ମୁହଁ ଖୋଲିଲେ ଗୌତମ ଗମ୍ଭୀର । କହିଲେ, କୋହଲିଙ୍କୁ ମୁଁ ସମ୍ମାନ କରେ, ଧୋନୀଙ୍କ ସହ ସମ୍ପର୍କକୁ ନେଇ ଦେଲେ ବଡ ବୟାନ ।

1,433

କନକ ବ୍ୟୁରୋ : ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ସବୁବେଳେ ନିଜ ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଗତ କିଛି ଦିନ ପୂର୍ବେ ଆଇପିଏଲରେ ଉଭୟ ଗମ୍ଭୀର ଓ କୋହଲିଙ୍କ ମଧ୍ୟରେ ଯେଉଁ ଘଟଣା ଘଟିଥିଲା ତାହା କ୍ରିକେଟପ୍ରେମୀଙ୍କୁ ନିରାଶ କରିଥିଲା । ପଡିଆ ମଧ୍ୟରେ ଗମ୍ଭୀର ଓ କୋହଲିଙ୍କର ଏଭଳି ଆଭିମୁଖ୍ୟକୁ ସମସ୍ତେ ନାପସନ୍ଦ କରିଥିଲେ । ତେବେ ଦୀର୍ଘ ଦିନ ପରେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଗୌତମ ଗମ୍ଭୀର ।

ଗମ୍ଭୀର କହିଛନ୍ତି, ନବୀନ ଉଲ୍ ହକ୍ ନିଜ ସ୍ଥାନରେ ଠିକ୍ ଥିଲେ । ତେଣୁ ମୁଁ ତାଙ୍କୁ ସାଥ ଦେଇଥିଲି । କେବଳ ନବୀନ ନୁହଁନ୍ତି ଯିଏ ଠିକ୍ ତାଙ୍କ ସହ ମୁଁ ମରିବା ପର୍ଯ୍ୟନ୍ତ ସାଥ୍ ଦେବି । ଅନେକ ଲୋକ ପଚାରୁଛନ୍ତି କୋହଲି ଓ ଧୋନୀଙ୍କ ସହ କେମିତି ସମ୍ପର୍କ? ସମସ୍ତେ ଜାଣିବା ଦରକାର ଧୋନୀ ଓ କୋହଲିଙ୍କ ସହ ଏକାଭଳି ସମ୍ପର୍କ ।

ଗମ୍ଭୀର କହିଛନ୍ତି, ଆମ ଭିତରେ କୌଣସି ଯୁକ୍ତିତର୍କ ହେଲେ ତାହା ପଡିଆ ଭିତରେ ହିଁ ସୀମିତ ରହିଥାଏ । ବ୍ୟକ୍ତିଗତ ଭାବେ ଆମ ଭିତରେ କୌଣସି ମତଭେଦ ନାହିଁ । ମୈଦାନରେ ସେମାନେ ବି ଜିତିବାକୁ ଚାହାନ୍ତି ଏବଂ ଆମେ ବି ଜିତିବାକୁ ଚାହୁଁ । ଦେଶ ପାଇଁ ଏବେ ପର୍ଯ୍ୟନ୍ତ କୋହଲି ଯାହା କରିଛନ୍ତି ସେଥିପାଇଁ ମୁଁ ତାଙ୍କୁ ସମ୍ମାନ କରେ । ୧୯୮୩ ମସିହାର ବିଶ୍ୱକପକୁ ମନେ ପକାଇ ଗମ୍ଭୀର କହିଛନ୍ତି, ଫାଇନାଲ ଓ ସେମିଫାଇନାଲ ମୁକାବିଲାରେ ମହିନ୍ଦର ଅମରନାଥ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ପୁରସ୍କାର ହାତେଇଥିଲେ । କିନ୍ତୁ ଏବେ ବି ଲୋକ କପିଲ ଦେବଙ୍କ ବାବଦରେ ଆଲୋଚନା କରନ୍ତି । କାରଣ ଟ୍ରଫି ସହ ଲୋକେ କପିଲ ଦେବଙ୍କୁ ଦେଖିଥିଲେ । ଗଣମାଧ୍ୟମ ହିଁ ବ୍ୟକ୍ତିଗତ ଭାବେ ଜଣେ ଜଣେ ଖେଳାଳୀଙ୍କୁ ଷ୍ଟାର ଭାବେ ଉପସ୍ଥାପିତ କରିଥାଏ ଏହା ହିଁ ଆମ ଦେଶର ସବୁଠୁ ବଡ ସମସ୍ୟା ।