ଗର୍ଭବତୀଙ୍କୁ କୋଭିଡ଼ ଟିକା ପାଇଁ କେନ୍ଦ୍ରର ମାର୍ଗଦର୍ଶିକା : ଅନ୍ୟ ମାନଙ୍କ ଭଳି ଗର୍ଭବତୀଙ୍କୁ ଟିକାଦେଲେ କରୋନାରୁ ମିଳିବ ସୁରକ୍ଷା; କରୋନାରେ ଆକ୍ରାନ୍ତ ଥିଲେ ପ୍ରସବ ପରେ ନେଇପାରିବେ ଟିକା

125

କନକ ବ୍ୟୁରୋ : ଦେଶରେ ଗର୍ଭବତୀଙ୍କୁ କରୋନା ଟିକା ଦେବାନେଇ ମାର୍ଗଦର୍ଶିକା ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଗର୍ଭଧାରଣ କଲେ ସଂକ୍ରମଣ ହେବାର ବିପଦ ବଢିନଥାଏ ବୋଲି ଏଥିରେ କୁହାଯାଇଛି । ସେହିପରି ଲକ୍ଷଣ ଥିବା ସଂକ୍ରମିତ ଗର୍ଭବତୀଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ଏବଂ ମୃତ୍ୟୁର ଆଶଙ୍କା ଅଧିକ ରହିଛି । ଅନ୍ୟମାନଙ୍କ ଭଳି ଗର୍ଭଗତୀ କରୋନାରେ ଗୁରୁତର ହେଲେ ହସ୍ପିଟାଲରେ ଭର୍ତି ହେବା ଆବଶ୍ୟକ ।

ବ୍ଲଡପ୍ରେସର ଓ ଡାଇବେଟିସ ଥିଲେ କିମ୍ବା ୩୫ ବର୍ଷରୁ ଅଧିକ ବୟସର ମହିଳା ଗର୍ଭବତୀ ହୋଇ କରୋନା ସଂକ୍ରମିତ ହେଲେ ଜୀବନ ପ୍ରତି ଅଧିକ ବିପଦ ରହିଛି । ତେଣୁ କୋଭିଡ ସମ୍ମୁଖ ଯୋଦ୍ଧା ଏବଂ ଟିକା ଦେଉଥିବା ବ୍ୟକ୍ତି ଗର୍ଭବତୀଙ୍କୁ ଟିକାର ଉପଲବ୍ଧତା, ମୂଲ୍ୟ ଓ ସତର୍କତା ନେଇ ଅବଗତ କରାଇବାକୁ ଏଥିରେ କୁହାଯାଇଛି । ଅନ୍ୟମାନଙ୍କ ଭଳି ଗର୍ଭବତୀଙ୍କୁ ମଧ୍ୟ ଟିକା କରୋନାରୁ ସୁରକ୍ଷା ଦେଇଥାଏ ବୋଲି ଜାରି ମାର୍ଗଦର୍ଶିକାରେ କୁହାଯାଇଛି । ତେବେ ଦୀର୍ଘମିଆଦୀ ପାଶ୍ୱର୍ ପ୍ରତିକ୍ରିୟା ଏବଂ ଭୃଣ ଉପରେ ଏହାର କଣ ପ୍ରଭାବ ରହିଛି ତାହା ଜଣାନାହିଁ ।