ନିର୍ବାଚନରେ ହାରିବା ପରେ ଟାହିଟାପରା । ସ୍ୱାମୀଙ୍କ ଆତ୍ମହତ୍ୟା, ଦଶାହରେ ଆଖିବୁଜିଦେଲେ ପତ୍ନୀ

139

କନକ ବ୍ୟୁରୋ : ନିର୍ବାଚନରେ ହାରିବା ପରେ ଅସହ୍ୟ ହେଲା ଟାହିଟାପରା । ପରାଜିତ ପ୍ରାର୍ଥୀଙ୍କ ସ୍ୱାମୀ ବିଷ ପିଇ ଆତ୍ମହତ୍ୟା କରିଦେବା ପରେ ଆତ୍ମହତ୍ୟା ଉଦ୍ୟମ କରିଥିବା ସ୍ତ୍ରୀ ମଧ୍ୟ ପ୍ରାଣ ହରାଇଛନ୍ତି । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ପଦ୍ମପୁର ପଞ୍ଚାୟତରୁ ଏଭଳି ଦୁଃଖଦ ଖବର ସାମ୍ନାକୁ ଆସିବା ପରେ ପ୍ରଶ୍ନ ଉଠୁଛି ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇ ଥିବା ଅଭିଯୋଗରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ କି?

ସହିପାରିଲେନି ବିଜୟ ପ୍ରାର୍ଥୀ ସମର୍ଥକଙ୍କ ଟାହିଟାପରା । ଆତ୍ମହତ୍ୟା କରିଦେଲେ ସ୍ୱାମୀ । ଆଉ ସ୍ୱାମୀଙ୍କ ଦଶାହରେ ଆଖିବୁଜିଦେଲେ ଆତ୍ମହତ୍ୟା ଉଦ୍ୟମ କରିଥିବା ପତ୍ନୀ ସୁମତୀ ପରିଡା । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତରୁ ଏଭଳି ଦୁଃଖଦ ଖବର ସାମ୍ନାକୁ ଆସିବା ପରେ ଆଲୋଡନ ଖେଳିଯାଇଛି ।

ପଦ୍ମପୁର ପଞ୍ଚାୟତରେ ଗତ ୧୩ ତାରିଖରେ ବିଜେଡିର ବିଜୟ ଶୋଭାଯାତ୍ରା ଚାଲିଥିଲା । ଆଉ ହାରିଥିବା ସମିତି ସଭ୍ୟା ପ୍ରାର୍ଥୀ ସୁମତୀ ପରିଡାଙ୍କ ଘର ଆଗରେ ଶୋଭାଯାତ୍ରା ଯାଉଥିବାବେଳେ ସୁମତୀଙ୍କ ସ୍ୱାମୀ ରମାକାନ୍ତ ପରିଡା ଘର ଆଗରେ ଛିଡା ହୋଇଥିଲେ । ଆଉ ତାଙ୍କୁ ଦେଖି ଶୋଭାଯାତ୍ରାରେ ଯାଉଥିବା ସମର୍ଥକ ତାଙ୍କୁ ଟାହିଟାପରା କରିଥିଲେ । ଫଳରେ ରମାକାନ୍ତ ଆତ୍ମହତ୍ୟା କରିଦେଇଥିଲେ । ଏହାପରେ ସୁମିତୀ ମଧ୍ୟ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ଘଟଣା ନେଇ ଥାନାରେ ଦାୟର ହୋଇଥିବା ମାମଲାରେ ୬ ଜଣଙ୍କ ନାଁ ରହିଛି । ଏମାନେ ହେଲେ ଅଶୋକ କୁମାର ନାୟକ, କୃପାସିନ୍ଧୁ ନାୟକ, ମନୋଜ ରାୟ, ରଶ୍ମିକାନ୍ତ ନାୟକ ଓ ତପନ କୁମାର ନାୟକ । ତେବେ ପ୍ରଶ୍ନ ଉଠୁଛି…..

  • ଏମାନଙ୍କ ବିରୋଧରେ ସଙ୍ଗୀନ ଦଫା ଲାଗିବ କି ?
  • ପୁଲିସ କିଛି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବ କି?

ବାସୁଦେବପୁର ଅଞ୍ଚଳର ଏହି ଘଟଣାରେ ପରିବାର ଲୋକେ ହତବାକ ହୋଇଯାଇଛନ୍ତି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଏବେ ଅପେକ୍ଷା ଏ ବାବଦରେ ପୁଲିସ ଆଗକୁ କି କାର୍ଯ୍ୟାନୁଷ୍ଠାନ ନେଉଛି ।