କନକ ବ୍ୟୁରୋ : ମହାପ୍ରଭୁଙ୍କ ଦର୍ଶନ ପାଇଁ ଚାହିଁ ରହିଛନ୍ତି ଶ୍ରଦ୍ଧାଳୁ । ଶ୍ରୀମନ୍ଦିର ସିିଂହଦ୍ୱାର ସମ୍ମୁଖରେ ପ୍ରବେଶ ପାଇଁ ବଡଦାଣ୍ଡରେ ଲାଗିଛି ଭକ୍ତଙ୍କ ଲମ୍ବା ଧାଡି । ସିଂହଦ୍ୱାର ସମ୍ମୁଖରୁ ମାର୍କେଟ ଛକ ପର୍ଯ୍ୟନ୍ତ , ଭିଡ ଲାଗିଛି । ଛୁଆ, ପିଲା, ବୟସ୍କ, ମହିଳା, ସମସ୍ତେ ଏହି ଭିଡରେ ଫଶି ରହିଛନ୍ତି । ଘଂଟା ଘଂଟା ଧରି ଛିଡା ହେବା ଯୋଗୁଁ କଲବଲ ହୋଇଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ଶ୍ରୀମନ୍ଦିରରେ ରତ୍ନସିଂହାସନ ଉପରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଅପେକ୍ଷା କରିଥିବା ବୟସ୍କା ମହିଳା ଜଣଙ୍କ ହୁଏତ ଭାବି ନଥିବେ ଏମିତି ଅସୁବିଧାର ସମ୍ମୁଖୀନ ହେବେ । ବଡଦାଣ୍ଡରେ ଧାଡିରେ ଘଂଟା ଘଂଟା ଧରି ଅପେକ୍ଷା କରିବା ଯୋଗୁଁ ଅଚେତ ହୋଇପଡିବେ । କିନ୍ତୁ ସେମିତି ହୋଇଥିଲା, ଲମ୍ବା ଧାଡିରେ ଛିଡା ହେବା ଯୋଗୁଁ ସେ ଅସୁସ୍ଥ ହୋଇପଡିଥିଲେ ଏହି ବୟସ୍କା ଶ୍ରଦ୍ଧାଳୁ ଜଣଙ୍କ । ଆଉ ଏ ହେଉଛି ତା ପରର ଦୃଶ୍ୟ ।
କେବଳ ଏହି ଜଣେ ନୁହଁନ୍ତି, ବହୁ ସଂଖ୍ୟାରେ ଭକ୍ତ ଏମିତି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଭିଡ ଭିତରେ ଖରା, ଗରମରୁ ରକ୍ଷା ପାଇବା ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଯିଏ ଯେଉଁଠି ପାରିଲା ଆଶ୍ରୟ ନେଉଥିବା ଦେଖିବାକୁ ମିଳିଛି । ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ମହିଳା ଓ ଛୋଟ ପିଲା । ଏହାର ସୁଯୋଗ ନେଇ କିଛି ଅସାଧୁ ବ୍ୟବସାୟୀ ଚଢ଼ା ଦରରେ ପାଣି ବୋତଲ ଓ ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ସାମନାକୁ ଆସିଛି । ତେବେ କାର୍ତିକ ମାସ ଯୋଗୁଁ ଭିଡ ହେଉଛି ବୋଲି ସଫେଇ ରଖିଛିି ଶ୍ରୀମନ୍ଦିର ପ୍ରଶାସନ ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆଜି ନୁହେଁ ଗତ କିଛି ଦିନ ହେଲା ଶ୍ରୀମନ୍ଦିର ଆଗରେ ଏମିତି ଭିଡ ହେଉଛି । କିନ୍ତୁ ଏହାର ସମାଧାନ ପାଇଁ କୌଣସି ବାଟ ବାହାର କରିପାରନି ଶ୍ରୀମନ୍ଦିର ପ୍ରଶାସନ । ଯାହାକୁ ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ ।