ବାଲେଶ୍ୱରରେ ଭୁଶୁଡ଼ିଲା ରେଳ ଓଭରବ୍ରିଜ୍ । ଲୁହା ବିମ୍ ସଂଯୋଗ ବେଳେ ଘଟିଲା ଅଘଟଣ, ଅଟକି ରହିଲା ଟ୍ରେନ୍, ଅସୁବିଧା ଭୋଗିଲେ ଶହଶହ ଯାତ୍ରୀ ।

471

କନକ ବ୍ୟୁରୋ : ବାଲେଶ୍ୱର ଶୋଭାରାମପୁରରେ ଭୁଶୁଡ଼ିଲା ରେଳ ଓଭରବ୍ରିଜ । ଖସି ପଡିଲା ଦୁଇ ପିଲର ମଝିରେ ଥିବା ବିମ୍ । ରେଳ ଧାରଣା ଉପରେ ବିମ୍ ପଡିଯିବାରୁ ଦୀର୍ଘ ସମୟ ଧରି ପ୍ରଭାବିତ ହୋଇଛି ଟ୍ରେନ୍ ଚଳାଚଳ । ଆଉ ଶେଷରେ ଯୁଦ୍ଧକାଳୀନ ଭିତିରେ ମରାମତି କାମ ସରିବା ପରେ ସନ୍ଧ୍ୟାରେ ଚେନ୍ନାଇ-ହାୱଡ଼ା ରୁଟରେ ଗଡ଼ିଛି ୨ଟି ଟ୍ରେନ୍ ।

ସମୟ ଦିନ ପ୍ରାୟ ୧୨ଟା । ସ୍ଥାନ – ବାଲେଶ୍ୱର ଶୋଭାରାମପୁର । ନିର୍ମାଣଧୀନ ରେଳ ଓଭର ବ୍ରିଜ ଉପରୁ ଖସି ପଡ଼ିଲା ବିମ୍ । ରେଳୱେ କ୍ରସିଂ ଉପରେ ଦୁଇଟି ପିଲର୍ ମଧ୍ୟରେ ୬ଟି ଲୁହା ବିମ୍ ସଂଯୋଗ କାର୍ଯ୍ୟ ଆଜି ଶେଷ ହୋଇଥାନ୍ତା । ୫ଟି ବିମକୁ ଠିକ୍ ସ୍ଥାନରେ ରଖାଯାଇଥିଲା । ତେବେ କ୍ରେନ୍ ସାହାଯ୍ୟରେ ୬ ନମ୍ବର ବିମକୁ ରଖିବା ବେଳେ ହୋଇଥିଲା ଦୁର୍ଘଟଣା । ବିମଟି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଅନ୍ୟ ବିମ୍ ଗୁଡିକ ମଧ୍ୟ ଗୋଟିଏ ପରେ ଗୋଟିଏ ଧାରଣା ଉପରେ ଓଲଟି ପଡ଼ିଥିଲା ।

୩୫ ମିଟର ଲମ୍ବ ଓ ପାଖାପାଖିô ୩୫ ଟନ୍ ଓଜନର ଲୁହା ବିମଗୁଡ଼ିକ ବଙ୍କା ହୋଇଥିବା ଦେଖିବାକୁ ମିଳିଥିଲା । ଓଭରବ୍ରିଜ୍ ନିର୍ମାଣ ପାଇଁ ରେଳ ଚଳାଚଳ ବନ୍ଦ କରାଯାଇଥିଲା । ବିଦ୍ୟୁତ ସରବରାହ ବନ୍ଦ କରାଯାଇଥିଲା ଏବଂ ସୌଭାଗ୍ୟକୁ କୌଣସି କର୍ମଚାରୀ ମଧ୍ୟ ରେଳ ଧାରଣା ନିକଟରେ ନଥିଲେ । ତେଣୁ ବଡ଼ ଧରଣର ଅଘଟଣ ଘଟିନଥିଲା, କେହି ମୃତାହତ ହୋଇନଥିଲେ ।

ରେଳ ଧାରଣା ଉପରେ ବିମ୍ ଖସି ପଡିବାରୁ ବାଧାପ୍ରାପ୍ତ ହୋଇଥିଲା ଏହି ରୁଟ୍ ଦେଇ ଯାତାୟତ କରୁଥିବା ଟ୍ରେନ୍ ଚଳାଚଳ । ବିଦ୍ୟୁତ ତାର ମଧ୍ୟ ଛିଡି ଯାଇଥିଲା । ଜରୁରିକାଳୀନ ଭିତିରେ ରେଳ ଧାରଣାରୁ ବିମ୍ ହଟାଇବା ସହ ବିଦ୍ୟୁତ ତାର ସଜାଡିବାକୁ ଉଦ୍ୟମ କରିଥିଲେ ରେଳ କର୍ମଚାରୀ ।

ଆଜି ଦିନ ତମାମ ଏହି ରୁଟ୍ ଦେଇ ରେଳ ଚଳାଚଳ ବନ୍ଦ ହୋଇଯାଇଥିଲା । ୫ଟି ଡାଉନ୍ ଟ୍ରେନ୍ ଅଟକି ଥିବାରୁ ଯାତ୍ରୀମାନେ ନାହିଁନଥିବା ଅସୁବିଧାରେ ପଡ଼ିଥିଲେ । ଅନ୍ୟପଟେ ହାୱଡ଼ା, ଖଡ଼ଗପୁର ଓ ଦିଲ୍ଲୀ ଆଡୁ ଆସୁଥିବା ଟ୍ରେନଗୁଡିକୁ ବାତିଲ କରାଯାଇଥିଲା । ବିଭିନ୍ନ ଷ୍ଟେସନରେ ଅଟକି ରହିଥିଲେ ଶହ ଶହ ଯାତ୍ରୀ ।