କେନ୍ଦ୍ର ସରକାରଙ୍କଠୁ ମାମଲାର ସଂକ୍ଷିପ୍ତ ରିପୋର୍ଟ ସହ ପରାର୍ମଶ ମାଗିଲେ ସର୍ବୋଚ୍ଚ ନ୍ୟାୟଳୟ, କୋର୍ଟ କହିଲେ, ଭାରତୀୟ ନିବେଶକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉ

58

କନକ ବ୍ୟୁରୋ : ହିଣ୍ଡେନବର୍ଗ ରିପୋର୍ଟ ବିରୋଧରେ ହୋଇଥିବା ଆବେଦନ ଉପରେ ଶୁଣାଣୀ କରିଛନ୍ତି ସୁପ୍ରିମକୋର୍ଟ । ଶୁଣାଣୀ କରି ମାମଲା ଉପରେ କେନ୍ଦ୍ର ସରକାରଙ୍କଠୁ ପରାମର୍ଶ ମାଗିଛନ୍ତି କୋର୍ଟ । କୋର୍ଟ କହିଛନ୍ତି ନିବେଶକଙ୍କ ଅର୍ଥ କିଭଳି ସୁରକ୍ଷିତ ରହିବ ଏହାକୁ ଗମ୍ଭୀରତାର ସହ ଗ୍ରହଣ କରାଯିବା ଉଚିତ । କୋର୍ଟ ପ୍ରଶ୍ନ କରିଛନ୍ତି କି ଭବିଷ୍ୟତରେ ସମାନ ଘଟଣା ଯେଭଳି ନଘଟେ ଏହା ପାଇଁ ଏକ ନିୟମ ଅଣାଯିବା ଉଚିତ କି ? ଘଟଣା ଉପରେ ବିଚାର କରିବାକୁ ଏକ ବିଶେଷ ପ୍ୟାନେଲ ଗଠନ କରାଯାଉ ଓ ପ୍ୟାନେଲରେ ସେବି, ଅର୍ନ୍ତଜାତୀୟ ବ୍ୟାଙ୍କ ସଦସ୍ୟଙ୍କୁ ରଖିବାକୁ ପରାମର୍ଶ ଦେଇଛନ୍ତି କୋର୍ଟ । ଏଥିସହ କୋର୍ଟ ପୂରା ଘଟଣା ଉପରେ ସବିଶେଷ ତଥ୍ୟ ସହ ଏକ ସଂକ୍ଷିପ୍ତ ରିପୋର୍ଟ ମାଗିଛନ୍ତି । ଆବେଦନ ଉପରେ ସିଜେଆଇ ଡିୱାଇ ଚନ୍ଦ୍ରଚୁଡ, ଜଷ୍ଟିସ ପିଏସ ନରସିଂମା, ଜଷ୍ଟିସ ଜେବି ପାରଦୀୱାଲଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଶୁଣାଣୀ କରିଛନ୍ତି । ସୁପ୍ରିମକୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏସଆଇଟି ଟିମ ଗଠନ କରାଯାଇ ମାମଲାର ତଦନ୍ତ କରିବା ପାଇଁ ଆବେଦନକାରୀ ୟାଚିକାରେ କହିଥିଲେ । ଏଥିସହ ନିବେଶକଙ୍କ ସହ ହୋଇଥିବା ଠକେଇ ଯୋଗୁଁ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମଧ୍ୟ ଦାବି କରାଯାଇଥିଲା । ମାମଲା ଉପରେ ଆଗାମୀ ଶୁଣାଣୀ ଫେବୃଆରୀ ୧୩ କରିବେ ସବୋର୍ଚ୍ଚ ନ୍ୟାୟଳୟ ।