ରାଜଧାନୀରେ ହନିଟ୍ରାପ ରାକେଟ୍ । ଖୋଲିଗଲା ସୁନ୍ଦରୀ ଝିଅ ଫାସର କାହାଣୀ । ଲେଡି ବ୍ଲାକମେଲର ଗିରଫ ।

466

କନକ ବ୍ୟୁରୋ: ସୁନ୍ଦରୀ ଝିଅର ଫାସରେ ପସିଛନ୍ତି ବଡବଡିଆ । ଆଉ ଏହାର ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । କିନ୍ତୁ ଏନେଇ ଯେତିକି ରହସ୍ୟ ଖୋଲିଛି, ତା’ଠାରୁ ଆହୁରି ଅଧିକ ରହସ୍ୟ ଲୁଚି ରହିଛି । ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଫଟୋ ଭାଇରାଲ ହେବା ପରେ ହନିଟ୍ରାପର ଏକ ବଡ଼ ରାକେଟ୍ ସାମନାକୁ ଆସିଛି । ପ୍ରେମଜାଲରେ ଫସାଇ ଅନ୍ତରଙ୍ଗ ମୂହୂର୍ତ୍ତର ଭିଡିଓ ଉଠାଇ ବ୍ଲାକମେଲ କରୁଥିବା ଅର୍ଚ୍ଚନା ଦାସ ନାମକ ଜଣ ଯୁବତୀଙ୍କୁ ଗିରଫ କରିଛି କମିଶନରେଟ ପୁଲିସ । ତେବେ ସେ କିପରି ବ୍ଲାକମେଲିଂର ଷଡ଼ଯନ୍ତ୍ର ରଚି କୋଟି କୋଟି ଟଙ୍କା ଲୁଟ୍ କରିବାକୁ ଉଦ୍ୟମ କରୁଥିଲେ ତାହା ସାମ୍ନାକୁ ଆସିଛି ।

  • ରାଜଧାନୀରେ ‘ହନିଟ୍ରାପ’ର ବଡ଼ ରାକେଟ!
  • ପ୍ରେମଜାଲରେ ଫସାଇ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସୁଟ୍
  • ନେତା, ଫିଲ୍ମ ପ୍ରଯୋଜକ, ବ୍ୟବସାୟୀଙ୍କ ଠାରୁ କୋଟି କୋଟି ଟଙ୍କା ଲୁଟ!

ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ବିରୋଧରେ କାଷ୍ଟିଂ କାଉଚ୍ ଅଭିଯୋଗ ଏବଂ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ ହେବା ପରେ ହନିଟ୍ରାପର ଏକ ବଡ଼ ର୍ୟାକେଟ୍ ସାମନାକୁ ଆସିଛି । ଅର୍ଚ୍ଚନା ନାଗ ନାମକ କମ୍ ବୟସର ଏହି ଯୁବତୀ ଯେ ସାଂଘାତିକ ଅପରାଧ କରିପାରନ୍ତି, ତାହା ହୁଏତ କେହି ବିଶ୍ୱାସ କରିପାରିବେ ନାହିଁ । ନେତା, ପ୍ରଯୋଜକ ଓ ବ୍ୟବସାୟୀଙ୍କ ସହ ସୋସିଆଲ ମିଡିଆରେ ବନ୍ଧୁତା କରି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଉଠାଇ ବ୍ଲାକମେଲିଂ କରୁଥିଲେ ଏହି ଯୁବତୀ । ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହେବା ପରେ ପୋଲିସ ତାଙ୍କୁ ଗିରଫ କରିଛି ।

ଅଶ୍ଳୀଳ ଫଟୋ ଭାଇରାଲ୍ ହେବା ପରେ ଥାନାରେ ବ୍ଲାକମେଲିଂର ଅଭିଯୋଗ ଆଣିଥିଲେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା । କମିସନରେଟ୍ ପୁଲିସ ତଦନ୍ତ ଆରମ୍ଭ କରିବା ପରେ ଯେଉଁସବୁ ତଥ୍ୟ ସାମନାକୁ ଆସିଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । ହନିଟ୍ରାପର ଜାଲ ବିଛାଇ କିପରି ବ୍ଲାକମେଲିଂର ଷଡ଼ଯନ୍ତ୍ର ରଚିଥିଲା ଅର୍ଚ୍ଚନା ନାଗ, ତାହା ସାମନାକୁ ଆସିଥିଲା ।

