କନକ ବ୍ୟୁରୋ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ମାସକୁ ୨ଲକ୍ଷ ୭୫ ହଜାର ଟଙ୍କା ଟିକସ ଦିଅନ୍ତି । ଦିଲ୍ଲୀରୁ ଟ୍ରେନ ଯୋଗେ କାନପୁର ନିକଟ ନିଜ ପୈତୃକ ଗାଁକୁ ଗଲାବେଳେ ନିଜେ ରାଷ୍ଟ୍ରପତି ଦେଇଥିବା ଏହି ବୟାନକୁ ନେଇ ବିବାଦ ଉପୁଜିଛି । ରାଷ୍ଟ୍ରପତିଙ୍କୁ ଟିକସ ରିହାତି ମିଳେ ବୋଲି ଚର୍ଚ୍ଚା ହେଉଥିବାବେଳେ, ଆଇନରେ ଏଭଳି କୌଣସି ପ୍ରାବଧାନ ନଥିବା ଜଣାପଡିଛି ।
ରାଷ୍ଟ୍ରପତି ହେଉଛନ୍ତି ଦେଶର ପ୍ରଥମ ନାଗରିକ । ତେଣୁ ତାଙ୍କ ଦରମା ଉପରେ କଣ ଟିକସ ଲାଗିଥାଏ । ଯଦି ଲାଗିଥାଏ ସେ ମାସକୁ କେତେ ଟିକସ ଦେଉଛନ୍ତି । ସେ ସମ୍ଭାଳୁଥିବା ପଦବି ଦୃଷ୍ଟିରୁ କିଛି ଟିକସ ଲାଭ ପାଆନ୍ତି କି । ଏ ନେଇ ଏବେ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି । ଏହାର ଉତ୍ତର ଖୋଜିବାକୁ ଚେଷ୍ଟା କରାଯାଇଛି । ରାଷ୍ଟ୍ରପତିଙ୍କ ଦରମା ଏବଂ ପେନସନ ଆଇନ ୧୯୫୧ ଅନୁ ଯାୟୀ ଦରମା, ପେନସନ ଏବଂ ଅବସର ପରବର୍ତ୍ତୀ ଅନ୍ୟାନ୍ୟ ସୁବିଧା ସୁଯୋଗ ମିଳିଥାଏ । ସେହିଭଳି ରାଷ୍ଟ୍ରପତିଙ୍କ ବେତନ ଭାରତର ସଙ୍ଗଠିତ ପାଣ୍ଠିରୁ ଦିଆଯାଇଥାଏ । ୫ଲକ୍ଷ ଟଙ୍କାର ବେତନ ସହିତ ରାଷ୍ଟ୍ରପତି ଅନ୍ୟାନ୍ୟ ଭର୍ତ୍ତା ମଧ୍ୟ ପାଇଥାନ୍ତି । ଆୟକର ଆଇନ କିମ୍ବା ରାଷ୍ଟ୍ରପତିଙ୍କ ଦରମା ଆଇନ ଅନୁଯାୟୀ ରାଷ୍ଟ୍ରପତିଙ୍କୁ ଦରମାରେ ରିହାତି ଦେବାର କୈାଣସି ବାବସ୍ଥା ନାହିଁ ଏବଂ ଆୟ ଉପରେ ଟିକସ ଆଦାୟ ହୁଏ ।
ଅର୍ଥାତ ଆୟକର ଆଇନ ଅନୁଯାୟୀ, ରାଷ୍ଟ୍ରପତିଙ୍କ ଦରମା ଉପରେ କୌଣସି ରିହାତି ଦିଆଯାଏ ନାହିଁ ବରଂ ଆୟ ଉପରେ ଟିକସ ଆଦାୟ କରାଯାଏ । କେବଳ ବରିଷ୍ଠ ନାଗରିକ ହୋଇଥିଲେ ଏବଂ ନିବେଶ କରିଥିଲେ ଅନ୍ୟ ସାଧାରଣ ବ୍ୟକ୍ତିଙ୍କ ପରି ଚିକସ ରିହାତି ପାଇପାରିବେ । ତେଣୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ମାସିକ ୫ ଲକ୍ଷ ଟଙ୍କା ରୋଜଗାର ହିସାବରେ ବାର୍ଷିକ ୧୮ ଲକ୍ଷ ୪୨ ହଜାର ଟଙ୍କାର ଆୟକର ହେଉଛି । ଅର୍ଥାତ ମାସିକ ୧ ଲକ୍ଷ ୫୩ ହଜାର ଟଙ୍କା । ଯଦି ରାଷ୍ଟ୍ରପତି କୋଭିଡ ପାଇଁ ୩୦ ପ୍ରତିଶତ କମ୍ ଦରମା ନେଉଥାନ୍ତି, ତାହାହେଲେ ୫ ଲକ୍ଷ ଟଙ୍କାର ୩୦ ପ୍ରତିଶତ ଭାବେ ପ୍ରାୟ ଦେଢଲକ୍ଷ ଟଙ୍କା ଛାଡିବାକୁ ପଡୁଥିବ । ଏବଂ ଏହାକୁ ମିଶାଇ ରାଷ୍ଟ୍ରପତି ୨ଲକ୍ଷ ୭୫ ହଜାର ଟିକସ କଥା କହିଥାଇ ପାରନ୍ତି ବୋଲି ଅନୁମାନ ।