ଥାନା ପରିସରରେ ଯୁବକଙ୍କ ମୃତ୍ୟୁ । ଫୋନରେ କଥା ହେବା ବେଳେ ହଠାତ ଟଳିପଡ଼ିଲେ ବିଚିତ୍ର ପଳେଇ

1,456

କନକ ବ୍ୟୁରୋ: ସହିଦନଗର ଥାନା ପରିସରରେ ସଂପର୍କୀୟଙ୍କ ସହ ଫୋନରେ କଥା ହେବାବେଳେ ଅଚାନକ ଟଳି ପଡୁଛନ୍ତି ଜଣେ ଯୁବକ । ଥାନାରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି ଏହାର ପୂରା ଦୃଶ୍ୟ । ତେବେ ତତକ୍ଷଣାତ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲା ପୋଲିସ । ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି । ତେବେ ଏହି ଅଘଟଣ ପରେ ଯୁବକଙ୍କ ପରିଚୟ ମିଳିଛି । ତାଙ୍କ ନାଁ ବିଚିତ୍ର ପଲେଇ, ଘର ଯାଜପୁର ଅଞ୍ଚଳରେ । ସେ ଭୁବନେଶ୍ୱର ଗାଡକଣା ଅଞ୍ଚଳରେ ରହିଆସୁଥିଲେ ।

ସିସିଟିଭି ଫୁଟେଜରୁ ବିଚିତ୍ରଙ୍କ ମୃତ୍ୟୁ ଅସ୍ୱାଭାବିକ ମନେ ହେଉଥିବାବେଳେ, ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଆଇପିସିର ଧାରା ୩୦୨ ଅର୍ଥାତ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି କମିଶନରେଟ ପୋଲିସ ।

ତେବେ ସବୁକିଛି ଥାନା ପରିସରରେ ଘଟିଛି । ତେଣୁ ପୂରା ଘଟଣା ବୁଝିବାକୁ ପୋଲିସକୁ ବେଶି ସମୟ ଲାଗିନଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଆଧାରରେ ୨ ଜଣଙ୍କୁ ଉଠାଇ ଆଣିଛି ସହିଦନଗର ଥାନା ପୋଲିସ । ସୂଚନା ଅନୁସାରେ ବିଚିତ୍ର ମିଠା ବ୍ୟବସାୟ କରୁଥିଲେ । ଘୋର ଆର୍ଥିକ ଅନଟନ ଦେଇ ଗତି କରୁଥିବାବେଳେ କରଜ ଓ ସୁଧ କାରବାରକୁ ନେଇ ତାଙ୍କୁ ଅପହରଣ କରାଯାଇଥିଲା । ପୋଲିସ ଉଠାଇ ଆଣିଥିବା ନେତ୍ରମଣି ବେହେରା ଓ ବଟକୃଷ୍ଣ ବେହେରାଙ୍କଠାରୁ ବିଚିତ୍ର ୩ ଲକ୍ଷ ଟଙ୍କା ଧାର ନେଇ ଶୁଝି ପାରୁନଥିଲେ । ଟଙ୍କା ଆଦାୟ ପାଇଁ ତାଙ୍କୁ ଗୁରୁବାର ଅପହରଣ କରିନେଇ ମାରପିଟ କରୁଥିବାବେଳେ ବାଣିବିହାରରେ କାରର ଗତି କମ୍ ହେବାରୁ ଖସିଆସିଥିଲେ ବିଚିତ୍ର । ଅପହରଣକାରୀଙ୍କ ସହ ତାଙ୍କର ଠେଲାପେଲା ହେଉଥିବାବେଳେ ଉଦ୍ଧାର କରିଥିଲେ କିଛି ଛାତ୍ର । ବାଇକରେ ବସାଇ ତାଙ୍କୁ ସହିଦନଗର ଥାନାକୁ ଆଣିଥିଲେ । ଯେଉଁଠି ତାଙ୍କର ମୃତ୍ୟୁ ହୋଇଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ହେଲା, ଅପହରଣକାରୀ ତାଙ୍କୁ ମାରପିଟ କରିଛନ୍ତି । ପରିବାର ଲୋକ ମଧ୍ୟ ପୁଅକୁ ପିଟି ପିଟି ମାରିଦେଇଥିବା ଅଭିଯୋଗ କରିବା ପରେ ହତ୍ୟା ମାମଲା ରୁଜୁ କରିଛି ପୋଲିସ । ଗିରଫ ନେତ୍ରମଣି ଓ ବଟକୃଷ୍ଣ ସଂପର୍କରେ ଭାଇ-ଭଉଣୀ ବୋଲି ଜଣାପଡିଛି । ଅପହରଣ କରାଯାଇଥିବା କାରକୁ ମଧ୍ୟ ପୋଲିସ ଜବତ କରିଛି ।