ଆର୍ଥର ରୋଡ୍ ଜେଲରେ ରାତି କାଟୁଛନ୍ତି ସଞ୍ଜୟ ରାୱତ । ନୂଆ ପରିଚୟ ଏବେ କଏଦୀ ନମ୍ବର ୮୯୫୯ । ଜାଣନ୍ତୁ, ଜେଲରେ କେମିତି କଟୁଛି ସଞ୍ଜୟଙ୍କ ଦିନ…

170

କନକ ବ୍ୟୁରୋ: ଶିବସେନା ସାଂସଦ ସଞ୍ଜୟ ରାୱତ ଏବେ ଆର୍ଥର ରୋଡ ଜେଲରେ ରାତି କାଟୁଛନ୍ତି । ଜେଲରେ ତାଙ୍କୁ ଦଶ ବାଇ ଦଶର ଏକ ଅଲଗା ବାରାକ୍ ମିଳିଥିବାବେଳେ, ଏଥିରେ ଗୋଟିଏ ଶୌଚାଳୟ ଓ ସ୍ନାନାଗାର ରହିଛି । ତେବେ ଶିବସେନାର ଏହି ସାଂସଦକୁ ଜେଲରେ କିଛି ବିଶେଷ ସୁବିଧା ପ୍ରଦାନ କରାଯାଉଛି । ଜେଲରେ ତାଙ୍କ ପରିଚୟ କଏଦୀ ନମ୍ବର ୮୯୫୯ ଥିବାବେଳେ, ସଞ୍ଜୟ ରାୱତ ଜେଲରେ ବହୁ ସମୟ ଲେଖାପଢାରେ କାଟୁଥିବା ସୂଚନା ମିଳିଛି ।

ଜେଲରେ ଥିବାବେଳେ ସଞ୍ଜୟ ରାୱତ ଜିଲ୍ଲା ପ୍ରଶାସନକୁ ଏକ ନୋଟ୍ ବୁକ୍ ଓ ପେନ୍ ପାଇଁ ଦାବି କରିଥିଲେ । ଯାହାକୁ କି ମଞ୍ଜୁର କରିଦିଆଯାଇଥିଲା । ଏହାପରେ ଜେଲ ଭିତରେ ରହି ସଞ୍ଜୟ ରାୱତ ସବୁବେଳେ କିଛି ଲେଖାପଢା କରୁଥିବା ଦେଖିବାକୁ ମିଳିଛି । ଏହାସହିତ ଜେଲ ଭିତରେ ପଢିବାକୁ ସେ କିଛି ବହି ମଧ୍ୟ ଦାବି କରିଥିଲେ, ଯାହାକୁ କି ଉପଲବ୍ଧ କରାଯାଇଛି । ତେବେ ଜେଲର ନିୟମାବଳୀ ଅନୁସାରେ ଏବେ ପରିବାର ସଦସ୍ୟଙ୍କ ବ୍ୟତୀତ ଅନ୍ୟ କେହି ବି ଲୋକ ଶିବସେନାର ଏହି ନେତାଙ୍କୁ ଭେଟିପାରିବେ ନାହିଁ । କିଛି ଦିନ ତଳେ ଶିବସେନାର କିଛି ନେତା ସଞ୍ଜୟ ରାୱତଙ୍କୁ ଦେଖା କରିବାକୁ ଆସିଥିଲେ, ହେଲେ ଜେଲ ପ୍ରଶାସନ ଏଥିପାଇଁ ଅନୁମତି ଦେଇନଥିଲା । ଯାହା ଫଳରେ ସଞ୍ଜୟ ରାୱତଙ୍କୁ ଦେଖା ନକରି ଶିବସେନା ନେତାମାନେ ଫେରିଯାଇଥିଲେ ।

ବିଚାର ବିଭାଗୀୟ ହେପାଜତରେ ସଞ୍ଜୟ ରାୱତ

ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସଞ୍ଜୟ ରାୱତଙ୍କୁ ଗିରଫ କରିଥିଲା । ତେବେ ଆଠ ଦିନ ପରେ ସୋମବାର ପିଏମଏଲଏ ଅଦାଲତ ଅଗଷ୍ଟ ୨୨ ତାରିଖ ପର୍ଯ୍ୟନ୍ତ ସଞ୍ଜୟ ରାୱତଙ୍କୁ ନ୍ୟାୟିତ ହେପାଜତକୁ ପଠାଇ ଦେଇଛନ୍ତି । ତେବେ ପିଏମଏଏ କୋର୍ଟର ନ୍ୟାୟାଧୀଶ ଏମ.ଜି. ଦେଶପାଣ୍ଡେ ସେତେବେଳେ ସଞ୍ଜୟଙ୍କୁ ନ୍ୟାୟିକ ହେପାଜତକୁ ପଠାଇ ଥିଲେ, ଯେତେବେଳେ ଇଡି ୧୦୩୪ କୋଟି ଘୋଟାଲାରେ ସଞ୍ଜୟ ରାୱତଙ୍କୁ ହେପାଜତରେ ନେବା ଜରୁରୀ ନୁହେଁ ବୋଲି କହିଥିଲା ।

ସୂଚନାଯୋଗ୍ୟ ଯେ, ଜୁଲାଇ ୩୧ ତାରିଖରେ ଇଡି ସଞ୍ଜୟ ରାୱତଙ୍କ ଘର ଉପରେ ଚଢାଉ କରିଥିଲା । ଆଉ ସଞ୍ଜୟ ରାୱତଙ୍କୁ ନିଜ ହେପାଜତରେ ରଖିଥିଲା । ଏହାର ଗୋଟିଏ ଦିନ ପରେ ଶିବସେନାର ଏହି ସାଂସଦଙ୍କୁ ଇଡି ଗିରଫ କରିଥିଲା ।