ନ୍ୟାୟ ପାଇଁ ଭାଗ ଚାଷୀଙ୍କ ୫୦ ବର୍ଷର ଲଢେଇ: ହକ୍ ପାଇଁ ୩୩ ବର୍ଷ ବୟସରେ କରିଥିଲେ ଆବେଦନ

339

କନକ ବ୍ୟୁରୋ: ଭାଗ ଚାଷୀଙ୍କ ୫୦ ବର୍ଷର ଲଢ଼େଇ । ୩୩ ବର୍ଷ ବୟସରେ ହକ୍ ପାଇଁ ଲଢେଇ ଆରମ୍ଭ କରିଥିଲେ, ୮୨ ବର୍ଷ ବୟସରେ ସୁପ୍ରିମକୋର୍ଟରୁ ମିଳିଛି ନ୍ୟାୟ । ପୁରୀ ଜିଲ୍ଲା ସଦର ବ୍ଲକ ବୀର ନରସିଂହପୁର ସତରପଖରା ଗାଁର ସୁରେନ୍ଦ୍ର ନାଥ ପଣ୍ଡାଙ୍କୁ ପରିଣତ ବୟସରେ ନ୍ୟାୟ ମିଳିଛି । ନିଜେ ନିଜ ମାମଲାକୁ କୋର୍ଟରେ ଉପସ୍ଥାପନ କରୁଥିବା ସୁରେନ୍ଦ୍ର ଦୀର୍ଘ ୫୦ ବର୍ଷ କାଳ ଲଢେଇ କରି ନ୍ୟାୟିକ ପ୍ରକ୍ରିୟାରେ ବିଜୟ ହାସଲ କରିଛନ୍ତି ।

ବୟସ ଢ଼ଳିଯାଇଛି । ଯୌବନ ବିତିଯାଇଛି । ହକ୍ର ଲଢ଼େଇରେ ବିତି ଯାଇଛି ୫୦ ବର୍ଷ । ସଂଘର୍ଷର ୫ ଦଶନ୍ଧୀ ଭିତରେ ନିଜ ପାଇଁ କିଛି କରିପାରିଛନ୍ତି, ନା’ ପିଲାଙ୍କ ଭବିଷ୍ୟତ ପାଇଁ କିଛି ସଂଚି ପାରିଛନ୍ତି । କଷ୍ଟମଷ୍ଟେ ଯାହା ରୋଜଗାର କରିଥିଲେ, ଯାହା ନ୍ୟାୟିକ ଲଢ଼େଇରେ ସବୁ କିଛି ଚାଲିଯାଇଛି ।

ନାମ: ସୁରେନ୍ଦ୍ର ନାଥ ପଣ୍ଡା
ବୟସ: ୮୨ ବର୍ଷ
ଠିକଣା: ସତରପଖରା, ପୁରୀ
ଭାଗ ଚାଷୀର ହକ୍ ପାଇଁ ମାତ୍ର ୩୩ ବର୍ଷ ବୟସରେ ଅଧିକାର ଲଢ଼େଇ ଲଢ଼ିବା ଆରମ୍ଭ କରିଥିଲେ । ବାପା- ଅଜା ଅମଳରୁ ପାରମ୍ପରିକ ଭାବେ ଚାଷ କରି ଆସୁଥିବା ଜମି, ଚଂଚକତାରେ ବିକ୍ରି ହୋଇଗଲା । ସ୍ଥିତି ଏମିତି ହୋଇଥିଲା ଯେ, ଅମଳ ହୋଇଥିବା ଫସଲକୁ କାଟି ନେଇଥିଲେ ମାଲିକ । ସେଇ ଦିନଠୁ ଆରମ୍ଭ ହୋଇଥିଲା ସଂଘର୍ଷ । ତଳ କୋର୍ଟରୁ ଉପର କୋର୍ଟ । ଉପର କୋର୍ଟରୁ ହାଇକୋର୍ଟ । ଏହାରି ଭିତରେ ବିତିଗଲା ୫୦ ବର୍ଷ । ଶେଷରେ ୮୨ ବର୍ଷ ବୟସରେ ନ୍ୟାୟ ଦେଇଛନ୍ତି ଦେଶର ସର୍ବେଚ୍ଚ ନ୍ୟାୟାଳୟ ।

ଚଂଚକତା କରି ଜମିର ମାଲିକ ଲକ୍ଷ୍ମୀଧର ପଣ୍ଡା, ଜମିକୁ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବିକି ଦେଇଥିଲେ । ଫଳରେ ବାପା-ଜେଜେ ଅମଳରୁ ଭାଗ ଚାଷ କରୁଥିବା ସୁରେନ୍ଦ୍ରଙ୍କ ସବୁ ସାହାରା ଚାଲିଯାଇଥିଲା ।