ମୃତ ମା’ ଛାତି ଉପରେ ପଡିଥିଲା ୨ ପିଲାଙ୍କ ଶବ । ହିମାଚଳପ୍ରଦେଶରୁ ଆସିଛି ଛାତିଥରା ଦୃଶ୍ୟ ।

583

କନକ ବ୍ୟୁରୋ: ବର୍ଷା ରାତିରେ ଘରେ ଶୋଇଥିଲେ ମା’ ଆଉ ପିଲାମାନେ । ଏତିକି ବେଳେ ମାଡିବସିଲା ମୃତ୍ୟୁ । କିଛି ବୁଝିବା ଆଗରୁ ଚାଲିଗଲା ଗୋଟିଏ ପରିବାରର ୮ଜଣଙ୍କ ଜୀବନ । ହିମାଚଳପ୍ରଦେଶ ମଣ୍ଡି ଗାଁରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା ।

ହିମାଚଳ ପ୍ରଦେଶ ମଣ୍ଡି ଗାଁର ମୁଖିଆଙ୍କ ପରିବାର ଉପରେ ପଡିଥିଲା ମୃତ୍ୟୁର ଆଖି । ନିଦାଘ ବର୍ଷା ରାତିରେ ପରିବାର ଲୋକେ ଶୋଇଥିବାବେଳେ ଭୁଷୁଡି ପଡିଥିଲା ଘରର ଛାତ । ଶୋଇବା ବେଳେ ଚାଲିଗଲା ମୁଖିଆ ଖେମ ସିଂହ, ତାଙ୍କ ପତ୍ନୀ ଓ ସନ୍ତାନ, ଭାଇ, ଭାଉଜ ଓ ତାଙ୍କର ଦୁଇ ପିଲାଙ୍କ ଜୀବନ । ନିଦାଘ ବର୍ଷା ଯୋଗୁଁ ଚାରିଆଡେ ହେଉଥିଲା ଭୁସ୍ଖଳନ । ମୁଖିଆଙ୍କ ପରିବାରକୁ ଗାଁ ଲୋକେ ବଞ୍ଚାଇବାକୁ ଚାହୁଁଥିଲେ ବି ଅସହାୟ ହୋଇପଡିଥିଲେ ।

ଆଉ ମୃତଦେହ ଉଦ୍ଧାର କରିବା ଯାଇ ଉଦ୍ଧାରକାରୀ ଦଳ ଯେତେବେଳେ କାନ୍ଥ ଭାଙ୍ଗିଥିଲେ, ଭିତରର ଦୃଶ୍ୟ ଦେଖି ସେମାନଙ୍କ ଛାତି ଥରିଉଠିଥିଲା । ସେମାନଙ୍କ ଆଖିରୁ ଲୁହ ଝରିଆସିଥିଲା । ଖଟ ଉପରେ ପଡିଥିଲା ମା’ର ମୃତଦେହ । ତା’ ଛାତିକୁ ଜାବୁଡି ଧରିଥିଲେ ତାଙ୍କର ୨ ପିଲାଙ୍କ ଶବ । ଏହି ଦୃଶ୍ୟ ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା ।