ମନରେ ଜୋସ୍, ହାତରେ ତ୍ରିରଙ୍ଗା: ସେନାରେ ସାମିଲ ହେବାର ଇଚ୍ଛା ପାରି କରିଦେଲା ୫୦ ଘଣ୍ଟାରେ ୩୫୦ କିଲୋମିଟର

127

କନକ ବ୍ୟୁରୋ: ମନରେ ଜୋସ୍, ହାତରେ ତ୍ରିରଙ୍ଗା । ସେନାରେ ସାମିଲ ହେବାର ଇଚ୍ଛା ତାଙ୍କୁ ପାରି କରିଦେଲା ୫୦ ଘଣ୍ଟାରେ ୩୫୦ କିଲୋମିଟର । ଏହା କୌଣସି ସେନାର ଟ୍ରେନିଂ କ୍ୟାମ୍ପ ନୁହେଁ ବରଂ ଏକ ପ୍ରଦର୍ଶନରେ ସାମିଲ ହେବାକୁ ଦୌଡି ଦୌଡି ଯାଉଛନ୍ତି ସେନା ପାଇଁ ଆଶାୟୀ ଥିବା ଜଣେ ଯୁବକ । ବିରୋଧ ପ୍ରଦର୍ଶନର ବିଭିନ୍ନ ଉପାୟ ଆପଣ ଦେଖିଥିବେ । କିଏ ଅନଶନ କରିଥାଏ ତ କିଏ ଧାରଣାରେ ବସେ ତ ଆଉ କିଏ ଘେରାଉ କରିଥାନ୍ତି । ହେଲେ ରାଜସ୍ଥାନ ଜଣେ ଯୁବକ ଏମିତି ବିରୋଧ ପ୍ରଦର୍ଶନ କରିଛନ୍ତି ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ।

ଭାରତୀୟ ସେନାରେ ସାମିଲ ହେବାକୁ ଇଚ୍ଛୁକ ଥିବା ଜଣେ ଯୁବକ ରାଜସ୍ଥାନର ସିକରରୁ ଦିଲ୍ଲୀରେ ଏକ ପ୍ରଦର୍ଶନରେ ସାମିଲ ହେବାକୁ ୩୫୦ କିଲୋ ମିଟର ଦୌଡିଲେ । ତାଙ୍କୁ ଏହି ରାସ୍ତା ଅତିକ୍ରମ କରିବା ପାଇଁ ୫୦ ଘଣ୍ଟା ସମୟ ଲାଗିଥିଲା । ଏହି ଯୁବକ ଜଣକ ହେଉଛନ୍ତି ସୁରେଶ ମିଞ୍ଚର, ବୟସ ୨୪ ବର୍ଷ । ପିଲା ବେଳୁ ତାଙ୍କ ଭିତରେ ସେନାରେ ସାମିଲ ହେବାର ଜୁନୁନ ରହିଛି । ହେଲେ ଆଜି ଯାଏଁ ସେନା ପରୀକ୍ଷାରେ ସାମିଲ ହୋଇପାରିନାହାନ୍ତି । କାରଣ ୨ ବର୍ଷ ହେବ ସେନା ଚୟନ ପ୍ରକ୍ରିୟା ବନ୍ଦ ରହିଛି । ଏହାକୁ ଆରମ୍ଭ କରିବା ପାଇଁ ବିଭିନ୍ନ ସ୍ଥାନରେ ଦାବି ଜୋର ଧରିଛି । ଆଉ ଏହାରି ଭିତରେ ସୁରେଶ ମିଞ୍ଚର ଯାହା କଲେ ତାହା ସମସ୍ତଙ୍କ ହୃଦୟ ଜିତିନେଲା ।

ସୁରେଶ ମାର୍ଚ୍ଚ ୨୯ ତାରିଖରୁ ନିଜ ଦୌଡା ଆରମ୍ଭ କରିଥିଲେ । ପ୍ରତିଦିନ ସେ ୬୦ରୁ ୭୦ କିଲୋମିଟର ଦୌଡିକି ଅତିକ୍ରମ କରିଥିଲେ । ୨ ଏପ୍ରିଲରେ ସେ ଦିଲ୍ଲୀରେ ପହଞ୍ଚି ସାରିଥିଲେ । ସେନାରେ ଚୟନ ପ୍ରକ୍ରିୟା ବନ୍ଦ ଥିବାରୁ ଇଚ୍ଛୁକ ଯୁବକ ମାନଙ୍କ ବୟସ ବଢିଚାଲିଛି । ଯଦି ଏପରି ହୁଏ ତେବେ ସେମାନଙ୍କ ସେନାରେ ଭର୍ତ୍ତି ହେବାର ସ୍ୱପ୍ନ ଧୂଳିସାତ ହୋଇଯିବ । ତେଣୁ ଏହାକୁ ବିରୋଧ କରି ହେଉଥିବା ପ୍ରଦର୍ଶନରେ ଯୁବକମାନଙ୍କ ଜୋଶ ବଢାଇବା ପାଇଁ ସୁରେଶ ରାଜସ୍ଥାନରୁ ଦୌଡି ଦୌଡି ଏହି ପ୍ରଦର୍ଶନରେ ସାମିଲ ହୋଇଥିଲେ ।

୨ ବର୍ଷ ହେବ ସେନା ଚୟନ ପ୍ରକ୍ରିୟା ବନ୍ଦ ଥିବାରୁ ଏନେଇ ଇଚ୍ଛୁକ ଥିବା ଯୁବକମାନେ ଦିଲ୍ଲୀରେ ଏକାଠି ହୋଇଥିଲେ । ସେମାନଙ୍କର ଦାବି ଥିଲା ସେନା ଚୟନ ପ୍ରକ୍ରିୟା ପୁଣି ଆରମ୍ଭ କରିବାକୁ । ତେବେ ଏହି ଖବର ପାଇବା ପରେ ସୁରେଶ ବି ଏଥିରେ ସାମିଲ ହେବାକୁ ଚାହିଁଥିଲେ । ଆଉ ସେ ପ୍ରଦର୍ଶନ କରୁଥିବା ଯୁବକମାନଙ୍କ ଜୋଶ ବଢାଇବାକୁ ରାଜସ୍ଥାନରୁ ଦୌଡିକି ଯିବାକୁ ନିଷ୍ପତ୍ତି ନେଇଥିଲେ । ଆଉ ଏହା କରି ସେ ସମସ୍ତଙ୍କୁ ଚକିତ କରିଦେଇଥିଲେ ।