ଦେଶରେ ବଢୁଛି କରୋନା ସଂକ୍ରମଣ । ଗୋଟିଏ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ପ୍ରତିଶତ ବୃଦ୍ଧି

ଦିଲ୍ଲୀ, ହରିଆଣା, ଉତ୍ତର ପ୍ରଦେଶରେ କରୋନା ମିଟର ଉପରମୁହାଁ

129

କନକ ବ୍ୟୁରୋ: ଦୁଇ ବର୍ଷ କଟକଣା ପରେ ଦେଶର ସ୍ଥିତି ସ୍ୱାଭାବିକ ହୋଇଥିଲା । କିନ୍ତୁ ଏବେ ପୁଣିଥରେ ରାଜଧାନୀ ଦିଲ୍ଲୀ ସମେତ ଅନେକ ରାଜ୍ୟରେ କରୋନା ସଂକ୍ରମଣ ବଢି ଚାଲିଛି । ସବୁଠୁ ଚିନ୍ତାଜନକ ସ୍ଥିତି ରାଜଧାନୀ ଦିଲ୍ଲୀରେ ରହିଛି । ଏହା ଦେଖି ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସତର୍କର୍ ହୋଇଛି । ସେପଟେ ଓଡ଼ିଶାରେ ଉଭୟ ଦୈନିକ ସଂକ୍ରମଣ ଓ ସଂକ୍ରମଣ ହାର କମ୍ ରହିଥିଲେ ବି ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି ବରିଷ୍ଠ ଡାକ୍ତର ।

  • ଦେଶରେ ବଢ଼ିଲା ଦୈନିକ ସଂକ୍ରମଣ
  • ୨୪ ଘଣ୍ଟାରେ ବଢିଲା ୯୦ ପ୍ରତିଶତ

ଦେଶରେ ଦୈନିକ ସଂକ୍ରମଣ ୧ ହଜାର ତଳେ ରହୁଥିବା ବେଳେ ହଠାତ ଏହି ସଂଖ୍ୟା ବଢ଼ିବାରେ ଲାଗିଛି । ଗୋଟିଏ ଦିନରେ ପାଖାପାଖି ୯୦ ପ୍ରତିଶତ ବୃଦ୍ଧି ପାଇଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ନଜର ପକାନ୍ତୁ ଭାରତର କରୋନା ମିଟର ଉପରେ…

ଦିନକ ପୂର୍ବରୁ ୧୧୫୦ ନୂଆ ମାମଲା ଆସିଥିବା ବେଳେ ଏପ୍ରିଲ ୧୮ରେ ୨୧୮୩ ମାମଲା ଆସିଛି । ଯାହା ୯୦ ପ୍ରତିଶତ ଅଧିକ । ଏପ୍ରିଲ ୧୬ ତାରିଖରେ ୯୭୫ ଓ ୧୫ ତାରିଖରେ ୯୪୯ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କେବଳ ସେତିକି ନୁହେଁ ସଂକ୍ରମଣ ହାର ମଧ୍ୟ ଧୀରେ ଧୀରେ ବଢିବାରେ ଲାଗିଛି ।

                  ଭାରତ କରୋନା ମିଟର

           ତାରିଖ                          ସଂକ୍ରମଣ

  • ଏପ୍ରିଲ ୧୮                  ୨୧୮୩
  • ଏପ୍ରିଲ ୧୭                   ୧୧୫୦
  • ଏପ୍ରିଲ ୧୬                   ୯୭୫
  • ଏପ୍ରିଲ ୧୫                    ୯୪୯

