୫ ମାସ ପରେ ପୁଣି ରାଜଧାନୀକୁ କବଜାକୁ ନେଲେ ଡ୍ରାଇଭର । ବିଭିନ୍ନ ଦାବିରେ ଲୋୟର ପିଏମଜିରୁ ଲୋକସେବା ଭବନ ଯାଏଁ ରାଲି ଓ ରାସ୍ତାରୋକ

139

କନକ ବ୍ୟୁରୋ: ଡ୍ରାଇଭର ସଂଘ ସହ ଆଲୋଚନା ପରେ ୩ ମାସର ସମୟ ନେଇଛନ୍ତି ରାଜ୍ୟ ସରକାର । କିନ୍ତୁ ଏହାକୁ ନେଇ ଏବେ ସଂଘ ମଧ୍ୟରେ ଫାଟ ଦେଖାଦେଇଛି । ଆସନ୍ତାକାଲି ପାଇଁ ଷ୍ଟିଅରିଂ ଛାଡ ଆନ୍ଦୋଳନ କରିବାକୁ ଆହ୍ୱାନ ଦେଇଛି ଗୋଟିଏ ଗୋଷ୍ଠୀ । ତେବେ ଆଜି ହଠାତ୍ ରାଜ୍ୟର ଡ୍ରାଇଭର ସଂଘ ରାଜଧାନୀକୁ କବଜା କରିନେଇଥିଲେ । ସକାଳୁ ସକାଳୁ ଠେଙ୍ଗା ବାଡି ଧରି ଡ୍ରାଇଭରମାନେ ରାଜଧାନୀ ରାଜରାସ୍ତାରେ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ପୁଲିସ ମଧ୍ୟ ଅଡୁଆରେ ପଡିଥିଲା । ଆଉ ରାଜଧାନୀରେ ଉପୁଜିଥିଲା ଚକା ଜାମ ପରିସ୍ଥିତି । ତେବେ ହଠାତ ଏତେ ଭିଡ ହେବ ବୋଲି କେମିତି ଜାଣିପାରିଲାନି ପ୍ରଶାସନ? ସେ ନେଇ ପ୍ରଶ୍ନ ଉଠିଛି ।

ଗତବର୍ଷ ଅକ୍ଟୋବର ୨୯ରେ ଯେମିତି ଅଚାନକ ରାଜ୍ୟ ରାଜଧାନୀ ଭୁବନେଶ୍ୱରକୁ କବଜାକୁ ନେଇଥିଲା ଡ୍ରାଇଭର ସଂଘ, ସମାନ ଢଙ୍ଗରେ ପୁଣି ରାଜଧାନୀରେ ହଜାର ହଜାର ଡ୍ରାଇଭରଙ୍କ ଭିଡ । ବିଭିନ୍ନ ଦାବିନେଇ ଆନ୍ଦୋଳନ କରିବାକୁ ରବିବାର ରାତିରୁ ପହଞ୍ଚି ଯାଇଥିଲେ ଡ୍ରାଇଭର । ସୋମବାର ସକାଳ ପାହିଲା ବେଳକୁ ହାତରେ ଠେଙ୍ଗାବାଡି ଧରି ରାଜଧାନୀ ରାଜରାସ୍ତାକୁ କବଜାକୁ ନେଇ ସାରିଥିଲେ । ସିଧାସଳଖ ଲୋକସେବା ଭବନ ସମ୍ମୁଖରେ ପହଞ୍ଚି ଶକ୍ତି ପ୍ରଦର୍ଶନ କରିଥିଲେ । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଡ୍ରାଇଭର ଆସି ପ୍ରଥମେ ଲୋଏର ପିଏମଜିରେ ଏକାଠି ହୋଇଥିଲେ । ପରେ ଲୋକସେବା ଭବନକୁ ଶୋଭାଯାତ୍ରା କରି ଯିବାବେଳେ ସୁରକ୍ଷାକର୍ମୀଙ୍କ ସହିତ ଧସ୍ତାଧସ୍ତି ମଧ୍ୟ ହୋଇଛି । ଏତେ ସଂଖ୍ୟାରେ ଡ୍ରାଇଭର ଏକାଠି ହୋଇଥିବାରୁ ରାଜଧାନୀରେ ସାଂଘାତିକ ଟ୍ରାଫିକ ଜାମ୍ ପରିସ୍ଥିତ ଉପୁଜିଛି । ଏପରିକି ଭିଡ ଯୋଗୁଁ ପିଏମଜି ଛକରେ ଦୀର୍ଘ ସମୟ ଧରି ଫସି ରହିଥିଲା ଏକ ଆମ୍ବୁଲାନ୍ସ ।

