କ୍ୟାମେରା ଦେଖିଲା ବନ୍ୟା ବିଭୀଷିକା । ମହାନଦୀରେ ବନ୍ୟା ଯୋଗୁଁ ଶତାଧିକ ଗାଁରେ ପଶିଲା ପାଣି । ଫଶି ରହିଛନ୍ତି ହଜାର ହଜାର ଲୋକ ।

108

କନକ ବ୍ୟୁରୋ: କ୍ୟାମେରା ଦେଖୁଛି ବନ୍ୟା ବିଭୀଷିକା । ଯଦିଓ ବଡ ବନ୍ୟାକୁ ଏଡାଇ ଦେବାକୁ ସରକାର ସବୁ ପ୍ରକାର ଉଦ୍ୟମ କରୁଛନ୍ତି । ହେଲେ ତଳିଆ ଅଞ୍ଚଳରେ କିନ୍ତୁ ପାଣି ପଶିବା ଆରମ୍ଭ ହୋଇଛି । ମହାନଦୀର ବନ୍ୟା ପାଣି ବିଭିନ୍ନ ସ୍ଥାନରେ ଘଳିଆ ସୃଷ୍ଟି କରିବା ସହ ଗାଁଗଣ୍ଡାକୁ ବୁଡାଇ ସାରିଲାଣି । ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାର ଅଧିକାଂଶ ସ୍ଥାନରେ ଲୋକଙ୍କ ଘରେ ପାଣି ପଶିଛି । କେତେକ ଅଞ୍ଚଳରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଇଥିବା ବେଳେ ଆଉ କେତେକ ଅଞ୍ଚଳରୁ ଲୋକଙ୍କ ଦୁର୍ଦଶାର ଚିତ୍ର ସାମ୍ନାକୁ ଆସିବାରେ ଲାଗିଛି ।

ମହାନଦୀ ଓ ଏହାର ଶାଖା ନଦୀ ଗୁଡିକରେ ବନ୍ୟା ଆସିବା ଫଳରେ ସୃଷ୍ଟି ହୋଇଛି ଅଭାବନୀୟ ପରିସ୍ଥିତି । ତଳିଆ ଅଞ୍ଚଳରେ ଥିବା ପ୍ରାୟ ୧୦ଟି ଜିଲ୍ଲାର ବହୁ ଗାଁରେ ପାଣି ପଶି ଯାଇଛି । ପାଣି ଘେରରେ ଫସି ରହିଛନ୍ତି ହଜାର ହଜାର ଲୋକେ । ଆଉ ସେହି ସବୁ ସ୍ଥାନରୁ ଆସିବାରେ ଲାଗିଛି ବନ୍ୟା ପ୍ରଭାବିତଙ୍କ ହିନସ୍ତାର ଚିତ୍ର ।

ବାଙ୍କୀ: ମହାନଦୀରେ ବନ୍ୟା ଆସିବା ଫଳରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି କଟକ ଜିଲ୍ଳାର ବାଙ୍କୀ ଅଞ୍ଚଳ । ବାଙ୍କୀର ବିଭିନ୍ନ ଗାଁରେ ପାଣି ପଶି ଯିବା ସହ ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ହୋଇଛି । ରାସ୍ତା ଉପରେ ପାଞ୍ଚରୁ ଛଅ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି । ଗାଁ ଦାଣ୍ଡରେ ଲହଡି ଭାଙ୍ଗୁଛି ପାଣି ଘର ଭିତରେ ବି ପାଣି ପଶିଯାଇଛି । ଜଳସ୍ତର ବଢ଼ୁଥିବାରୁ ତଳିଆ ଅଞ୍ଚଳରେ ଥିବା ଲୋକେ ଘର ଦ୍ୱାର ଛାଡି ସ୍କୁଲ ଘରେ ଆଶ୍ରୟ ନେଇଛନ୍ତି ।

ଆଠଗଡ : ବନ୍ୟା କେତେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି ଆଠଗଡ ଅଞ୍ଚଳର ଦୃଶ୍ୟ ଦେଖିଲେ ହିଁ ଆପଣ ଅନୁମାନ କରିପାରିବେ । ପାଣି ଭିତରେ କାର ଚଳାଇ ପାର ହେବାକୁ ଉଦ୍ୟମ କରିବାବେଳେ ଭାସି ଯାଇଥିଲେ ଚାଳକଙ୍କ ସମେତ ୪ ବ୍ୟକ୍ତି । ଭାସି ଯିବା ପରେ କାର ଉପରେ ଚଢ଼ି ଜୀବନ ବଞ୍ଚାଇବାକୁ ଉଦ୍ୟମ କରୁଛନ୍ତି ।