ସବୁଠୁ ଅଧିକ ଚିନ୍ତା ବଢ଼ାଇଛି ଦିଲ୍ଲୀ । କ୍ରମାଗତ ଭାବେ ଦିଲ୍ଲୀରେ ଦୈନିକ ସଂକ୍ରମଣ ବଢ଼ିବାରେ ଲାଗିଛି । ୫୦୦ ଟପିଯାଇଛି ଗୋଟିଏ ଦିନର ସଂକ୍ରମଣ ସଂଖ୍ୟା । ସଂକ୍ରମଣ ହାର ବା ଟେଷ୍ଟ ପଜିଟିଭିଟି ରେଟ୍ ମଧ୍ୟ ବଢ଼ିବାରେ ଲାଗିଛି । ୨୪ ଘଣ୍ଟାରେ ୫୧୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସଂକ୍ରମଣ ହାର ୪,୨୧ ପ୍ରତିଶତ ରହିଛି । ଦିନକ ପୂର୍ବରୁ ସଂକ୍ରମଣ ହାର ୫.୩୩ ପ୍ରତିଶତ ରହିଥିଲା ।

                     ଦିଲ୍ଲୀ କରୋନା ମିଟର

          ତାରିଖ                ସଂକ୍ରମଣ                  ସଂକ୍ରମଣ ହାର

  • ୧୫ ଏପ୍ରିଲ          ୩୨୫                ୨.୩୯ ପ୍ରତିଶତ
  • ୧୬ ଏପ୍ରିଲ          ୩୬୬                ୩.୯୫ ପ୍ରତିଶତ
  • ୧୭ ଏପ୍ରିଲ          ୪୬୧                ୫.୩୩ ପ୍ରତିଶତ
  • ୧୮ ଏପ୍ରିଲ          ୫୧୭                 ୪.୨୧ ପ୍ରତିଶତ

୨ ବର୍ଷର କଟକଣା ପରେ କିଛି ଦିନ ହେଲା ସ୍ୱାଭାବିକ ହୋଇଛି ସ୍ଥିତି । ତେବେ ଏହାରି ଭିତରେ ଦିଲ୍ଲୀ, ହରିୟାଣା ଓ ଉତ୍ତରପ୍ରଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୟୁପି ସରକାର ଲକ୍ଷ୍ନୌ ସମେତ ଏନସିଆର୍ ଅଞ୍ଚଳରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି । ଓଡ଼ିଶାରେ ସ୍ଥିତି ନିୟନ୍ତ୍ରଣରେ ଥିଲେ ବି ଦିଲ୍ଲୀକୁ ଦୃଷ୍ଟିରେ ରଖି ଓଡ଼ିଶାରେ ପ୍ରସ୍ତୁତି ଆରମ୍ଭ ହୋଇଛି । ସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବାକୁ ସବୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଅନ୍ୟପଟେ ରାଜ୍ୟରେ ଟେଷ୍ଟିଂ ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଇଛି । ଓଡ଼ିଶାରେ ଉଭୟ ଦୈନିକ ସଂକ୍ରମଣ ଓ ସଂକ୍ରମଣ ହାର କମ୍ ରହିଥିଲେ ବି ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି ବରିଷ୍ଠ ଡାକ୍ତର ।

ଡାକ୍ତରଙ୍କ ପରାମର୍ଶ

  • ମାସ୍କ ପିନ୍ଧିବା, କରୋନା ନିୟମ ପାଳନ ଉପରେ ଗୁରୁତ୍ୱ
  • ବୁଷ୍ଟର ଡୋଜକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ
  • ଆତଙ୍କିତ ନହୋଇ ସଜାଗ ରୁହନ୍ତୁ ଜନସାଧାରଣ

ଏସବୁ ଭିତରେ ଆଇଆଇଟି କାନପୁରର ବିଶେଷଜ୍ଞ ମନିନ୍ଦ୍ର ଅଗ୍ରୱାଲ କହିଛନ୍ତି, ବର୍ତ୍ତମାନ ଆସୁଥିବା କରୋନା ସଂକ୍ରମଣ ଚତୁର୍ଥ ଲହରକୁ ଆଣିନପାରେ । ପୁରୁଣା ମ୍ୟୁଟାଣ୍ଟ ଯୋଗୁ ଦେଶର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ଲୋକେ କରୋନା କଟକଣା ନମାନିଲେ ଏହା ଅଧିକ ପ୍ରଭାବ ଦେଖାଇପାରେ ।