ଓଡିଶା ଡ୍ରାଇଭର ଆସୋସିଏସନର ଛତା ତଳେ ୩୦ଟି ଜିଲ୍ଲାର ଡ୍ରାଇଭର ଏକାଠି ହୋଇ ସରକାରଙ୍କ ଉପରେ ଚାପ ପକାଇଛନ୍ତି ।

  • ପ୍ରତି ୧୦୦ କିଲୋମିଟରରେ ବସ୍ ପାର୍କିଂ ବ୍ୟବସ୍ଥା
  • ଡ୍ରାଇଭରଙ୍କୁ କୋଭିଡ ଯୋଦ୍ଧାର ମାନ୍ୟତା ପ୍ରଦାନ
  • କରୋନା କାଳରେ ହୋଇଥିବା କ୍ଷତି ପାଇଁ ପ୍ୟାକେଜ୍
  • ଦୁର୍ଘଟଣାରେ ମୃତ ଡ୍ରାଇଭରଙ୍କୁ ୨୦ ଲକ୍ଷ ଅନୁକମ୍ପା
  • ଗୁରୁତର ଆହତ ହେଲେ ୧୦ ଲକ୍ଷ ଟଙ୍କାର ବୀମା
  • ଡ୍ରାଇଭରଙ୍କୁ ଅବସରକାଳୀନ ପେନସନ ବ୍ୟବସ୍ଥା

ଏହିଭଳି ଏକାଧିକ ଦାବି କରିଆସୁଛି ଓଡିଶା ଡ୍ରାଇଭର ସଂଘ । ଏନେଇ ଡ୍ରାଇଭର ସଂଘ ସହ ଆଲୋଚନା ପରେ ୩ ମାସର ସମୟ ନେଇଛନ୍ତି ରାଜ୍ୟ ସରକାର । ଦାବି ଉପରେ ବିଚାର କରିବାକୁ ଏକ କମିଟି ଗଠନ କରାଯିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ସରକାରଙ୍କ ସହ ଡ୍ରାଇଭର ମହାସଂଘର ପ୍ରତିନିଧି ଆଲୋଚନା କରିବା ପରେ ଡ୍ରାଇଭର ମହାସଂଘ ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଷ୍ପତି ନେଇଥିବା ମନ୍ତ୍ରୀ କହିଛନ୍ତି । ହେଲେ ଏବେ ବି ରାସ୍ତାରୁ ହଟି ନାହାନ୍ତି ଡ୍ରାଇଭର । ସଂଘର ସଭାପତି ଓ ସଂପାଦକ ବିକ୍ରି ହୋଇଯାଇଥିବା ଅଭିଯୋଗ କରି ଦାବି ପୂରଣ ପାଇଁ ଅଡି ବସିଛନ୍ତି ଗୋଟିଏ ଗୋଷ୍ଠୀ । ଯାହାକୁ ନେଇ ଡ୍ରାଇଭରଙ୍କ ଭିତରେ ମାଡପିଟର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି । ତେବେ ରାଜଧାନୀ ରାସ୍ତାରେ ବସି ଡ୍ରାଇଭରମାନେ ଆନ୍ଦୋଳନ କରିବା ଫଳରେ ଅଭାବନୀୟ ପରିସ୍ଥିତି ଉପୁଜିଥିଲା । ବାଣୀବିହାର ଫ୍ଲାଏ ଓଭର ଉପରେ ଶହ ଶହ ଗାଡି ଅଟକି ରହିଥିବାବେଳେ ଦୀର୍ଘ ସମୟ ଧରି ଲୋକ ଫସିରହିଲେ । ତେଣୁ ପ୍ରଶ୍ନ ଉଠୁଛି…

  • ଏତେ ସଂଖ୍ୟାରେ ଡ୍ରାଇଭର ଆନ୍ଦୋଳନକୁ ଆସିବେ ବୋଲି କେମିତି ଜାଣିପାରିଲା ନାହିଁ ପ୍ରଶାସନ?
  • ଅନ୍ୟ ସମୟରେ ବ୍ୟାପକ ପୋଲିସ ମୁତୟନ ହେଉଥିବାବେଳେ ଆଜି କାହିଁକି ସେଭଳି ବନ୍ଦୋବସ୍ତ ନଥିଲା?
  • ହଜାର ହଜାର ସଂଖ୍ୟାରେ ଡ୍ରାଇଭର ରାଜଧାନୀକୁ କବଜାକୁ ନେବେ ବୋଲି ଗୁଇନ୍ଦା ବିଭାଗ ଜାଣିପାରିଲା ନାହିଁ କେମିତି?