ନିଟ୍ ପରୀକ୍ଷାରେ ଧରାପଡ଼ିଲେ ନକଲି ପରାକ୍ଷାର୍ଥୀ: ଆଧାରକାର୍ଡ ଯାଞ୍ଚ ବେଳେ ମ୍ୟାଚ୍ କଲାନି ଫିଙ୍ଗର ପ୍ରିଣ୍ଟ

105

କନକ ବ୍ୟୁରୋ: ମେଡିକାଲ ପ୍ରବେଶିକା ପରୀକ୍ଷା ‘ନିଟ୍’ରେ ଜାଲିଆତି ଘଟଣାରେ ୩ ଗିରଫ । ଭଦ୍ରକର ଏକ ଘରୋଇ ସ୍କୁଲରୁ ଆସିଛି ଏପରି ଏକ ଚାଂଚଲ୍ୟକର ଘଟଣା । ସୂଚନା ଅନୁସାରେ, ଗତ ମେ’ ୫ ତାରିଖରେ ନିଟ୍ ପରୀକ୍ଷା ଥିଲା । ମୟୂରଭଞ୍ଜ ଜିଲ୍ଲାର ଶାଶ୍ୱତ ତ୍ରିପାଠୀ ନାମକ ଛାତ୍ର ପରୀକ୍ଷା ଦେଇଥାନ୍ତେ । କିନ୍ତୁ ତାଙ୍କ ନାଁରେ ଆଉ ଜଣେ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ସେଂଟରକୁ ଯାଇଥିଲେ । ହେଲେ ଆଡମିଟ୍ କାର୍ଡରେ ନକଲି ପରୀକ୍ଷାର୍ଥୀଙ୍କ ଫଟୋ ଥିଲା । କିନ୍ତୁ ଆଧାରକାର୍ଡ ଯାଂଚ ବେଳେ ଫିଙ୍ଗର ପ୍ରିଂଟ ମ୍ୟାଚ୍ କରିନଥିଲା । ଏନେଇ ସେଂଟର ସୁପରିନଟେଣ୍ଡେଂଟ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ଘଟଣାରେ ତିନିଜଣଙ୍କୁ ଗିରଫ କରିଛି । ତେବେ ଘଟଣାରେ ସଂପୃକ୍ତ ଆଉ ତିନିଜଣ ଫେରାର ଥିବା ଜଣାପଡ଼ିଛି । ଗିରଫଙ୍କ ମଧ୍ୟରେ ବିହାରର ନକଲି ପରୀକ୍ଷାର୍ଥୀ ଅଙ୍କିତ ରାଜ, ମଧ୍ୟସ୍ଥି କରୁଥିବା ରାଜେଶ ମଧୁକର ଓ ପ୍ରେମ ଶଙ୍କର ରହିଛନ୍ତି । ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ଭଦ୍ରକ ଗ୍ରାମାଂଚଳ ପୁଲିସ ।