ମହାନଦୀରେ ବନ୍ୟା ବିପଦ ଆହୁରି ୪୮ ଘଣ୍ଟା । ମୁଣ୍ଡଳୀରେ ପ୍ରବାହିତ ହେଉଛି ୧୨ ଲକ୍ଷ କ୍ୟୁସେକ୍ ଜଳ ।

110

କନକ ବ୍ୟୁରୋ: ମହାନଦୀରେ ବଡ ଧରଣର ବନ୍ୟା ଏଡାଇବାକୁ ଉଦ୍ୟମ ହେଉଛି କିନ୍ତୁ ମଧ୍ୟମ ଧରଣର ବନ୍ୟା ଅଧିକ ସମୟ ରହିବାର ଆଶଙ୍କା ବଢିଯାଇଛି । ଉଭୟ ଜଳସମ୍ପଦ ମୁଖ୍ୟଯନ୍ତ୍ରୀ ଓ ଏସଆରସି କହିଛନ୍ତି, ଆଗାମୀ ୪୮ ଘଣ୍ଟା ବେଶ ଗୁରୁତ୍ୱପୂର୍ଣ୍ଣ । ତେଣୁ ନଦୀବନ୍ଧଗୁଡିକ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଉ ଏପଟେ ପର୍ଯ୍ୟାୟକ୍ରମେ ଖୋଲୁଛି ହୀରାକୁଦର ଗେଟ୍ । ଗତକାଲି ୨୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିବା ବେଳେ ଆଜି ଆଉ ୧୪ଟି ଗେଟ ଖୋଲିବାକୁ ନିଷ୍ପତ୍ତି ହୋଇଛି । ସନ୍ଧ୍ୟା ସୁଦ୍ଧା ୧୦ଟି ଗେଟ ଖୋଲାଯିବା ପରେ ହୀରାକୁଦରୁ ୩୬ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ରାତି ସୁଦ୍ଧା ଆଉ ୪ଟି ଗେଟ ଖୋଲାଯିବ ବୋଲି ଜଣାପଡିଛି ।

ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୨୫.୦୪ ଫୁଟ ରହିଛି । ଜଳଭଣ୍ଡାରକୁ ୭ ଲକ୍ଷ ୮୫ ହଜାର ୨୯୧ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୪ ଲକ୍ଷ ୩୪ ହଜାର ୮ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।  ଏପଟେ ମୁଣ୍ଡଳିରେ ସନ୍ଧ୍ୟା ସୁଦ୍ଧା ୧୧ ଲକ୍ଷ ୩୬ ହଜାର ୯୩୬ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଆଜି ଖୋଲା ଯାଉଥିବା ୧୪ଟି ଗେଟ ଦେଇ ଅତିରିକ୍ତ ବନ୍ୟା ଜଳ ୩୬ ଘଣ୍ଟାରେ ମୁଣ୍ଡଳିରେ ପହଞ୍ଚିବ । ସେତେବେଳକୁ ପିକ୍ ଫ୍ଲଡ ଅତିକ୍ରମ କରିସାରିଥିବାରୁ ଆଉ ବଡ ଧରଣର ବନ୍ୟା ବିପଦ ରହିବ ନାହିଁ ବୋଲି ଆଶା କରାଯାଉଛି । ହେଲେ ଜଳସମ୍ପଦ ବିଭାଗର ବନ୍ୟା ପରିଚାଳନାକୁ ଦେଖିଲେ ଲାଗୁଛି, ମଧ୍ୟମ ଧରଣର ବନ୍ୟା ଦୀର୍ଘ ସମୟ ରହିପାରେ । କାରଣ ଆଗକୁ ଆଉ ଏକ ଲଘୁଚାପ ଅଛି, ଯାହା ପ୍ରଭାବରେ ଆସନ୍ତା ୧୮ ତାରିଖରୁ ବର୍ଷା ଆରମ୍ଭ ହୋଇଯିବ ।