ବଢିବାରେ ଲାଗିଛି ହବିଷ୍ୟାଳିଙ୍କ ସମସ୍ୟା । ସଠିକ ସମୟରେ ମିଳୁନାହିଁ ଖାଦ୍ୟ, ୧୦ ଦିନରେ ମେଡିକାଲରେ ଭର୍ତି ହେଲେଣି ୧୪୦
ପୁରୀରେ କାର୍ତିକ ମାସ ତଥା ହବିଷ କରିବା ପାଇଁ ରାଜ୍ୟର ଅନେକ ସ୍ଥାନରୁ ଭକ୍ତଙ୍କ ସୁଅ ଛୁଟିଥାଏ
କନକ ବ୍ୟୁରୋ : ପୁରୀରେ କାର୍ତିକ ମାସ ତଥା ହବିଷ କରିବା ପାଇଁ ରାଜ୍ୟର ଅନେକ ସ୍ଥାନରୁ ଭକ୍ତଙ୍କ ସୁଅ ଛୁଟିଥାଏ । ତେବେ ଏପରି ଭାବରେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମଧ୍ୟ ସେମାନଙ୍କ ପାଇଁ ଅନେକ ଯୋଜନା କରିଛନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ ସେମାନଙ୍କ ସମସ୍ୟା କ୍ରମାଗତ ଭାବରେ ବଢିବାରେ ଲାଗିଛି । ଏପରିକି ଆଶ୍ରୟସ୍ଥଳୀରେ ଅସୁସ୍ଥ ହବିଷ୍ୟାଳିଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିଲେ ମଧ୍ୟ ସ୍ଥିତିରେ କୌଣସି ପରିବର୍ତ୍ତନ ଆସିନାହିଁ। ଏବେ ବି ଖାଇବା ପାଇଁ କଲବଲ ହେଉଛନ୍ତି ହବିଷ୍ୟାଳି ।
Kanak News is now on WhatsApp
Join and get latest news updates delivered to you via WhatsApp
ଦିନଯାକ ସେମାନଙ୍କୁ ଖାଡ଼ା ଉପବାସ ରହିବାକୁ ପଡ଼ୁଛି। ଖାଦ୍ୟପେୟରେ ଅହେତୁକ ବିଳମ୍ବ ଯୋଗୁ ଆଶ୍ରୟସ୍ଥଳୀରେ ରହିବାର ୧୦ ଦିନ ମଧ୍ୟରେ ଅସୁସ୍ଥ ହବିଷ୍ୟାଳିଙ୍କ ସଂଖ୍ୟା ୧୪୦ ଛୁଇଁଲାଣି। ଦିନକୁ ଦିନ ଅସୁସ୍ଥଙ୍କ ସଂଖ୍ୟା ବଢ଼ିବା ସହ ପରିସ୍ଥିତି ଅଣାୟତ ହେବାରେ ଲାଗିଲାଣି। ତଥାପି ଏଥି ପ୍ରତି ପ୍ରଶାସନର ନିଘା ନାହିଁ। ଯେଉଁ ସଂଖ୍ୟାରେ ଅସୁସ୍ଥଙ୍କ ସଂଖ୍ୟା ବଢ଼ୁଛି ସେହି ଅନୁସାରେ ହବିଷ୍ୟାଳିମାନେ ଆଶ୍ରୟସ୍ଥଳୀ ଛାଡ଼ି ଘରକୁ ଫେରି ଯାଉଛନ୍ତି। ମହାପ୍ରସାଦ ସେବନର ସମୟ ପରିବର୍ତନ ନକଲେ ଆଗକୁ ଏହି ସ୍ଥିତି ଯେ ସଙ୍ଗୀନ୍ ହୋଇପଡ଼ିବ ତାହା ଜଳଜଳ ହୋଇ ଦିଶୁଛି।
ରାଜ୍ୟ ସରକାରଙ୍କ ହବିଷ୍ୟାଳି ଯୋଜନାରେ ହବିଷ୍ୟାଳିମାନଙ୍କ ରହିବା, ଖାଇବାଠାରୁ ଆରମ୍ଭ କରି ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯାଉଛି। ସହରର ଚାରିଟି ଆଶ୍ରୟସ୍ଥଳୀରେ ରାଜ୍ୟର ୩୦ଟି ଜିଲ୍ଲାରୁ ୨୬୦୦ରୁ ଅଧିକ ହବିଷ୍ୟାଳି ରହୁଛନ୍ତି। ଏମାନଙ୍କ ପାଇଁ ସବୁ ସୁବିଧା କରାଯାଇଥିଲେ ବି ଖାଇବାରେ ଅହେତୁକ ବିଳମ୍ବ ଯୋଗୁ ହବିଷ୍ୟାଳିଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଉଛି। ହବିଷ୍ୟାଳିମାନେ ଓଳିକିଆ ଖାଉଥିବା ବେଳେ ଏମାନଙ୍କ ପାଇଁ ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି।
