗାଇ ଚର୍ଚ୍ଚାରେ ଥିଲେ ସନାତନ ମହାକୁଡ

ତେବେ କିଛିଦିନ ପୂର୍ବରୁ ତାଙ୍କ ଫ୍ରିଜ ହୋଇଥିବା ଟଙ୍କା ରିଲିଜ କରାଯାଇଥିବାବେଳେ ପୁଣି ଆୟକର ବିଭାଗର ଚଢାଉକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଆଗକୁ ନିର୍ବାଚନ ଥିବାରୁ ଏହା ପଛରେ ରାଜନୈତିକ ଉଦ୍ଦେଶ୍ୟ ଥିବା ବି କୁହାଯାଉଛି ।