କନକ ବ୍ୟୁରୋ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ନବୀନଙ୍କୁ ଭେଟିବା ପରେ ସମସ୍ତଙ୍କ ନଜର ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ନବୀନଙ୍କ ଭେଟଘାଟକୁ । କାରଣ ମୋଦୀ ବିରୋଧୀ ମେଣ୍ଟ ପାଇଁ ଦେଶର ତୁଙ୍ଗନେତାମାନେ ନବୀନଙ୍କୁ ଭେଟୁଛନ୍ତି । ଆଉ ଏ ନେଇ ବିଭିନ୍ନ କଳ୍ପନା ଜଳ୍ପନା ପ୍ରକାଶ ପାଉଛି । କିନ୍ତୁ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ବିରୋଧୀ ସାମୁଖ୍ୟ ନେଇ ଉଠୁଥିବା ପ୍ରଶ୍ନ ଉପରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି –
ପ୍ରଧାନମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ମାକ୍ଷାତ ଥିଲା
କୌଣସି ରାଜନୈତିକ ଆଲୋଚନା ହୋଇନାହିଁ
ପ୍ରଧାନମନ୍ତ୍ରୀଙ୍କ ନିକଟରେ ୪ଟି ଦାବି ରଖିଛି ଓଡ଼ିଶା
ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ସ୍ଥାପନ
ଭାରତ ନେଟ୍ ଫେଜ୍-୨ରେ ଓଡ଼ିଶାକୁ ସାମିଲ
ଅସଂପୂର୍ଣ୍ଣ ଜାତୀୟ ରାଜପଥଗୁଡ଼ିକର ନିର୍ମାଣ ଶୀଘ୍ର ଶେଷ କରିବା
ଓଡ଼ିଶାର ୩,୯୫୪ ଗ୍ରାମ ପଂଚାୟତରେ ବ୍ୟାଙ୍କ ସେବା ଯୋଗାଇଦେବା ପାଇଁ ଦାବି

ନବୀନ-ମୋଦୀଙ୍କ ଭେଟଘାଟ, ରାଜନୈତିକ ଦୃଷ୍ଟିରୁ କେତେ ଗୁରୁତ୍ୱପୂର୍ଣ୍ଣ, ତାହାହିଁ ବଡ଼ ପ୍ରଶ୍ନ । ଯଦିଓ ନବୀନ କହିଛନ୍ତି କୌଣସି ରାଜନୈତିକ ଆଲୋଚନା ହୋଇନାର୍ହି । ତଥାପି ଏଥିରେ ରାଜନୈତିକ ଗନ୍ଧ ବାରିଛନ୍ତି ସମୀକ୍ଷକ ।

ଗୋଟିଏ ପଟେ ବିରୋଧ ମେଣ୍ଟରେ ସାମିଲ ପାଇଁ ଓଡ଼ିଶା ଆସି ନବୀନଙ୍କୁ ଭେଟୁଛନ୍ତି ବିରୋଧୀ ଦଳର ତୁଙ୍ଗନେତା । ଅନ୍ୟପଟେ ସମଦୂରତାର ରାଜନୀତିରେ ଅଟକି ରହିଛନ୍ତି ବିଜେଡି ସୁପ୍ରିମୋ । ତେବେ ଏହାକୁ ସନ୍ଦେହ ଦୃଷ୍ଟିରେ ଦେଖିଛି କଂଗ୍ରେସ । ଓଡ଼ିଶାରେ କଳି ଚାଲିଥିବା ବେଳେ ଦିଲ୍ଲୀରେ କୋଳାକୋଳି ହେଉଛନ୍ତି ବିଜେଡି ଓ ବିଜେିପି, ଏପରି କହି କଟାକ୍ଷ କରିଛନ୍ତି କଂଗ୍ରେସ । ତେବେ ବିଜେଡି କହିଛି, ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ଓ ରାଜ୍ୟ ଭିତରେ ଭଲ ସମ୍ପର୍କ ରହିଲେ, ରାଜ୍ୟର ବିକାଶ ହେବ ।

ଗତବର୍ଷ ମେ’ ୩୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେତେବେଳେ ମଧ୍ୟ ଏହାକୁ ସୌଜନ୍ୟମୂଳକ ସାକ୍ଷାତ କହିଥିଲେ ନବୀନ । ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏହି ଭେଟଘାଟ, ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି । କାରଣ ବିରୋଧୀ ସାମୁଖ୍ୟ ନେଇ ଜାତୀୟ ସ୍ତରରେ ଜୋରଦାର ଅଙ୍କକଷା ଚାଲିଥିବା ବେଳେ ନବୀନଙ୍କ ଭୂମିକା ଉପରେ ନଜର ରଖିôଛି ସାରା ଦେଶ ।