ହଲ୍ଲାଦ୍ୱୀନ ଉଚ୍ଛେଦ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି, ଏବେ ହୋଇପାରିବ ନାହିଁ ଉଚ୍ଛେଦ

87

କନକ ବ୍ୟୁରୋ : ଉତ୍ତରାଖଣ୍ଡର ହଲ୍ଲାଦ୍ୱୀନ ଉଚ୍ଛେଦ ମାମଲାର ସାମୟିକ ପାଇଁ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି । କୋର୍ଟଙ୍କ ତରଫରୁ ଏହା ଉପରେ ରୋକ ଲଗାଇ ରେଳ ବିଭାଗ ଓ ଉତ୍ତରାଖଣ୍ଡ ସରକାରଙ୍କୁ ଜବାବ ମାଗିଛନ୍ତି । କୋର୍ଟ ତରଫରୁ କୁହାଯାଇଛି କି ୫ ହଜାର ପରିବାର ରହୁଥିବା ଏକ ସ୍ଥଳକୁ କିଭଳି ଭାବେ ସରକାର ନୋଟିସ ଦେବାର ୭ ଦିନ ମଧ୍ୟରେ ଉଚ୍ଛେଦ କରିପାରିବେ । ଏନେଇ କୌଣସି ବାସ୍ତବ ସମାଧାନ ପ୍ରସ୍ତୁତ କରିବାକୁ କୋର୍ଟଙ୍କ ତରଫରୁ କୁହାଯାଇଛି । ଏହା ସହ ଜମିର କିସମ, ଅଧିକାରର ପ୍ରକ୍ରିୟା ଓ ମାଲିକାନା ହକ୍ ନେଇ ଅଧିକ ଯାଂଚ କରିବାକୁ କୋର୍ଟ କହିଛନ୍ତି । ଏହାସହ ଫେବୃଆରୀ ୭ ତାରିଖରେ ଏହି ମାମଲାରେ ପୁଣି ଶୁଣାଣି ହେବ ବୋଲି କୋର୍ଟ ଧାର୍ଯ୍ୟ କରିଛନ୍ତି ।

ଜଷ୍ଟିସ ସଂଜୟ କିଶନ ଓ ଜଷ୍ଟିସ ଅଭୟ ଏସ ଓକଙ୍କ ବେଞ୍ଚରେ ଏହି ମାମଲାର ଶୁଣାଣି ହୋଇଥିଲା । ଆବେଦନକାରୀଙ୍କ ତରଫରୁ ଓକିଲ କର୍ଲିନ ଗୋଞ୍ଜାଲିବ୍ସ କୋର୍ଟରେ ଜବାବ ରଖିଥିଲେ । ସେ ସୁପ୍ରିମକୋର୍ଟଙ୍କୁ ହାଇକୋର୍ଟର ରାୟ ବାବଦରେ ଅବଗତ କରିଥିଲେ । ସେ କହିଥିଲେ କି ଏହା ସ୍ପଷ୍ଟ ନୁହେଁ ଯେ ହଲ୍ଲାଦ୍ୱୀନ ଜମି ରେଳ ବିଭାଗର ନୁହେଁ । ସେପଟେ ହାଇକୋର୍ଟ ତାଙ୍କ ରାୟରେ କହିଛନ୍ତି କି, ଏହି ଜମି ରାଜ୍ୟ ସରକାରଙ୍କର ।

 

କହିରଖୁ କି ଉତ୍ତରାଖଣ୍ଡର ହଲ୍ଲାଦ୍ୱୀନରେ ଏବେ ୫ ହଜାର ପରିବାର ଘର କରି ରହିଛନ୍ତି । ଏଠାରେ ସରକାରୀ ବିଦ୍ୟାଳୟ, ମନ୍ଦିର ଓ ମସଜିଦ୍ ଭଳି ଅନୁଷ୍ଠାନ ମଧ୍ୟ ରହିଛି । ହେଲେ ରେଳ ବିଭାଗ ତରଫରୁ ଏହା ରେଳବିଭାଗର ସମ୍ପତ୍ତି ବୋଲି ଦାବି କରାଯାଇ ହାଇକୋର୍ଟରେ ଏକ ଆବେଦନ କରିଥିଲେ । ଏହି ଆବେଦନର ଶୁଣାଣି କରି ହାଇକୋର୍ଟ ଏହି ସ୍ଥାନରୁ ଜନବସତି ଓ ସମସ୍ତ ଅନୁଷ୍ଠାନ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ବିରୋଧରେ ସେଠିକାର ଲୋକେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।