କିନ୍ତୁ ଓଳିକିଆ ଖାଉଥିବା ହବିଷ୍ୟାଳିଙ୍କୁ ଦିନକୁ ଥରେ ମହାପ୍ରସାଦ ସେବନ ପାଇଁ ଦିଆଯାଉଥିବା ବେଳେ ଏହାକୁ ଦ୍ୱିପହର ବଦଳରେ ସଂଧ୍ୟାରେ ଦିଆଯାଉଛି। ହବିଷ୍ୟାଳିମାନେ ଖାଇବା ବେଳକୁ ସଂଧ୍ୟା ୬ରୁ ୭ଟା ସମୟ ହୋଇଯାଉଛି। ଖାଦ୍ୟ ସେବନରେ ଦୀର୍ଘ ସମୟ ବିଳମ୍ବ କାରଣରୁ ହବିଷ୍ୟାଳିଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବା ସ୍ୱାଭାବିକ କଥା। ଯେଉଁଥି ପାଇଁ ଦୈନିକ ଝାଡ଼ାବାନ୍ତି, ମୁଣ୍ଡବିନ୍ଧା, ଗ୍ୟାସ୍ ଆଦିରେ ଆକ୍ରାନ୍ତ ହୋଇ ହବିଷ୍ୟାଳି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହେଉଛନ୍ତି। ସରକାରୀ ତଥ୍ୟ ମୁତାବକ, ଆଜି ସୁଦ୍ଧା ୧୪୦ ଜଣ ହବିଷ୍ୟାଳି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହେଲେଣି। ପ୍ରତ୍ୟହ ୧୦ରୁ ୨୦ ଜଣ ହବିଷ୍ୟାଳି ଅସୁସ୍ଥତା କାରଣରୁ ଡାକ୍ତରଖାନାରେ ଭର୍ତି ହେଉଥିବା ବେଳେ କିଛି ଆଶ୍ରୟସ୍ଥଳୀ ଛାଡ଼ିବା ଆରମ୍ଭ କରିଛନ୍ତି। ଏହା ଭିତରେ ୩୦ରୁ ଅଧିକ ହବିଷ୍ୟାଳି ଆଶ୍ରୟସ୍ଥଳୀ ଛାଡ଼ି ସାରିଥିବା ଜଣାଯାଇଛି।
ତେବେ ପ୍ରଶାସନ ଚାହିଁଲେ ଏହାର ବିକଳ୍ପ ବ୍ୟବସ୍ଥା କରିପାରନ୍ତା। କାରଣ ପ୍ରଶାସନ ପ୍ରଥମ ଭୋଗମଣ୍ଡପ ବଦଳରେ ଦ୍ୱିତୀୟ ଭୋଗ ମଣ୍ଡପରେ ଉଠୁଥିବା ଅବଢ଼ା ହବିଷ୍ୟାଳିଙ୍କ ପାଇଁ ବରାଦ କରୁଛି। ପ୍ରଥମ ଭୋଗମଣ୍ଡପ ଅବଢ଼ା ଅପରାହ୍ଣ ଗୋଟାଏରୁ ୨ଟା ଭିତରେ ବାହାରୁଥିବା ବେଳେ ଦ୍ୱିତୀୟ ଭୋଗ ମଣ୍ଡପ ଅବଢ଼ା ବାହାରିବା ବେଳକୁ ସଂଧ୍ୟା ହୋଇଯାଉଛି। ଯଦି ହବିଷ୍ୟାଳିଙ୍କ ପାଇଁ ଆବଶ୍ୟକ ଅବଢ଼ା ପ୍ରଥମ ଭୋଗମଣ୍ଡପରୁ ବରାଦ ଦିଆଯାଆନ୍ତା ତେବେ ହବିଷ୍ୟାଳିଙ୍କ ଖାଇବାରେ ଆଉ ସମସ୍ୟା ଦେଖା ଦିଅନ୍ତାନି। ଅପରାହ୍ଣ ୨ରୁ ୩ଟା ଭିତରେ ହବିଷ୍ୟାଳିମାନେ ମହାପ୍ରସାଦ ସେବନ କରିପାରନ୍ତେ। କିନ୍ତୁ ଏଥିପ୍ରତି ନା ଶ୍ରୀମନ୍ଦିର ପ୍ରଶାସନ ନା ଜିଲ୍ଲା ପ୍ରଶାସନ କେହି ଗୁରୁତ୍ୱ ଦେଉନାହାନ୍ତି। ଯାହାର ପରିଣାମ ହବିଷ୍ୟାଳିଙ୍କୁ ଭୋଗିବାକୁ ପଡ଼ୁଛି।