ବହୁତ ହୋଇଗଲା ଆଉ ନୁହେଁ…ସାମ୍ବାଦିକାଙ୍କ ପାଇଁ ଏକାଠି ହେଲେ ସବୁ ସାମ୍ବାଦିକ, ଏସପ୍ଲାନେଡ ମଲ ଆଗରେ ହେଲା ବିକ୍ଷୋଭ, ତେଜିଲା ସାମ୍ବାଦିକ ସୁରକ୍ଷା ଦାବି

332

କନକ ବ୍ୟୁରୋ : କୁହାଯାଏ ଯେତେବେଳେ ମହିଳା ଆଖିରୁ ଲୁହ ଝରେ, ଏହି ଲୁହ ସାଥିରେ ଏକ ଝଡ଼ ନେଇ ଆସେ । ଯେଉଁ ଝଡ଼ ପୁରା ବ୍ୟବସ୍ଥାକୁ ଦୋହଲାଇ ଦେବାର ସମାର୍ଥ୍ୟ ରଖେ । ସାମ୍ବାଦିକଙ୍କ ସୁରକ୍ଷା ଦାବିରେ ବୋହୂଥିବା ଏହି ଝଡ଼ ହୁଏତ ଆସିବାକୁ ଯାଉଛି । ନହେଲେ ଓଡ଼ିଶାର ସମସ୍ତ ଗଣମାଧ୍ୟମର ପ୍ରତିନିଧିଙ୍କୁ ସ୍ୱାତୀ ଜେନା ଆକ୍ରମଣ ଘଟଣାରେ ଏମିତି ଏକାଠି ହୋଇନଥାନ୍ତା ।

ପାର୍କିଂ ଫି’ ନାରେ ଏସପ୍ଲାନେଡ ମଲ୍ କରୁଥିବା ଜୁଲମ୍ ଏବଂ ବେଆଇନ୍ ପାର୍କିଂ ଆଦାୟ ସଂପର୍କିତ ଖବର ସଂଗ୍ରହ ପାଇଁ ଯାଇଥିବା ଅର୍ଗସ୍ ୱେବ୍ ଚ୍ୟାନେଲର ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣା, ଏବେ ଚାରିଆଡେ ପ୍ରତିକ୍ରିୟା ସୃଷ୍ଟିକରିଛି । ଆଜି ଏସପ୍ଲାନେଡ ମଲ୍ ସାମ୍ନାରେ ଓଡ଼ିଶାର ସମସ୍ତ ପ୍ରମୁଖ ଗଣମାଧ୍ୟମର ପ୍ରତିନିଧି ରୁଣ୍ଡ ହୋଇ ଘଟଣାର ପ୍ରତିବାଦ କରିଛନ୍ତି ।

ସାମ୍ବାଦିକଙ୍କ ଏହି ପ୍ରତିବାଦରେ କେବଳ ଯେ, ଗଣମାଧ୍ୟମ ପ୍ରତିନିଧି ସାମିଲ ହୋଇଥିଲେ ତାହା ନୁହେଁ, ରାଜ୍ୟର ପ୍ରମୁଖ ରାଜନୈତିକ ଦଳର ନେତା ଏହି ଘଟଣାକୁ ନିନ୍ଦା କରିବା ସହ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଦାବି କରିଛନ୍ତି । ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାର ପ୍ରତିବାଦ କରି ସାମାଜିକ କର୍ମୀ ଓ ସାମ୍ବାଦିକମାନେ ମିଳିତ ଭାବେ ଡିଜିପି ଅଫିସ୍ ଆଗରେ ପ୍ଲାକାର୍ଡ ଧରି ପ୍ରତିବାଦ କରିଛନ୍ତି । ସାମ୍ବାଦିକ ଆକ୍ରମଣ ଘଟଣାରେ ଲିପ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସାମ୍ବାଦିକ ସୁରକ୍ଷା ଆଇନ୍ ଆଣିବାକୁ  ଦାବି କରିଛନ୍ତି ।

ଏପଟେ ସାମ୍ବାଦିକଙ୍କ ପ୍ରତିବାଦକୁ ଦେଖି ଏସପ୍ଲାନଡେ ମଲ୍ ସାମ୍ନାରେ ପହଂଚିଥିଲେ ଭୁବନେଶ୍ୱର ଡିସିପି । ଘଟଣା ତର୍ଜମା କରାଯାଇ, ସଂପୃକ୍ତ ସମସ୍ତ ବ୍ୟକ୍ତିଙ୍କୁ ତଦନ୍ତ ପରିସର ଭୁକ୍ତ କରାଯିବ ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି । ଆଉ ଏହି ସବୁ ଧରପଗଡ଼ ଭିତରେ ପଙ୍କଜ ସାହୁ ଓ ମହନ୍ତ ବିଶ୍ୱାଳ ନାମକ ଦୁଇ ଜଣ ସୁରକ୍ଷାକର୍ମୀଙ୍କୁ ଗିରଫ କରିଛି ପୋଲିସ । ଗିରଫ ଏହି ଦୁଇ ସୁରକ୍ଷା କର୍ମୀ କହିଛନ୍ତି-ମଲର ବରିଷ୍ଠ ଅଧିକାରୀ କହିଥିଲେ ଫି’ ଆଦାୟ କରିବାକୁ ।

ଶନିବାର ଏସପ୍ଲାନେଡ ମଲରେ ବେଆଇନ ପାର୍କିଂ ଆଦାୟ ନେଇ ସାମ୍ବାଦିକା ସ୍ୱାତୀ ଜେନା ଓ କ୍ୟାମେରା ପର୍ସନ ଖବର ସଂଗ୍ରହ କରୁଥିବା ବେଳେ ସେମାନଙ୍କୁ ମଲର ସୁରକ୍ଷା କର୍ମୀ ଆକ୍ରମଣ କରିଥିଲେ । ଏପରିକି ମଲର କର୍ମଚାରୀ ସେମାନଙ୍କୁ ଗୋଟିଏ କୋଠରୀ ଭିତରେ ବନ୍ଦ କରି ରଖିଥିବା ନେଇ ଅଭିଯୋଗ ହୋଇଥିଲା ।