କଂଗ୍ରେସ ଗଡରେ ଅମିତ ଶାହଙ୍କ ହୁଙ୍କାର । କ୍ଷମତାକୁ ଆସିଲେ ମୁସଲିମଙ୍କୁ ମିଳୁଥିବା ସଂରକ୍ଷଣ ହେବ ଉଚ୍ଛେଦ, ଏସସି, ଏସଟି ଓ ଓବିସିଙ୍କୁ ମିଳିବ ଅଧିକ ସଂରକ୍ଷଣ

286

କନକ ବ୍ୟୁରୋ : ସାଧାରଣ ନିର୍ବାଚନ ଯେତିକି ଆଗଉଛି ସେତିକି ରୋଚକ ହେଉଛି । ଶାସକ ଦଳ ହୁଅନ୍ତୁ ବା ବିରୋଧୀ, ଉଭୟ ପକ୍ଷରୁ ଜବରଦସ୍ତ ବୟାନବାଜି ହେଉଛି । ତେଲେଙ୍ଗାନାର ଭୋଙ୍ଗିରରେ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ଅମିତ ଶାହ କହିଛନ୍ତି ଯେ ଏହି ନିର୍ବାଚନ ରାହୁଲ ଗାନ୍ଧୀ ବନାମ ନରେନ୍ଦ୍ର ମୋଦୀ । ଏହି ନିର୍ବାଚନ ରାହୁଲ ଗାନ୍ଧୀଙ୍କ ଚାଇନା ଗ୍ୟାରେଂଟି ବନାମ ନରେନ୍ଦ୍ର ମୋଦୀଙ୍କ ଭାରତୀୟ ଗ୍ୟାରେଂଟି । ରାହୁଲ ଗାନ୍ଧିଙ୍କ ଗ୍ୟାରେଂଟି ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ରହିନଥାଏ ବୋଲି ଶାହା କହିଛନ୍ତି । ରାହୁଲ ଗାନ୍ଧୀ ଋଣ ଛାଡ଼ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ଛାଡ଼ କରିନାହାନ୍ତି । ଚାଷୀଙ୍କୁ ବାର୍ଷିକ ୧୫ ହଜାର ଟଙ୍କା ଦେବାର ପ୍ରତିଶ୍ରୁତି ପୂରଣ ହୋଇନାହିଁ । କୃଷକ ଶ୍ରମିକଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ମଧ୍ୟ ପୂରଣ ହୋଇନି ବୋଲି ଶାହ କହିଛନ୍ତି । ନିକଟରେ ତେଲେଙ୍ଗାନାରେ କଂଗ୍ରେସ କ୍ଷମତାକୁ ଆସିଛି । ରାଜ୍ୟରେ ଦଳ ଭରପୁର ଜୋଶରେ ରହିଛି । କିନ୍ତୁ ବିଜେପି ମଧ୍ୟ ଏଠାରେ ନିଜର ସମସ୍ତ ଶକ୍ତି ଖଟାଇ ଭଲ ପ୍ରଦର୍ଶନ କରିବ ବୋଲି ଦାବି କରିଛି ।

ନିର୍ବାଚନ ରାଲିରେ କଂଗ୍ରେସକୁ କଡା ଚ୍ୟାଲେଞ୍ଜ ଦେଇଛନ୍ତି ଶାହ । ୨୦୧୯ରେ ବିଜେପି ତେଲେଙ୍ଗାନାରେ ୪ଟି ଆସନ ଜିତିଥିଲା । ଚଳିତଥର ଦୁଇ ଅଂକ ଛୁଇଁବ ବୋଲି ଦାବି କରିଛନ୍ତି । ସେହିପରି ଶେଷ ହୋଇଥିବା ତିନୋଟି ପର୍ଯ୍ୟାୟରେ ଦଳ ୨୦୦ ଆସନ ପାଖାପାଖି ପହଂଚି ସାରିଛି । ଅନ୍ୟପଟେ ବିଜେପି ବିଜୟୀ ହେଲେ ମୁସଲିମଙ୍କ ପାଇଁ ଯେଉଁ ସଂରକ୍ଷଣ ବ୍ୟବସ୍ଥା ରହିଛି ତାହା ଉଚ୍ଛେଦ ହେବ । ଏବଂ ଏସସି, ଏସଟି ଓ ଓବିସିଙ୍କୁ ଅଧିକ ସଂରକ୍ଷଣ ଦିଆଯିବ ବୋଲି ଶାହ କହିଛନ୍ତି ।

ମାର୍ଚ୍ଚ ୧୩ରେ ଚତୁର୍ଥ ପର୍ଯ୍ୟାୟ ମତଦାନ । ମତଦାନ ସରିଲେ ପାଖାପାଖି ଅଧାରୁ ଅଧିକ ଆସନରେ ମତଦାନ ଶେଷ ହେବ । ଏହାପୂର୍ବରୁ ବିଜେପି ଅଧିକାଂଶ ଆସନରେ ବିଜୟୀ ହୋଇ ମିଶନ ୪୦୦ ପାର ଜିତିବାକୁ ଲକ୍ଷ୍ୟ ରଖିଛି ।