ଗୁଣିଗାରେଡି ସନ୍ଦେହରେ ଗଡିଲା ମୁଣ୍ଡ : ୫୫ ବର୍ଷ ବୟସ୍କ ମହିଳାଙ୍କୁ ଘରେ ପଶି ଟାଙ୍ଗିଆରେ ହାଣିଦେଲା ପଡୋଶୀ ଯୁବକ, ଅଭିଯୁକ୍ତ ଗିରଫ

77

କନକ ବ୍ୟୁରୋ : ଗୁଣିଗାରେଡ଼ି ସନ୍ଦେହରେ ପଡୋଶୀ ମହିଳାଙ୍କୁ ହାଣି ହତ୍ୟା କଲା ଯୁବକ । ରାୟଗଡା କୋଇଲାପଡାରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକ ହେଲେ ୫୫ ବର୍ଷ ବୟସ୍କ ଚନ୍ଦ୍ରମା ବିଭାର । ଗତକାଲି ମଧ୍ୟାହ୍ନରେ ଚନ୍ଦ୍ରମାଙ୍କୁ ଘରେ ପଶି ଟାଙ୍ଗିଆରେ ହାଣି ହତ୍ୟା କରିଛି ପଡୋଶୀ ଯୁବକ ରାଜେଶ କୁଲେସିକା । ହତ୍ୟା କରିବା ପରେ ଟାଙ୍ଗିଆ ଧରି ରାଜେଶ ସାହିବାସିନ୍ଦାଙ୍କୁ ମଧ୍ୟ ଭୟଭୀତ କରିଥିଲା । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ରାଜେଶକୁ ଗିରଫ କରି ତଦନ୍ତ ଚଲାଇଛି ।

କିଛି ଦିନ ହେବ ଚନ୍ଦ୍ରମା ଗୁଣିଗାରେଡି କରୁଥିବା ନେଇ ରାଜେଶ ସନ୍ଦେହ କରୁଥିଲା । ଏନେଇ ଚନ୍ଦ୍ରମା ଓ ରାଜେଶଙ୍କ ପରିବାର ମଧ୍ୟରେ ପୂର୍ବରୁ ବଚସା ମଧ୍ୟ ହୋଇଥିଲା । ସୋମବାର ପୁଣି ଗୁଣିଗାରେଡି କଥାକୁ ନେଇ ଗଣ୍ଡଗୋଳ ହେବା ପରେ ରାଗିଯାଇ ଟାଙ୍ଗିଆ ଧରି ଚନ୍ଦ୍ରମାଙ୍କ ଘରେ ପଶି ଯାଇଥିଲା ରାଜେଶ । ଟାଙ୍ଗିଆରେ ବେକକୁ ହାଣି ଦେବାରୁ ଘଟଣାସ୍ଥଳରେ ଚନ୍ଦ୍ରମାଙ୍କ ମୃତ୍ୟୁ ହୋଇଯାଇଥିଲା ।