ମନ ମୋହୁଛି ହୁକିଟୋଲା: ଅବହେଳିତ ପ୍ରାଚୀନ ନୌବାଣିଜ୍ୟର ମୁକସାକ୍ଷୀ , ପ୍ରଚାର ପ୍ରସାର ଦାବିରେ ସ୍ଥାନୀୟ ବାସିନ୍ଦା

139

କନକ ବ୍ୟୁରୋ: ବିସ୍ତୀର୍ଣ୍ଣ ସବୁଜ ବନାନୀ । ଚାରିପଟେ ନିଳାମ୍ଭୁ ଚିଲିକା ଘେରା ନୀଳ ଜଳରାଶି । ହେନ୍ତାଳ ବଣର ପାଦଦେଶକୁ ଛୁଇଁଯାଉଛି ହ୍ରଦର ହାତଧରି ଯାଉଥିବା ଚୁନାଚୁନା ଢେଉ । ଏପରି ମନୋରମ ଦୃଶ୍ୟରେ ଯେ କେହିବି ଆନମନା ନହୋଇ ରହିନପାରେ ।

 ଏ ହେଉଛି ପ୍ରାଚୀନ ନୌବାଣିଜ୍ୟର ମୁକସାକ୍ଷୀ ହୁକିଟୋଲା । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକର ଏକ ଅନନ୍ୟ ପର୍ଯ୍ୟଟନସ୍ଥଳୀ । ବଙ୍ଗୋପସାଗର ଓ ଗୋବରୀ ନଦୀର ମୁହାଣରେ ଥିବା ଏହି ପର୍ଯ୍ୟଟନସ୍ଥଳୀର ଦୃଶ୍ୟ ନିଆରା । ଘନ ସବୁଜିମା ଓ ପ୍ରଶସ୍ତ ଜଳରାଶି ଆଉ ହେନ୍ତାଳ ବଣର ସୁରକ୍ଷା ମଝିରେ ଥିବା ଏହି ସ୍ଥାନଟି ବାସ୍ତବରେ ମନୋଜ୍ଞ । ଯେଉଁଠୁ ଦିନେ ଇଂରେଜମାନେ ଆରମ୍ଭ କରିଥିଲେ ନୌବାଣିଜ୍ୟ । । ସେ ଐତିହ୍ୟସ୍ଥଳୀ ଏବେ ଅଣଦେଖା ହୋଇ ପଡ଼ିଛି, ଆଉ ଲାଗୁଛି ହଜି ହଜି ଯାଉଛି ହୁକିଟୋଲାର ହୃଦୟକୁ ଛୁଇଁଯାଉଥିବା ସୌନ୍ଦର୍ଯ୍ୟ ।

ଏଠାକୁ ଆସିବାକୁ ରହିଛି ବୋଟିଂ ବ୍ୟବସ୍ଥା । ପର୍ଯ୍ୟଟକଙ୍କ ପାଇଁ ରହିଛି ୯ ବଖରା ବିଶିଷ୍ଟ ଗେଷ୍ଟ ହାଉସ୍ । ଇଂରେଜ ଅମଳରେ ନିର୍ମିତ ଏହାର ଗଠନ ପ୍ରଣାଳି ବି ସ୍ୱତନ୍ତ୍ର୍ନ । ଏହାର କାନ୍ଥ ଗୁଡିକ କଟକ ବାରବାଟି ଦୁର୍ଗ ଏବଂ ବାରଙ୍ଗର ଚୁଡଗଙ୍ଗଗଡରୁ ଆସିଥିବା ପଥରରେ ନିର୍ମିିତ । ପାଖରେ ରହିଛି ଲୌହ କମାଣ । ଯାହା ମନେ ପକାଇଦିଏ ବ୍ରିଟିଶ୍ ଶାସନ କଥା । ହେଲେ ରକ୍ଷଣାବେକ୍ଷଣ ଅଭାବରୁ ଏସବୁ ଏବେ ଜରାଜୀର୍ଣ୍ଣ।

 ହ୍ରଦ ମଧ୍ୟକୁ ଯିବାକୁ ରହିଛି ଏକ ଭାସମାନ ଜେଟି । ଆଲୋକକରଣ ଓ ଜଳଯୋଗାଣ ପାଇଁ ରହିଛି ସୋଲାର ପ୍ୟାନେଲ । ବର୍ଷା ଜଳକୁ ସଂରକ୍ଷିତ କରି ବ୍ୟବହାର ଉପଯୋଗୀ କରିବାକୁ ରହିଛି ଦୁଇଟି ଗଭୀର କୁଅ ଓ ମୋଟର ବ୍ୟବସ୍ଥା ।ହେଲେ ରକ୍ଷଣାବେକ୍ଷଣ ଅଭବାରୁ ଏସବୁ ବି ଅଚଳ ପ୍ରାୟ ।

 ଏପରି ଏକ ଐତିହ୍ୟ ସମ୍ପନ୍ନ ପର୍ଯର୍୍ୟଟନସ୍ଥଳୀ ପ୍ରତି ସରକାର ଉଦାସୀନ କାହିଁକି? ୨୦୧୬ରୁ ରାଜ୍ୟ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଥିଲେ ବି ଏହାର ବିକାଶ ଦିଗରେ କ’ଣ ପାଇଁ କୌଣସି ଆଖିଦୃଶିଆ କାର୍ଯ୍ୟ ହେଉନାହିଁ? ପ୍ରଚାର ପ୍ରସାର ଅଭାବରୁ ଏପରି ଏକ ସ୍ଥାନ ଅଛି ବୋଲି ପର୍ଯ୍ୟଟକ ଅଜଣା ଥିବେ ନିଶ୍ଚିତ । ତେଣୁ ସରକାର ଓ ପର୍ଯ୍ୟଟନ ବିଭାଗ ଏହାର ବିକାଶ ପାଇଁ ଦୃଷ୍ଟି ଦେବାକୁ ମତ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା ।