ପୁରସ୍କାର ପାଇ ଦିଲ୍ଲୀରୁ ଆଜି ଫେରିବେ ନବୀନ : ସ୍ୱାଗତ କରିବାକୁ ବିଜେଡିର ବ୍ୟାପକ ପ୍ରସ୍ତୁତି, ଲକ୍ଷାଧିକ ଲୋକଙ୍କ ସମାଗମ ପାଇଁ ଆୟୋଜନ

91

କନକ ବ୍ୟୁରୋ : ଦିଲ୍ଲୀରୁ ଆଜି ଭୁବନେଶ୍ୱର ଫେରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀରେ ଜୀବନବ୍ୟାପୀ ସାଧନା ସମ୍ମାନ ପାଇବା ପରେ ଆଜି ଓଡିଶା ଫେରୁଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ତାଙ୍କ ଭବ୍ୟ ସ୍ୱାଗତ, ସମ୍ବର୍ଦ୍ଧନା ପାଇଁ ଜୋରଦାର ପ୍ରସ୍ତୁତି କରୁଛି ବିଜେଡି । ଏଥିପାଇଁ ସାରା ରାଜ୍ୟରୁ ୫୦ ହଜାର ଲୋକ ରାଜଧାନୀରେ ଏକଜୁଟ ହେବାର ଅଛି । ଯାହାକୁ ନେଇ କମିଶନରେଟ୍ ପୋଲିସ ବି ପ୍ରସ୍ତୁତ ରହିଛି । ବିମାନବନ୍ଦରରେ ଜୋରଦାର ପ୍ରସ୍ତୁତି କରାଯାଇଛି । ସୁରକ୍ଷା ବ୍ୟବସ୍ଥା ବଢାଯିବା ପରେ ସ୍ଥିତି ପରଖିଛନ୍ତି ଭୁବନେଶ୍ୱର ଡିସିପି ।

ସୁରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ୫୦ ଜଣ ପୁଲିସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଏଥିରେ ୮ ଅତିରିକ୍ତ ଡିସିପି ୧୬ ଜଣ ଏସିପି, ୨୫ ଆଇଆଇସି, ୯୦ ଜଣ ଏସଆଇଙ୍କ ସମେତ ୩୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ ବୋଲି ସୂଚନା ମିଳିଛି । ୨୦୧୯ ନିର୍ବାଚନରେ ନବୀନ ପଟ୍ଟନାୟକଙ୍କ ପ୍ରଚାର ପାଇଁ ଯେଉଁ ବସର ବ୍ୟବସ୍ଥା କରାଯାଇଥିଲା ସେହି ବସରେ ମୁଖ୍ୟମନ୍ତ୍ରୀ ବିମାନବନ୍ଦରରୁ ନବୀନ ନିବାସ ଯିବେ । ମଝିରେ ବିଜୁବାବୁଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ବି ଦେବେ । ବିଭିନ୍ନ ଜିଲ୍ଲାରୁ ଆସିବାକୁ ଥିବା ଦଳୀୟ କର୍ମୀ ଓ ଶୁଭେଚ୍ଛୁଙ୍କ ପାଇଁ ସହରରେ ପାର୍କିଂ ସ୍ଥାନ ନିର୍ଦ୍ଧାରିତ ହୋଇଛି ।

ବସ, କାର, ବାଇକ ପାଇଁ ଅଲଗା ଅଲଗା ପାର୍କିଂ ଚିହ୍ନଟ ହୋଇଛି । କେଉଁ ପଟୁ ଆସିଲେ, କେଉଁଠି ଗାଡି ପାର୍କିଂ କରିବେ, ସେ ସଂପର୍କରେ ବି ସେମାନଙ୍କୁ ସୂଚନା ଦିଆଯିବ । ସହରର ସବୁ ଗୁରୁତ୍ୱପୂର୍ଣ୍ଣ ଟ୍ରାଫିକରେ ଅଧିକାରୀ ଓ କର୍ମଚାରୀ ରହି ଭିଡ ନିୟନ୍ତ୍ରଣ କରିବେ । ସକାଳ ୮ଟାରୁ ଦିନ ୧୧ଟା ଯାଏଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ, ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଥିବାରୁ ସେହି ସମୟରେ ବିମାନବନ୍ଦରକୁ ଆସୁଥିବା ଯାତ୍ରୀମାନେ ଯେପରି ଅସୁବିଧାର ସମ୍ମୁଖନୀ ନହୁଅନ୍ତି, ତାହା ଉପରେ ପୁଲିସ ବେଶି ଗୁରୁତ୍ୱ ଦେଇଛି ।