ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ ଜିରୋ ଟଲରେନ୍ସ ନୀତି : ଲାଞ୍ଚ ନେଇ ଧରାପଡିବା ପରେ ନିଲମ୍ବିତ ହେଲେ ଆଇଏଏସ ଅଧିକାରୀ

358

କନକ ବ୍ୟୁରୋ : ଲାଞ୍ଚ ନେଇ ନିଲମ୍ବିତ ହୋଇଛନ୍ତି ଆଇଏଏସ ଅଫିସର ।  ସରକାରୀ କର୍ମଚାରୀ ଲାଞ୍ଚ ନେଇ ଜେଲ୍ ଯିବା ଆପଣ ଜାଣିଥିବେ । ଜେଇ ଠାରୁ ଆରମ୍ଭ କରି କିରାଣୀ ଓ ଅନ୍ୟ ଅଧିକାରୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିବା ନିତିଦିନିଆ କାହାଣୀ । ହେଲେ ଆଜି ଲକ୍ଷେ ଟଙ୍କାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି ଆଇଏଏସ୍ ଅଫିସର୍ । ଉଦ୍ୟାନ କୃଷି ବିଭାଗ ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗିରଫ ହେବା ପରେ ତାଙ୍କୁ ନିଲମ୍ବନ କରିଛନ୍ତି ସରକାର ।

ଦେଶର ସବୁଠୁ ମର୍ଯ୍ୟାଦାଜନକ ଚାକିରି ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ ହୋଇ, ଦେଶ ସେବା କରିବାକୁ ପ୍ରତିଶ୍ରୁତି ଦେଇଥିବା ଏହି ଅଫିସର ନିଜ ବୃତ୍ତିରେ କଳଙ୍କର ଦାଗ ଳଗାଇ ଦେଇଛନ୍ତି । ଲକ୍ଷେ ଟଙ୍କା ଲାଞ୍ଚ ନେଉଥିଲେ ଆଇଏଏସ୍ ଅଫିସର ବିଜୟକେତନ ଉପାଧ୍ୟାୟ । ତେବେ ପୂର୍ବରୁ ସୂଚନା ପାଇ ପ୍ରସ୍ତୁତ ରହିଥିଲା ଭିଜିଲାନ୍ସ । ଟଙ୍କା ନେବା ବେଳେ ଧରା ପଡ଼ିଥିଲେ ଏହି ଆଇଏଏସ ଅଧିକାରୀ । ଏହା ପରେ ତାଙ୍କୁ କାର୍ଯ୍ୟରୁ ନିଳମ୍ବନ କରାଯାଇଛି ।

ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ହୋଇଛି ସବୁଠୁ ବଡ଼ କାର୍ଯ୍ୟାନୁଷ୍ଠାନ । ଲାଞ୍ଚ ନେଇ ଧରାପଡ଼ିବା ପରେ ଆଇଏଏସ୍ ଅଧିକାରୀ ବିଜୟ କେତନ ଉପାଧ୍ୟାୟଙ୍କୁ ନିଲମ୍ବନ କରିଛନ୍ତି ସରକାର । କେବଳ ତଳତଳିଆ କର୍ମଚାରୀ ନୁହେଁ, ଆଇଏଏସ୍ ଅଫିସର୍ଙ୍କ ବିରୋଧରେ ବି ସରକାର ନେଇଛନ୍ତି କଠୋର ଆଭିମୁଖ୍ୟ । ସେପଟେ ତାଙ୍କର ଘର, ଶ୍ୱଶୁର ଘର, ଅଫିସ, ସରକାରୀ ବାସଭବନ ଉପରେ ଏକ କାଳୀନ ଚଢ଼ାଉ କରିଛି ଭିଜିଲାନ୍ସ ।

୧୦ ବର୍ଷର ଚାକିରି ଭିତରେ ଏହି ଆଇଏଏସ ଅଫିସରଙ୍କ ସଂପତି ଦେଖି ତାଜୁବ ହୋଇଯାଇଛନ୍ତି ଭିଜିଲାନ୍ସ ଅଧିକାରୀ । ତାଙ୍କର ସୋରସ୍ଥିତ ବାସଭବନ ଉପରେ ୨ଟି ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛନ୍ତି । ଏହି ସମୟ ମଧ୍ୟରେ କେତେ ସଂପତି ଅର୍ଜନ କରିଛନ୍ତି, ଚାଲିଛି ଖୋଳତାଡ଼ । ସେହିପରି ତାଙ୍କ ଶ୍ୱଶୁର ଘର ଓ ହର୍ଟିକଲଚର ଅଫିସ ଉପରେ ବି ଭିଜିଲାନ୍ସ ରେଡ୍ କରିଛି । ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ଉପରେ ଛାପା ମାରି ଆୟ ବହିର୍ଭୁକ୍ତ ସଂପତି ଆକଳନ କରୁଛି ଭିଜିଲାନ୍ସ । ଦୀର୍ଘଦିନ ଧରି ସଂଦେହ ଘେରରେ ଥିଲେ ଆଇଏଏଏସ ଅଧିକାରୀ ବିଜୟକେତନ ଉପାଧ୍ୟାୟ । ତାଙ୍କର ପ୍ରତ୍ୟେକ ଗତିବିଧି ଉପରେ ନଜର ରଖିଥିଲା ଭିଜିଲାନ୍ସ ।