ନିର୍ବାଚନ ବେଳେ ଦେଶରେ କେଉଁ ସଂପ୍ରଦାୟର କେତେ ଲୋକ । ଜାରି ହେଲା ରିପୋର୍ଟ, ବଢି଼ଛି ସଂଖ୍ୟାଲଘୁଙ୍କ ସଂଖ୍ୟା

104

କନକ ବ୍ୟୁରୋ : ନିର୍ବାଚନ ବେଳେ ପ୍ରକାଶ ପାଇଛି ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ)ର ରିପୋର୍ଟ । ଯେଉଁଥିରେ ଦେଶରେ ମୋଟ୍ ଜନସଂଖ୍ୟାରେ କେଉଁ ସଂପ୍ରଦାୟର କେତେ ଜନସଂଖ୍ୟା ରହିଛି ଉଲ୍ଲେଖ ରହିଛି । ଦେଶ ସ୍ୱାଧୀନ ହେବା ପରେ ୧୯୫୦ରୁ ୨୦୧୫ ମଧ୍ୟରେ ହିନ୍ଦୁଙ୍କ ସଂଖ୍ୟା ମୋଟ୍ ଜନସଂଖ୍ୟାର ୭.୮୨% କମିଛି । ଯେଉଁଠି ମୁସଲମାନଙ୍କ ଜନସଂଖ୍ୟା ୪୩.୧୫% ବୃଦ୍ଧି ପାଇଛି । ମୁସଲମାନଙ୍କ ଜନସଂଖ୍ୟା ୧୯୫୦ମସିହାରେ ୯.୮୪% ଥିବାବେଳେ ଏବେ ଏହା ୧୪.୦୯%ରେ ପହଂଚିଛି । ସେହିପରି ଖ୍ରୀଷ୍ଟିଆନ ଧର୍ମର ଲୋକଙ୍କ ସଂଖ୍ୟା ୨.୨୪%ରୁ ୨.୩୬%କୁ ବୃଦ୍ଧି ପାଇଛି । ସେହିପରି ଶିଖ୍ ସମ୍ପ୍ରଦାୟର ଜନସଂଖ୍ୟା ୧.୨୪%ରୁ ୧.୮୫%କୁ ବୃଦ୍ଧି ପାଇଛି । ଦେଶରେ ଏବେ ହିନ୍ଦୁ ଜନସଂଖ୍ୟା ୧୯୫୦ରେ ୮୪.୬୮% ଥିବାବେଳେ ୨୦୧୫ ସୁଦ୍ଧା ଏହା ୭୮.୦୬%କୁ ହ୍ରାସ ପାଇଛି । ମୁସଲମାନ ଜନସଂଖ୍ୟାର ଅଂଶ ୧୯୫୦ ରେ ୯.୮୪% ଥିବାବେଳେ ୨୦୧୫ରେ ଏହା ୧୪.୦୯% କୁ ବୃଦ୍ଧି ପାଇଛି । ଏହି ରିପୋର୍ଟ ଜରିଆରେ ଦେଶରେ ସାମାଜିକ ବିବିଧତାକୁ ପ୍ରୋତ୍ସାହିତ କରିବା ପାଇଁ ଅନୁକୂଳ ପରିବେଶ ଦେଖିବାକୁ ମିଳୁଛି ବୋଲି ଯଦିଓ ଉଲ୍ଲେଖ କରାଯାଇଛି କିନ୍ତୁ ଏହାକୁ ନେଇ ଏବେ ରାଜନୀତି ତେଜିଛି । ୬୫ ବର୍ଷ ମଧ୍ୟରେ ସର୍ବାଧିକ ବର୍ଷ କଂଗ୍ରେସ କ୍ଷମତାରେ ଥିଲା । ତେଣୁ ଦେଶରେ କଂଗ୍ରେସ କ୍ଷମତାରେ ରହିଲେ ହିନ୍ଦୁଙ୍କ ଜନସଂଖ୍ୟା କମିବ ବୋଲି ଦାବି କରିଛନ୍ତି ବିଜେପିର ପ୍ରମୁଖ ନେତାମାନେ ।

ଇଏସି-ପିଏମ ରିପୋର୍ଟକୁ ନେଇ ବିଜେପି ଆକ୍ରମଣାତ୍ମକ ହୋଇଥିବା ଜଣାପଡିଛି ।ଏହାରି ଭିତରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ବଡ ପ୍ରଶ୍ନ ଉଠାଇଛନ୍ତି । ନିର୍ବାଚନ ବେଳେ ଜାଣିଶୁଣି ଏପରି ଏକ ରିପୋର୍ଟ ଜାରି କରି ପ୍ରଭାବିତ କରିବାକୁ ପ୍ରୟାସ ହେଉଛି ବୋଲି ସେ କହିଛନ୍ତି । ଦେଶର ଲୋକଙ୍କ ସମସ୍ୟା ମୁଦ୍ଦା ହେବା ଆବଶ୍ୟକ ବୋଲି ସେ କହିଛନ୍ତି ।

ଭାରତରେ ନିର୍ବାଚନ ବେଳେ ବିଭିନ୍ନ ରାଜନୈତିକ ଦଳ ନିଜ ନିଜର ପକେଟ ଭୋଟ୍ ରଖିଛନ୍ତି । ଖାସ କରି ଧର୍ମକୁ ନେଇ ବିଭିନ୍ନ ରାଜୈନିତକ ଦଳର ନିଜର ଆଭିମୁଖ୍ୟ ରଖି ଭୋଟ୍ ହାତେଇଥାନ୍ତି । ଦେଶର ଶାସକ ଦଳ ବିଜେପି ହିନ୍ଦୁ ସଂପ୍ରଦାୟର ଗୋଟିଏ ବଡ ସମର୍ଥନ ରଖିଥିବା ନେଇ କୁହାଯାଏ । ସେହିପରି ବିରୋଧୀ ମଧ୍ୟ ଧର୍ମକୁ ଆଧାର କରି ଭୋଟ୍ ହାତେଇଥାନ୍ତି ବୋଲି କୁହାଯାଏ । ତେଣୁ ନିର୍ବାଚନ ବେଳେ ଏହି ରିପୋର୍ଟ ଭୋଟିଂକୁ ପ୍ରଭାବିତ କରିପାରେ ।