ଆଜିଠାରୁ ପୁଣି ବର୍ଷା ! ୨୩ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି; ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା

443

କନକ ବ୍ୟୁରୋ : ପ୍ରବଳ ବର୍ଷାରେ ଭିଜିବ ଓଡିଶା । ଆସନ୍ତା ୩୬ ଘଣ୍ଟା ଅର୍ଥାତ୍ ୭ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଘୂର୍ଣ୍ଣିବଳୟ । ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଅର୍ଥାତ୍ ୯ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହା ପ୍ରଭାବରେ ଓଡିଶାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଘୂର୍ଣ୍ଣିବଳୟ ପ୍ରଭାବରେ ଆଜିଠାରୁ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବା ଆଶଙ୍କା ରହିଛି ।

ବିଶେଷ କରି ପୁରୀ, ଗଞ୍ଜାମ, ଗଜପତି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ମାଲକାନଗିରି ଆଦି ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ଆଶଙ୍କା ରହିଛି । ରାଜ୍ୟର ୨୩ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଆସନ୍ତା ୮ ତାରିଖରୁ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ପୂର୍ବାନୁମାମନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

୯ ତାରିଖରେ ଅଧା ଓଡ଼ିଶାରେ ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି । କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଲଘୁଚାପ ବର୍ଷା ପରେ ରାଜ୍ୟରେ ମୌସୁମୀ ସକ୍ରିୟ ହେବା ନେଇ ଆକଳନ କରାଯାଉଛି । ଆଜି ରାଜଧାନୀ ଓ ଉପକଣ୍ଠ ଅଞ୍ଚଳରେ ପାଗ ସାଧାରଣତଃ ମେଘୁଆ ରହିବ ଓ ଅପରାହ୍ନ ଆଡକୁ ବର୍ଷା ସମ୍ଭାବନା ଥିବା ସୂଚନା ମିଳିଛି ।