ବୌଦ୍ଧ : ରାତିରେ ଶୋଇଥିବା ବେଳେ ଘରେ ପଶି ଯାଇଥିଲା ବନ୍ୟା ପାଣି । ପାଣି ପଶିଯିବା ପରେ ବନ୍ୟା ଘେରରେ ରହିଥିଲେ ଛୋଟ ପିଲା, ଗର୍ଭବତୀ ମହିଳା, ଓ ବୟସ୍କ ଲୋକେ । ଖବର ପାଇ ସେମାନଙ୍କୁ ବୋଟ ସହାୟତାରେ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀର କର୍ମଚାରୀ ।

ଜଟଣୀ, ଖୋର୍ଦ୍ଧା: ବନ୍ୟା ଜଳ ଘରେ ପଶି ଯିବାରୁ ଫସି ରହିଛନ୍ତି ଶହ ଶହ ଲୋକ । ଗାଁ ଦାଣ୍ଡରେ ବେକେ ଉଚ୍ଚର ପାଣି ପ୍ରବାହିତ ହେଉଥିବାରୁ ଘରୁ ବାହାରିବା ମୁସ୍କିଲ ହୋଇପଡିଛି । ଆଉ ଖବର ପାଇଁ ସେମାନଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀର କର୍ମଚାରୀ ।

ଗରଦପୁର, କେନ୍ଦ୍ରାପଡା : ମହାନଦୀର ଶାଖା ନଦୀ ଚିତ୍ରୋତ୍ପଳାରେ ଜଳସ୍ତର ବଢ଼ିବା ଫଳରେ ବିଭିନ୍ନ ନଦୀ କୂଳିଆ ଅଞ୍ଚଳରେ ଥିବା ଲୋକଙ୍କ ଘରେ ପାଣି ପଶି ଯାଇଛି । ଆଉ ବନ୍ୟା ଜଳ ଭିତରେ ଫସି ରହିଛନ୍ତି ବହୁ ସଂଖ୍ୟାରେ ଲୋକେ ।

କଣାସ, ପୁରୀ: ପୁରୀ କଣାସ ନିକଟରେ ଦୟା ନଦୀ ଉପରେ ସୃଷ୍ଟି ହୋଇଛି ଘାଇ । ଘାଇ ସୃଷ୍ଟି ହେବା ପରେ ପ୍ରଖର ସ୍ରୋତ ଯୋଗୁଁ ମୁହଁରେ ଥିବା ଏକ ତାଳ ଗଛକୁ ଦିଆସିଲ ଘର ଭଳି ଭସାଇ ନେଉଛନ୍ତି ପାଣି ସୁଅ ।

କେନ୍ଦ୍ରାପଡା : ଲୁଣା କରାଣିଆରେ ଜଳସ୍ତର ବଢ଼ିବା ଯୋଗୁଁ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ, ଗରଦପୁର ବ୍ଲକର ବିଭିନ୍ନ ଗାଁରେ ପାଣି ପଶି ଯାଇଛି । ଗାଁ ଗୁଡିକ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଛିନ୍ନ ହୋଇଯାଇଛି । ଆହୁରି ପାଣି ଆସୁଥିବାରୁ ସ୍ଥାନୀୟ ଅଧିକାରୀଙ୍କ ଉପସ୍ଥିତିରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ ।

କୁଜଙ୍ଗ. ଜଗତସିଂହପୁର: ଜଗତସିଂହପୁର କୁଜଙ୍ଗ ବ୍ଳକ ସାଇଲୋ ପଞ୍ଚାୟତ ହରିପୁର ଓ ଭଣ୍ଡୁଆ ଗାଁରେ ବନ୍ୟାପାଣି ପଶିଛି । ଗାଁକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ୧୦ ଫୁୁଟର ପାଣି ପ୍ରବାହିତ ହେବା ସହ ହରିପୁର ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି । ହୀରାକୁଦରୁ ଛଡା ଯାଇଥିବା ପାଣି ପହଁଚୁଥିବାରୁ ଜଳସ୍ତର ଆହୁରି ବଢ଼ିବା ଆଶଙ୍କା ରହିଛି । ଯାହା ଲୋକଙ୍କ ଚିନ୍ତାକୁ ବଢ଼ାଇ ଦେଇଛି ।