ମିଳିଥିବା ସୂଚନା ମୁତାବକ, ଅର୍ଚ୍ଚନା ନାଗଙ୍କ ଘର କଳାହାଣ୍ଡି ଜିଲ୍ଲାରେ । ସେ ମୟୂରଭଞ୍ଜର ବେତନଟୀରେ ବିବାହ କରିଥିଲେ । ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ, ପୁରୁଣା ଭୁବନେଶ୍ୱରରେ ପୁରୁଣା ଗାଡି ବେପାର କରି ଚଳୁଥିଲେ । ପରେ ଅର୍ଚ୍ଚନା ସହ ମିଶି ଏହି ର୍ୟାକେଟ ଚଳାଉଥିଲେ ବୋଲି ଜଣାପଡିଛି । ଅର୍ଚ୍ଚନାଙ୍କୁ ପୁଲିସ ଉଠାଇ ନେବା ପରେ ସ୍ୱାମୀ ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି । ଏଥିସହ ତାଙ୍କ ଘରୁ ମୋବାଇଲ,ଲ୍ୟାପଟପ୍, ପେନ୍ ଡ୍ରାଇଭ ଜବତ କରିଛି ପୋଲିସ । ସନ୍ଦେହ କରାଯାଉଛି, ସୋସିଆଲ୍ ମିଡିଆ ଓ ବଡ଼ ବଡ଼ ହୋଟେଲ ଯାଇ ଧନୀ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଟାର୍ଗେଟ କରୁଥିଲେ ଅର୍ଚ୍ଚନା । ପ୍ରଥମେ ବନ୍ଧୁତା, ପରେ ପ୍ରେମାଳାପ କରି ସଂପର୍କ ଯୋଡୁଥିଲେ । ଏହାପରେ ଘରକୁ ନିମନ୍ତ୍ରଣ କରି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଉତ୍ତୋଳନ କରୁଥିଲେ । ଆଉ ସେହି ଭିଡିଓକୁ ଦେଖାଇ ବ୍ଲାକମେଲିଂ କରି ମୋଟା ଅଙ୍କର ଅର୍ଥ ଆଦାୟ କରୁଥିବା ଅଭିଯୋଗ ହୋଇଛି ।

ଏପରିକି ଅନ୍ୟ ସୁନ୍ଦରୀ ଯୁବତୀଙ୍କୁ ବି ସେ ଏହି ରାକେଟରେ ସାମିଲ କରିଥିଲେ । ରାଜନେତା, ବ୍ୟବସାୟୀଙ୍କୁ ପ୍ରେମଜାଲରେ ଫସାଉଥିଲେ । ଭିଡିଓ ଭାଇରାଲ କରିଦେବାର ଭୟ ଦେଖାଇ ମୋଟା ଅଙ୍କର ଟଙ୍କା ମାଗୁଥିଲେ ନିଜେ ଅର୍ଚ୍ଚନା । ରାଜଧାନୀର ପ୍ରମୁଖ ଅଞ୍ଚଳରେ ବିଳାସପୂର୍ଣ୍ଣ ଘର, ଦାମୀ ଆସବାବ ପତ୍ର, ଭଳିକି ଭଳି ଦାମୀ କାର, ରାଜକୀୟ ଜୀବନଶୈଳୀ ହିଁ ବୟାନ କରୁଛି, କେମିତି ବ୍ଲାକମେଲିଂ କରି ଅଳ୍ପ ବର୍ଷ ମଧ୍ୟରେ କୋଟି କୋଟି ଟଙ୍କା ହଡ଼ପ କରିଥିଲେ । କୁହାଯାଉଛି, ଜଣେ ହୋଟେଲ୍ ମାଲିକ, ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ମଧ୍ୟ ବ୍ଲାକମେଲିଂର ଶିକାର ହୋଇଥିଲେ । ଜଣେ ବରିଷ୍ଠ ନେତା ମଧ୍ୟ ତାଙ୍କ ସଂସ୍ପର୍ଶରେ ଥିବା ଚର୍ଚ୍ଚା ହେଉଛି । ଆହୁରି ଅନେକ ବଡ଼ ବଡ଼ ବ୍ୟକ୍ତି ମଧ୍ୟ ଅର୍ଚ୍ଚନାଙ୍କ ହନିଟ୍ରାପର ଶିକାର ହୋଇଥିବା ସୂଚନା ମିଳିଛି । କିନ୍ତୁ ଲୋକଲଜ୍ଜା ଭୟରେ ଅଭିଯୋଗ କରିବା ପାଇ ସାମନାକୁ ଆସୁନଥିବା ଜଣାପଡ଼ିଛି । ତେବେ ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏହି ଘଟଣାରେ ମୁହଁ ଖୋଲୁନି କମିସନରେଟ୍ ପୁଲିସ । ଅର୍ଚ୍ଚନାଙ୍କୁ ରାତିଅଧିଆ ଗିରଫ କରି କୋର୍ଟ ଚାଲଣ କରାଯାଇଛି । ତେଣୁ ପ୍ରଶ୍ନ ଉଠୁଛି,

  1. କାହିଁକି ନୀରବ ରହିଛି ପୁଲିସ?
  2. ରହିଛି କି ଆଉ କିଛି ବଡ଼ ରହସ୍ୟ?
  3. ପଛରେ ଅଛନ୍ତି କି ପ୍ରତିଷ୍ଠିତ ବ୍ୟକ୍ତି?