୨ ବର୍ଷ ପରେ ହଟିବ ମହାମାରୀ ଆଇନ । ସଂକ୍ରମଣ କମୁଥିବାରୁ ମାର୍ଚ୍ଚ ୩୧ରୁ ଆଇନକୁ ହଟାଇବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ।

113

କନକ ବ୍ୟୁରୋ : ଦୁଇ ବର୍ଷ ପରେ ହଟିବ ମହାମାରୀ ଆଇନ୍ । କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇବା ପରେ ଦୁଇ ବର୍ଷ ତଳେ କେନ୍ଦ୍ର ସରକାର ଲଗାଇଥିବା ସମସ୍ତ କୋଭିଡ୍ କଟକଣାକୁ ଆସନ୍ତା ମାର୍ଚ୍ଚ ୩୧ ତାରିଖରୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି । ସଂକ୍ରମଣ ହ୍ରାସ ପାଇଥିବାରୁ କେନ୍ଦ୍ର ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି । ୨୦୨୦ ମସିହା ମାର୍ଚ୍ଚ ୨୪ ତାରିଖରେ ଡିଜାଷ୍ଟର ମ୍ୟାନେଜମେଣ୍ଟ ଆକ୍ଟ-୨୦୦୫ ଆଧାରରେ ପ୍ରଥମଥର ଲାଗି ମହାମାରୀ ଆଇନ୍ ଲାଗୁ କରିଥିଲେ କେନ୍ଦ୍ର ସରକାର ।

ପରବର୍ତ୍ତୀ ସମୟରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହି ଆଇନରେ କିଛି ପରିବର୍ତ୍ତନ କରାଯାଇଥିଲା । ତେବେ ଏହି ଆଇନ୍ ଚଳିତ ମାସ ଶେଷରେ ହଟିବ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏ ନେଇ କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି ।

ଚିଠିରେ ସେ ଉଲ୍ଲେଖ କରିଛନ୍ତି, ୨୪ ମାସ ଧରି ମହାମାରୀକୁ ଚିହ୍ନଟ କରିବା ଏବଂ ଏହାର ଉପଚାର ପାଇଁ ସରକାର ଅନେକ ମହତ୍ୱପୂର୍ଣ୍ଣ ପଦକ୍ଷେପ ଉଠାଇଛନ୍ତି, ଯେପରି ଟିକାକରଣ, ହସ୍ପିଟାଲର ଭିତ୍ତିଭୂମି ବିକାଶ ଉପରେ ଗୁରତ୍ୱ ଦିଆଯାଇଥିଲା । ଏବେ ଜନସାଧାରଣ କୋଭିଡର ମୁକାବିଲା ପାଇଁ ସଚେତନ ହୋଇସାରିଛନ୍ତି । ଗତ ସାତ ସପ୍ତାହ ଧରି ନୂଆ ସଂକ୍ରମଣ ମାମଲାରେ ଖୁବହ୍ରାସ ପାଇଛି । ମାର୍ଚ୍ଚ ୨୨ ତାରିଖ ସୁଦ୍ଧା ଦେଶରେ ୨୩,୯୧୩ ଜଣ କୋଭିଡ୍-୧୯ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି ଏବଂ ସଂକ୍ରମଣ ହାର ୦.୨୮ ପ୍ରତିଶତ ରହିଛି । ସେହିପରି ଏପର୍ଯ୍ୟନ୍ତ ସମଗ୍ର ଦେଶରେ ୧୮୧ କୋଟି ୫୬ ଲକ୍ଷ ଟିକାକରଣ କରାଯାଇଛି । ତେବେ କଟକଣା ହଟିଲେ ବି ମୁହଁରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ପାଳନ କରିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର ।